ଓଡିଶା ମିଡିଆ ସମିଟ୍ ଓ ଓଡିଶା ମିଡ଼ିଆ ଆୱାର୍ଡ଼ ସମାରୋହ ଉଦଘାଟିତ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ଆଜି କୋଣାର୍କ ଠାରେ ଓଡିଶା ମିଡିଆ ସମିଟ୍ ଓ ଓଡିଶା ମିଡ଼ିଆ ଆୱାର୍ଡ଼ ସମାରୋହ ଆରମ୍ଭ ହୋଇଛି। ଏହାକୁ ଓଡ଼ିଶାର ଗଣଶିକ୍ଷା ମନ୍ତ୍ରୀ ସମୀର କୁମାର ଦାସ ଉଦଘାଟନ କରିଥିଲା ବେଳେ ବିଶିଷ୍ଟଗାନ୍ଧୀବାଦି ସମାଜ ସେବୀ ଏସ ଏ ସଫିକ ଅଧ୍ୟକ୍ଷତା କରିଥିଲେ। ସମ୍ମାନିତ ଅତିଥି ଭାବେ ୟୁନିସେଫର ମିଡିଆ ପରାମର୍ଶଦାତା ଶ୍ରୀମତି ଶାରଦା ଲାହାଙ୍ଗି, ଦେବବ୍ରତ ପାତ୍ର, ଆଞ୍ଚଳିକ ନିର୍ଦ୍ଦେଶକ, ଆକ୍ସନ ଏଡ, ସତ୍ୟ ପ୍ରକାଶ ନାୟକ, ବରିଷ୍ଠ ସାମ୍ବାଦିକ ଯୋଗଦେଇ ନିଜର ବକ୍ତବ୍ଯ ରଖିଥିଲେ। ସେହିପରି ଅନଲାଇନରେ ନେପାଳ, ଶ୍ରୀଲଙ୍କା ଓ ବାଂଲାଦେଶର ଗୋଷ୍ଠୀ ବେତାର ଆନ୍ଦୋଳନର ବ୍ୟକ୍ତିତ୍ବମାନେ ନିଜର ବକ୍ତବ୍ଯ ପ୍ରଦାନ କରିଥିଲେ। ଆଜିର ଦ୍ବିତୀୟ ପର୍ଯ୍ୟାୟରେ ସନ୍ଦୀପ ଚାଚରା, ନିର୍ବାହୀ ନିର୍ଦ୍ଦେଶକ, ଆକ୍ସନ ଆଡ ଇଣ୍ଡିଆ, ଦେବବ୍ରତ ପାତ୍ର, ଆଞ୍ଚଳିକ ନିର୍ଦ୍ଦେଶକ, ଆକ୍ସନ ଆଡ ଇଣ୍ଡିଆ, ମନୋଜ କୁମାର ତ୍ରିପାଠୀ, ଶିଶୁ ସୁରକ୍ଷା ଅଧିକାରୀ, ପୁରୀ, ବିଏନ ଦୁର୍ଗା, ପ୍ରକଳ୍ପ ଅଧିକାରୀ, ଆକ୍ସନ ଆଡ ଇଣ୍ଡିଆ, ଶୋଭାକର ବେହେରା ପ୍ରମୁଖ ଅତିଥି ରୂପେ ଯୋଗଦେଇ ପରିବେଶ ସନ୍ତୁଳନ ଉପରେ ନିଜର ମତାମତ ରଖିଥିଲେ। ଏଥିରେ ଅଂଶଗ୍ରହଣ କାରୀ ମାନେ ନିଜର ଅଭିଜ୍ଞତା କହିଥିଲେ। ଏଇ ମିଡିଆ ମହାକୁମ୍ଭରେ ଏକାଠି ହୋଇଛନ୍ତି ପ୍ରାୟ ଦୁଇ ଶହରୁ ଅଧିକ ସାମ୍ବାଦିକ। ଓଡିଶାରେ ସାମ୍ବାଦିକତାର ମୂଲ୍ୟବୋଧ, ଗୁଣାତ୍ମକ ମାନ, ନୂତନ ପରୀକ୍ଷା ନିରୀକ୍ଷା, ସାଧାରଣ ଲୋକଙ୍କ ସମସ୍ୟା ପ୍ରତି ଅଂଗୀକାର, ନୂତନ ପ୍ରତିଭା ତଥା ସାମଗ୍ରିକ ଭାବେ ଗୁଣାତ୍ମକ ଅବଦାନକୁ ଲୋକଲୋଚନକୁ ଆଣିବା ପାଇଁ ଓଡିଶା ମିଡିଆ ସମିଟ୍ ଓ ଓଡିଶା ମିଡିଆ ଆୱାର୍ଡ ଏକ ଗଠନାତ୍ମକ ପ୍ରୟାସ । ରାଜ୍ୟରେ ଲୋକାଭିମୁଖି ସାମ୍ବାଦିକତାକୁ ଆବଶ୍ୟକ ଗୁରୁତ୍ୱ ପ୍ରଦାନ ପୂର୍ବକ କିଛି ସାମ୍ବାଦିକ ତଥା ପ୍ରତିବଦ୍ଧ ସମାଜସେବୀଙ୍କ ଦ୍ୱାରା ୨୦୧୫ ମସିହାରୁ ଏତାଦୃଶ ପରିକଳ୍ପନା କରାଯାଇଛି । ଲୋକଙ୍କ ସମସ୍ୟାକୁ ବିଭିନ୍ନ ଗଣମାଧ୍ୟମ ଜରିଆରେ ଖବର ଏବଂ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଲୋଚନକୁ ଆଣିବା ସହ ସେଗୁଡ଼ିକର ସମାଧାନ ପାଇଁ ପ୍ରୟାସ କରିଥିବା ସାମ୍ବାଦିକ ଏବଂ ଗଣମାଧ୍ୟମ ସଦସ୍ୟଙ୍କୁ ସମ୍ମାନିତ ଏବଂ ଉତ୍ସାହିତ କରିବା ତଥା ସାମ୍ବାଦିକତାର ବିଭିନ୍ନ ଦିଗ ଓ ପ୍ରଚଳିତ ଧାରା ଉପରେ ଆଲୋଚନା ଏହାର ଲକ୍ଷ୍ୟ । କୋଣାର୍କ ଯାତ୍ରୀନିବାସ ଠାରେ ଆୟୋଜିତ ଏହି ଓଡିଶା ମିଡିଆ ସମିଟ୍ରେ ୟୁନେସ୍କୋ, ୟୁନିସେଫ୍, ବିଶ୍ୱ ବେତାର ପ୍ରସାରକ ମହାସଂଘ, ଆକ୍ସନ ଏଡ୍ ପରି ବିଭିନ୍ନ ଅନ୍ତର୍ଜାତୀୟ ସଂସ୍ଥାର ପ୍ରତିନିଧିଙ୍କ ସହ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସାମ୍ବାଦିକ, ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତି ବିଶେଷ ଓ ସାମାଜିକ କର୍ମୀ ଯୋଗ ଦେଇଛନ୍ତି । ନମସ୍କାର କମ୍ୟୁନିଟି ମିଡିଆ ନେଟୱାର୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବାରୁ ଆୟୋଜକ ମାନଙ୍କ ତରଫରୁ ବରିଷ୍ଠ ଗୋଷ୍ଠୀ ଗଣମାଧ୍ୟମ ବିଶେଷଜ୍ଞ ତଥା ସାମ୍ବାଦିକ ଏନ୍. ଏ. ଶାହା ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ। ଏଥିରେ ରୋଜାଲିନ ପ୍ରଧାନ, ଶାହାଜାଦୀ କାଜଲ, ଅନୁପ କୁମାର ସାହୁ, ଅନ୍ଦାଜ ଆରନ, ଟିକିନା ରାଉତ ପ୍ରମୁଖ ସହଯୋଗ କରିଥିଲେ। ଆଜିର କାର୍ଯ୍ୟକ୍ରମ କୁ ଶିକ୍ଷାବିତ ପ୍ରତାପ ଚନ୍ଦ୍ର ରାଉତ ଓ ଯାଜ୍ଞସେନୀ ସଂଯୋଜନା କରିଥିଲେ।


