ଓଡ଼ିଶା ନାଗରିକ ମହାମଞ୍ଚର ଗଣଧାରଣା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଓଡ଼ିଶା ନାଗରିକ ମହାମଞ୍ଚ, ପୂର୍ଣ୍ଣାଙ୍ଗ ଉତ୍କଳ ନ୍ୟାସ ମଣ୍ଡଳ, ଜନ ଅଧିକାର ପରିଷଦ, ଓଡ଼ିଶା ସମାଜସେବୀ ମହାସଂଘ, ଜନଚେତନା ପରିଷଦ ଓ ପାଇକ ସଂଗଠନ ପ୍ରମୁଖଙ୍କ ତରଫରୁ କଳାହାଣ୍ଡିର ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଦେବା ଦାବିରେ ରାଜଭବନ ସମ୍ମୁଖରେ ଗଣଧାରଣା ଅନୁଷ୍ଠିତ ହେବା ସହିତ ଓଡ଼ିଶା ନାଗରିକ ମହାମଞ୍ଚର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ଅଧ୍ୟକ୍ଷତାରେ ବିଜୟ କୁମାର ପରିଡ଼ା, ଶିକ୍ଷାବିତ୍ ସୀତାବଲ୍ଲଭ ମହାପାତ୍ର ଏବଂ ବିକାଶ ଗିରି ଏକ ପ୍ରତିନିଧି ମଣ୍ଡଳୀ ଓଡ଼ିଶାର ମହାମହୀମ ରାଜ୍ୟପାଳଙ୍କୁ ଭେଟି ମମିତା ମେହେର ହତ୍ୟା ଘଟଣାର ସିବିଆଇ ତଦନ୍ତ କରିବା ଏବଂ ମମିତା ମେହେରଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ପାଇଁ ଦାବି ପତ୍ର ପ୍ରଦାନ କରିଥିଲେ । ଦାବିପତ୍ର ପାଇବା ପରେ ଏହି ଘଟଣାକୁ ଅନୁଧ୍ୟାନ କରି ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ମହାମହୀମ ରାଜ୍ୟପାଳ ପ୍ରତିନିଧି ମଣ୍ଡଳୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଶ୍ରୀଯୁକ୍ତ ଶତପଥୀ ମତବ୍ୟକ୍ତ କରିଥିଲେ ଯେ, ଯେହେତୁ ଗୃହ ବିଭାଗ ମନ୍ତ୍ରୀଙ୍କ ଭୂମିକା ସନ୍ଦେହ ଜନକ ଥିବାରୁ ଘଟଣାର ସଠିକ ତଦନ୍ତ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଜ୍ୟରେ ବର୍ତ୍ତମାନ ବହୁ ବରିଷ୍ଠ ଅଧିକାରୀ, ରାଜନୈତିକ ନେତା ପ୍ରମୁଖଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଯାହାକୁ ମହାମଞ୍ଚ ତୀବ୍ର ବିରୋଧ କରିବା ସହିତ ମୁଖ୍ୟମନ୍ତ୍ରୀ ଏଥିରେ ତୁରନ୍ତ ହସ୍ତକ୍ଷେପ କରି ସମ୍ପୃକ୍ତ ମନ୍ତ୍ରୀଙ୍କୁ କାର୍ଯ୍ୟରୁ ବହିଷ୍କାର କରି ତାଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଥିଲେ । ଏହି ଜଘନ୍ୟ ହତ୍ୟାକାଣ୍ଡକୁ ଘୋର ନିନ୍ଦା କରିବା ସହିତ ମହାମଞ୍ଚ ପକ୍ଷରୁ ସ୍ଥାନୀୟ ସର୍କିଟ ହାଉସ ନିକଟରେ ଏକ ଗଣଧାରଣା ଅନୁଷ୍ଠିତ ହୋଇଥିଲା । ଏଥିରେ ସଭାପତିତ୍ୱ କରି ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ପର୍ଶୁରାମ ଦ୍ୱିବେଦୀଙ୍କ ସମେତ ପ୍ରଦୀପ ବିଶ୍ୱାଳ, ବ୍ରଜବନ୍ଧୁ ପରିଡ଼ା, ଡ. ଅସିତ ଦାସ, ଡ. ବନ୍ଦନା ହରିଚନ୍ଦନ, ସଂଯୋଜକ ନାରାୟଣ ଓଝା, ଅମରେନ୍ଦ୍ର ମହାପାତ୍ର, ସୀତାଂଶୁ ଶେଖର ମହାରଣା, ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ପ୍ରମୁଖ ଉକ୍ତ ଘଟଣାକୁ ତୀବ୍ର ନିନ୍ଦା କରିଥିଲେ ଏବଂ ବର୍ତ୍ତମାନ ସାରା ରାଜ୍ୟରେ ଯେଭଳି ଭାବରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି ସେ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିବା ସହିତ ଏ ପର୍ଯ୍ୟନ୍ତ ମନ୍ତ୍ରୀଙ୍କ ନୀରବତା ନେଇ ଓଡ଼ିଶାବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯଦି ସମଗ୍ର ରାଜ୍ୟବାସୀ ଏକଜୁଟ ହୋଇ ଏହାର ଦୃଢ ବିରୋଧ କରି ମମିତାକୁ ନ୍ୟାୟ ପ୍ରଦାନ ପାଇଁ ରାଜରାସ୍ତାକୁ ଓହ୍ଲାଇବେ, ତେବେ ପୀଡ଼ିତାର ପରିବାରକୁ ପ୍ରକୃତ ନ୍ୟାୟ ମିଳିପାରିବ ବୋଲି ଗଣଧାରଣାରେ ମତପ୍ରକାଶ ପାଇଥିଲା । ଏହି ଗଣଧାରଣାରେ ମହାମଞ୍ଚ ପକ୍ଷରୁ ପ୍ରସାଦ ପାଟ୍ଟଶାଣୀ, ସମିତା ମହାରଣା, ସୁଶାନ୍ତ ହରିଚନ୍ଦନ, ଳକ୍ଷ୍ମୀକାନ୍ତ ବଳବନ୍ତରାୟ, ଧୀରନ୍ଦ୍ର ଧଳ, ପାର୍ଥସାରଥୀ ହରିଚନ୍ଦନ, ପ୍ରଳୟ ଚମ୍ପତ୍ତିରାୟ, ସୁବିଜ୍ଞ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।


