ଓଡ଼ିଶା ପଥବିକ୍ରେତା ସଂଘ ପକ୍ଷରୁ ଶ୍ରମିକ ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା) :-ଏଆଇଟିୟୁସି ଅନୁବନ୍ଧିତ ଓଡ଼ିଶା ପଥ ବିକ୍ରେତା ସଂଘ ପକ୍ଷରୁ ଆନ୍ତର୍ଜାତିକ ଶ୍ରମିକ ଦିବସ ସହରର ଆଇଟିଆଇ ଛକଠାରେ ପାଳିତ ହୋଇଯାଇଛି । ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଅଜୟ ପଟ୍ଟନାୟକ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରମିକ ପତାକା ଉତ୍ତୋଳନ କରିଥିଲେ । ୧୩୬ ବର୍ଷ ତଳେ ଆମେରିକାର ଚିକାଗୋ ସହରରେ ସଂଗଠିତ ଶ୍ରମିକ ସମାବେଶକୁ ସମଗ୍ର ବିଶ୍ୱରେ ଶ୍ରମିକ ଦିବସ ଭାବେ ପାଳିତ ହେଉଥିବା ଶ୍ରୀ ପଟ୍ଟନାୟକ ସୂଚନା ଦେଇଥିଲେ । ତେବେ ଦେଶର ସାମ୍ପ୍ରତିକ କ୍ଷମତାସୀନ ସରକାର ଭାରତୀୟ ଗଣତନ୍ତ୍ରରରେ ପୂର୍ବ ପ୍ରଚଳିତ ୪୪ଟି ଶ୍ରମ ଆଇନକୁ ୪ଟି ଶ୍ରମ କୋଡରେ ପ୍ରଣୟନ ଦ୍ୱାରା ଶ୍ରମିକଙ୍କ ଅଧିକାରକୁ ସଙ୍କୁଚିତ କରାଯିବା ଦୁର୍ଭାଗ୍ୟର ବିଷୟ ବୋଲି ସେ କହିଥିଲେ । ନ୍ୟାସନାଲ ହକର ଫେଡ଼େରେଶନର ସର୍ବ ଭାରତୀୟ ଅତିରିକ୍ତ ସାଧାରଣ ସମ୍ପାଦକ ତଥା ଓଡ଼ିଶା ପଥ ବିକ୍ରେତା ସଂଘର ସଭାପତି ଜୟନ୍ତ ଦାସଙ୍କ ଏଥିରେ ଅଧ୍ୟକ୍ଷତା କରିବା ସହ ସମ୍ପ୍ରତି ଶ୍ରମିକମାନେ ସାମନା କରୁଥିବା ସମସ୍ୟା ଓ ତାହାର ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଥବିକ୍ରେତା ସଂଘର କାର୍ଯ୍ୟକାରୀ ସଭାପତି ଆବିଦ ଖାନ୍, ସମ୍ପାଦକ ମୋହିନୀ ମୋହନ ପରିଡା, ସହ ସମ୍ପାଦକ ଅଭିରାମ ବାରିକ, ଟିଭିସି ସଦସ୍ୟା ଟିପିରୀ ସିଂ, ମନୋଜ କୁମାର ରାଠୋର, ଦୀନବନ୍ଧୁ ସାହୁ, ଦିବାକର ଜେନା, ସନ୍ତୋଷ ସାହୁ, ରାମ କୃଷ୍ଣ ଦାସ,ରୁପକ ଦାସ,ସେକ ମୁକ୍ତାର,ଜଗବନ୍ଧୁ ସିଂହ, ପୁର୍ଣ୍ଣ ଚନ୍ଦ୍ର ବିଶ୍ୱାଳ ଓ ପ୍ରଦୋଷ ନନ୍ଦ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ସଂଗଠନ ପକ୍ଷରୁ ପରିବେଶ ସୁରକ୍ଷା ବାର୍ତ୍ତା ନେଇ ସଚେତନତା ସାଇକେଲ ଶୋଭାଯାତ୍ରା ଆଇଟିଆଇ ଛକରୁ ବାହାରି ସହରର ଷ୍ଟେସନ ଛକଠାରେ ସମାପ୍ତ ହୋଇଥିଲା ।


