ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର ଜିଲ୍ଲା ପ୍ରଶାସନ, ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଏବଂ ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ପରିଷଦର ମିଳିତ ସହଯୋଗରେ ଜିଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନରେ ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବାଲେଶ୍ୱର ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ସଦର ବିଧାୟକ ସ୍ୱରୂପ କୁମାର ଦାସ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ଜିଲା ପରିଷଦ ସଭାପତି ନାରାୟଣ ଚନ୍ଦ୍ର ପ୍ରଧାନ, ଏଆଇଟିୟୁସି ରାଜ୍ୟ ଉପ-ସଭାପତି ଗୌରାଙ୍ଗ ପାଣିଗ୍ରାହୀ, ପ୍ରଭାଗୀୟ ଶ୍ରମ ଆୟୁକ୍ତ ଅଜୟ କୁମାର ପ୍ରଧାନ ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରମିକ ଦିବସ ପାଳନର ଆଭିମୁଖ୍ୟ, ଶ୍ରମ ଆନ୍ଦୋଳନର ଇତିହାସ, ଶ୍ରମିକମାନଙ୍କ ସମସ୍ୟା, ଅଧିକାର, କର୍ତ୍ତବ୍ୟ, ଦେଶର ପ୍ରଗତିରେ ଶ୍ରମିକମାନଙ୍କ ଅବଦାନ, ସେମାନଙ୍କ ତ୍ୟାଗ, ଉତ୍ସର୍ଗୀକୃତ ସେବା ଓ ସେମାନଙ୍କ ପାଇଁ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ତେବେ ଶ୍ରମିକମାନଙ୍କ ପାଇଁ ରହିଥିବା ଯୋଜନା ସମ୍ପର୍କରେ ଯଥେଷ୍ଟ ସଚେତନତା ସୃଷ୍ଟି ସାଙ୍ଗକୁ ଶିଶୁଶ୍ରମିକ ପ୍ରଥାର ସମ୍ପୂର୍ଣ୍ଣ ବିଲୋପ ଉପରେ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟପକ୍ଷରେ ଶ୍ରମିକମାନଙ୍କ ପାଇଁ ପ୍ରଣୀତ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ଗ୍ରାମାଞ୍ଚଳରେ ବ୍ୟାପକ ପ୍ରଚାର ପ୍ରସାର ଦିଗରେ ଯତ୍ନବାନ ହେବାକୁ ସେମାନେ କହିଥିଲେ । ଆନ୍ତର୍ଜାତିକ ଶ୍ରମିକ ଦିବସ ଅବସରରେ ଜିଲାର ୫୯୭ଜଣ ହିତାଧିକାରୀଙ୍କୁ ମୋଟ ୩୯ଲକ୍ଷ ୫୮ହଜାର ୬ଶହ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଏଥିରେ ୫୮୪ଜଣ ହିତାଧିକାରୀଙ୍କୁ ମୋଟ ୨୯ଲକ୍ଷ ୬୮ହଜାର ୬ଶହ ଟଙ୍କାର ଶିକ୍ଷା ସହାୟତା ପ୍ରଦାନ କରାଯାଇଥିବା ବେଳେ, ୪ଜଣ ହିତାଧିକାରୀଙ୍କୁ ୮ଲକ୍ଷ ଟଙ୍କାର ମୃତ୍ୟୁକାଳୀନ ସହାୟତା, ୪ଜଣ ହିତାଧିକାରୀଙ୍କୁ ୨୦ହଜାର ଟଙ୍କାର ଅନ୍ତ୍ୟେଷ୍ଟିକ୍ରିୟା ସହାୟତା, ୨ଜଣ ହିତାଧିକାରୀଙ୍କୁ ୨୦ହଜାର ଟଙ୍କାର ପ୍ରସୂତିକାଳୀନ ସହାୟତା ଏବଂ ୩ଜଣ ହିତାଧିକାରୀଙ୍କୁ ୧ଲକ୍ଷ ୫୦ହଜାର ଟଙ୍କାର ବିବାହ ସହାୟତା ପ୍ରଦାନ କରାଯାଇଛି । ସେହିପରି ୨୬୩ଜଣ ନିର୍ମାଣ ଶ୍ରମିକ ଏବଂ ଅଣସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ୨୫ଜଣଙ୍କୁ ପରିଚୟପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ଜିଲାର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟରତ ଶ୍ରମିକଙ୍କ ସମେତ ବିଭିନ୍ନ ଶ୍ରମ ସଙ୍ଗଠନର କର୍ମକର୍ତ୍ତା, ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଏଥିରେ ଉପସ୍ଥିତ ଥିଲେ । ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ ସାହୁ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଜିଲା ଶ୍ରମ ଅଧିକାରୀ ବୃନ୍ଦାବନ ସେଠୀ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ