କଂଗ୍ରେସ ପକ୍ଷରୁ ଆସନ୍ତା ୧୨ ତାରିଖ ଓଡ଼ିଶା ବନ୍ଦ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ମମିତା ମେହେର ହତ୍ୟା ଘଟଣାରେ ସମ୍ପୃକ୍ତିକୁ ନେଇ ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟ ଦିବ୍ୟଶଙ୍କର ମିଶ୍ରଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ବହିଷ୍କାର କରିବା ପରିବର୍ତ୍ତେ ଆଜି କଳାହାଣ୍ଡିର ଭବାନୀପାଟଣାଠାରେ ପାଖରେ ବସାଇ ସାବାସୀ ଦେବା ଘଟଣାରେ କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପ୍ରଦେଶ କଂଗ୍ରେସ ସେବାଦଳର ଅଧ୍ୟକ୍ଷ ତଥା ମୁଖପାତ୍ର ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ଯେ, ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତିକୁ ନେଇ ସାରା ରାଜ୍ୟରେ ଜନସାଧାରଣଙ୍କ ଭିତରେ ଏକ ଗଭୀର ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ଭବାନୀପାଟଣା ସହରରେ ପୁଲିସ୍ ଛାଉଣୀ ଭିତରେ ମିଶ୍ରଙ୍କୁ ପାଖରେ ବସାଇ ମନ୍ତ୍ରୀଙ୍କ ଭାଷଣ ପରେ ତାଳିମାରି ଉତ୍ସାହିତ କରି ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀ ଓ ଓଡ଼ିଶାର ଅଗଣିତ ମା’ ଭଉଣୀମାନଙ୍କୁ ଯେଭଳି ଉପହାସିତ କରିଛନ୍ତି ଏହା ଅତ୍ୟନ୍ତ ଲଜ୍ଜାଜନକ ଘଟଣା । ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତ୍ତିକ୍ରମେ ଆଗାମୀ ୧୨ ତାରିଖ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି କଂଗ୍ରେସ ଦଳ ପକ୍ଷରୁ ସକାଳ ୬ ଘଟିକାରୁ ମଧ୍ୟାହ୍ନ ୧୨ ଘଟିକା ପର୍ଯ୍ୟନ୍ତ ୬ ଘଣ୍ଟିଆ ‘ଓଡ଼ିଶା ବନ୍ଦ’ ଡ଼ାକରା ଦିଆଯାଇଛି । ଓଡ଼ିଶାର ଜନସାଧାରଣ ବିଶେଷ ଭାବରେ ‘ମା ଭଉଣୀମାନେ, ବେକାର ଯୁବକ ଯୁବତୀମାନେ, ଅଗଣିତ କୃଷକ ଓ ଶ୍ରମିକ ଭାଇଭଉଣୀମାନେ ଏକ ଅଥର୍ବ, ଅପାରଗ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଓଡ଼ିଶା ବନ୍ଦରେ ସାମିଲ୍ ହେବା ପାଇଁ ଡଃ ଜ୍ଞାନେନ୍ଦ୍ର ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ଓଡ଼ିଶା ବନ୍ଦ ସମୟରେ ସମସ୍ତ ଜରୁରୀକାଳୀନ ସେବାରେ ନିୟୋଜିତ ଯାନ ଓ ବ୍ୟକ୍ତିବିଶେଷଙ୍କୁ ଯାତାୟତର ସୁଯୋଗ ଦିଆଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ