କଣ୍ଟିଘାଇ ଦେଇ ନିଷ୍କାସିତ ହେଉଛି ବୈତରଣୀ ବନ୍ୟାଜଳ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଲଘୁଚାପ ଜନିତ ବର୍ଷା ଲୋକଙ୍କୁ ବ୍ୟତିବ୍ୟସ୍ତ କରିଥିବାବେଳେ ଏହାର ପ୍ରଭାବରେ ଭଣ୍ଡାରିପୋଖରୀ ବ୍ଲକ ଦେଇ ପ୍ରବାହିତ ବୈତରଣୀ ନଦୀରେ ଏକ ଛୋଟଧରଣର ବନ୍ୟା ଦେଖାଦେଇଛି । ଯଦିଓ ଉପର ମୁଣ୍ଡରେ ସେମିତି ବଡଧରଣର ବର୍ଷା ହୋଇନାହିଁ ତଥାପି ନଦୀର ବହୁଚର୍ଚ୍ଚିତ କଣ୍ଟିଘାଇ ଦେଇ ବନ୍ୟାଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି । ଉକ୍ତ ବନ୍ୟାପାଣି ବରାହନୂଆପଡା, ଚାଙ୍ଗୁଆ, ବିରୋଳି, ତିଖିଲିଆ, ଦାଣ୍ଡକୂଳ, ନୌରଙ୍ଗପୁର, ଷଠଗାଁ, ଚତୁର୍ଭୁଜପୁର, ମାଳଦା, ଜଳହରି , ଦେଉଳପଦୀ, ରହଣିଆ, ରାଢୋ ଗ୍ରାମର ଚାଷଜମିକୁ ପ୍ରଭାବିତ କରୁଥିବା ଜଣାପଡିଛି । ଏହାଛଡା ପାଳବାଡି ମଧ୍ୟ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ସୂଚନା ମିଳିଛି । ଜଳସମ୍ପଦ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଗତ ୨୪ଘଣ୍ଟା ମଧ୍ୟରେ ଆନନ୍ଦପୁର ଠାରେ ୭୨.୨୦ମି.ମି., ସ୍ୱାମପାଟଣା ଠାରେ ୪୦.୦୨ମି.ମି., କେନ୍ଦୁଝର ଠାରେ ୫୯.୦୮ମି.ମି., ଠାକୁରମୁଣ୍ଡା ଠାରେ ୫୨.୦୮ମି.ମି., ଚମ୍ପୁଆ ଠାରେ ୩୯.୦୬ମି.ମି. ଓ ଆଖୁଆପଦା ଠାରେ ସର୍ବାଧିକ ୮୨.୬ମି.ମି. ବର୍ଷା ହୋଇଛି । ଯାହାଫଳରେ ନଦୀର ଜଳସ୍ତର ବୃଦ୍ଧି ପାଉଥିବା କୁହାଯାଉଛି । ଆଖୁଆପଦା ଆନିକଟ ଠାରେ ନଦୀର ବିପଦ ସଙ୍କେତ ୧୭.୮୩ମି. ଥିବାବେଳେ ଆଜି ସନ୍ଧ୍ୟା ୭ଟାବେଳେ ୧୮.୩୦ମି.ରେ ଜଳ ପ୍ରବାହିତ ହେଉଛି । ଏପଟେ ସାମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଜିଲ୍ଲାପାଳ ତ୍ରିଲୋଚନ ମାଝୀ, ଉପଜିଲ୍ଲାପାଳ ପିତାମ୍ବର ସାମଲ, ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ବିଡିଓ ଦେବଦତ୍ତ ଦାସ ପ୍ରମୁଖ ଆଖୁଆପଦା ସ୍ଥିତ ବୈତରଣୀ ଆନିକଟ ପରିଦର୍ଶନ କରି ବନ୍ୟା ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଜଳସମ୍ପଦ ବିଭାଗ ଯନ୍ତ୍ରୀ ଧନେଶ୍ୱର ସାମଲ , ସୁଶାନ୍ତ ଦାସ ପ୍ରମୁଖଙ୍କ ଠାରୁ ବନ୍ୟା ସମ୍ପର୍କରେ ଜିଲ୍ଲା ପ୍ରଶାସନ ତଥ୍ୟ ସଂଗ୍ରହ କରିସାରିବା ପରେ ବହୁଚର୍ଚ୍ଚିତ କଣ୍ଟି ଏସକେପକୁ ଅଧିକାରୀମାନେ ପରିଦର୍ଶନ କରିଥିବା ଜଣାପଡିଛି ।


