କନ୍ଧମାଳରେ ଜିଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ଖରିଫ୍‌ ବର୍ଷ ୨୦୨୨-୨୩ ପାଇଁ କନ୍ଧମାଳରେ ଜିଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ ଗୁରୁବାର ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କନ୍ଧମାଳ ଜିଲାପାଳ ଆଶିଷ ଇଶ୍ୱର ପାଟିଲ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଯେଉଁ ମଣ୍ଡି ଗୃହଗୁଡ଼ିକର ନିର୍ମାଣ କାର୍ଯ୍ୟ ଅଧାରେ ପଡ଼ିରହିଛି ସେଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ପାଇଁ ସଂପୃକ୍ତ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକଙ୍କୁ କୁହାଯାଇଛି ବୋଲି ଜିଲ୍ଲାପାଳ କହିଥିଲେ । ମଣ୍ଡି ଗୃହଗୁଡ଼ିକୁ ଏଭଳି ଭାବରେ ତିଆରି କରିବା ଦରକାର ଯେପରିକ ଧାନ କିଣା ପରେ ପରେ ମହିଳା ସ୍ୱୟଂସହାୟିକା ଗୋଷ୍ଠୀର ମାଆମାନଙ୍କ କାମରେ ଲାଗିପାରିବ । ଯଦି ଆବଶ୍ୟକ ପଡ଼େ ତେବେ ଅତିରିିକ୍ତ ମିଲର୍‌ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ଜିଲାପାଳ କହିଥିଲେ ।ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଗତବର୍ଷ ଲକ୍ଷ୍ୟ ଧାର୍ଯ୍ୟଠାରୁ ଅଧିକ ଧାନ କ୍ରୟ କରାଯାଇ ଥିଲେ ବି କେତେଗୁଡ଼ିଏ ଚାଷୀଙ୍କର ଧାନ ବିକ୍ରୟ ହୋଇପାରି ନାହିଁ । ସେଥିପାଇଁ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ । ସେହିପରି ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର କହିଲେ ଗତଥର ଚାଷୀମାନଙ୍କର ବିଶେଷକରି ଲଣ୍ଡାଗାଁ ଚାଷୀମାନଙ୍କର ଧାନ ବିକ୍ରୟ ନହୋଇ ରହିଯାଇଛି । ତେଣୁ ଜିଲ୍ଲାରେ ଆଉ ଜଣେ ମିଲର୍‌ଙ୍କର ଆବଶ୍ୟକତା ରହିଛି । ଲଣ୍ଡାଗାଁରେ ରବି ଫସଲ ପାଇଁ ମଣ୍ଡି ଖୋଲିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦେବାପାଇଁ କହିଥିଲେ । ବେସାମରିକ ଯୋଗାଣ ଅଧିକାରୀ ଅନାଥ ଚରଣ ସ୍ୱାଇଁ ଚଳିତ ବର୍ଷର ଧାନ କ୍ରୟ ପାଇଁ ସରକାରଙ୍କ ଯୋଜନା ସବୁ କ’ଣ ରହିଛି ଏବଂ କନ୍ଧମାଳ ଜିଲ୍ଲା ପ୍ରଶାସନ କେଉଁ କେଉଁ ବ୍ୟବସ୍ଥା କରିଛି ସେ ବିଷୟରେ ବୈଠକରେ ସୂଚନା ଦେଇଥିଲେ । ସେ କହିଲେ ଧାନ କ୍ରୟରେ ଅସୁବିଧା ନ ହେବା ପାଇଁ ନୋଡାଲ ଅଫିସର ନିଯୁକ୍ତି ହେବା ସହିତ ଜିଲ୍ଲା ବେସାମରିକ ଯୋଗାଣ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ୍‌ ଖୋଲାଯିବ । ଅଧିକ ମଣ୍ଡି ବ୍ୟାବସ୍ଥା କରିବା ପାଇଁ ଚାଷୀମାନେ ଆବେଦନ କଲେ ତାହା କୃଷି ବିଭାଗକୁ ଜଣାଇଦିଆଯିବ । ସେହିପରି ଟୋକନ୍‌ଗୁଡ଼ିକୁ ପ୍ରଦର୍ଶନ କରାଯିବା ସହିତ ଫାର୍ମର କମିଟିକୁ ଜଣାଇ ଦିଆଯିବ । ବିକ୍ରୟ ପାଇଁ ଅସିଥିବା ଧାନକୁ ୪୮ ଘଣ୍ଟା ପର୍ଯ୍ୟନ୍ତ ସୁରକ୍ଷିତ ଅବସ୍ଥାରେ ରଖିବା ପାଇଁ ବ୍ୟବସ୍ଥା କରାଯିବ । ଗତବର୍ଷ ୩ ହଜାର ୯୧୧ଜଣ ଚାଷୀ ପଞ୍ଜିକୃତ ହୋଇଥିବା ବେଳେ ଚଳିତ ବର୍ଷ ୪ହଜାର ୩୩୩ ଜଣ ଚାଷୀ ପଞ୍ଜିକୃତ ହୋଇଛନ୍ତି । ସମସ୍ତଙ୍କ ନିଷ୍ପତିକ୍ରମେ ଚଳିତ ବର୍ଷ ତା ୨୦.୧୨.୨୦୨୨ରିଖରୁ ବାଲିଗୁଡ଼ା ଉପଖଣ୍ଡରୁ ଧାନ କ୍ରୟ କରିବା ଆରମ୍ଭ ହେବ ବୋଲି ସ୍ଥିର କରାଗଲା । ସେହିପରି ତା ୨୭.୧୨.୨୦୨୨ରିଖରୁ ଫୁଲବାଣୀ ଉପଖଣ୍ଡରୁ ଧାନ କ୍ରୟ ଆରମ୍ଭ କରାଯିବ ବୋଲି ସ୍ଥିର କରାଯାଇଛି । ଉକ୍ତ ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲ୍ଲିକ, କନ୍ଧମାଳ ଉପଜିଲାପାଳ ଶେଷଦେବ ମିଶ୍ରଙ୍କ ସମେତ ଫାର୍ମର ପ୍ରତିନିଧି, ମିଲର୍‌, ନିୟନ୍ତ୍ରିତ ବଜାର କମିଟିଗୁଡ଼ିକର ସମ୍ପାଦକ, ବିଭାଗୀୟ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ