କରସିଙ୍ଗି ଲୁଟ ଘଟଣା ଦୁଇ ଗିରଫ : ସୁନା ଗହଣା, ନଗଦ ଟଙ୍କା ଓ ବାଇକ ଜବତ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା, ବୁଗୁଡା ଥାନା ଅନ୍ତର୍ଗତ କରସିଙ୍ଗି ଗ୍ରାମର ନୟାଗଡ଼-ଭଞ୍ଜନଗର ରାଜ୍ୟ ରାଜପଥର ପାର୍ଶ୍ୱରେ ଥିବା ନିଶାକର ପ୍ରଧାନଙ୍କ ଘରୁ ଗତ ଜୁଲାଇ ୨୬ ତାରିଖ ଦିନ ଦିବା ପ୍ରାୟ ସାଢ଼େ ଏଗାର ଟା ସମୟରେ ପ୍ରାୟ ୨୦ ଭରି ସୁନା ଅଳଙ୍କାର ଓ ନଗଦ ୧୦ ହଜାର ଟଙ୍କା ଲୁଟି ନେଇଥିବା ଘଟଣାରେ ବୁଗୁଡା ପୋଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସେ ଦୁହିଁଙ୍କ ନିକଟରୁ ଗୋଟିଏ ମଙ୍ଗଳ ସୂତ୍ର, ଦୁଇଟି କାନଫୁଲ, ଗୋଟିଏ ମୋବାଇଲ, ଗୋଟିଏ ବାଇକ ଓ ନଗଦ ଦୁଇ ହଜାର ଟଙ୍କା ଜବତ କରାଯାଇଛି। ନିଶାକର ଘରେ ନଥିବା ବେଳେ ତାଙ୍କ ବାପା କୃଷ୍ଣ ପ୍ରଧାନଙ୍କୁ ପାଣି ପିଇବା ବାହାନାରେ ଦୁଇଟି ବାଇକରେ ଆସିଥିବା ଚାରିଜଣ ଦୁର୍ବୃତ୍ତ ଘରେ ପଶି ୭୫ ବର୍ଷର ବୃଦ୍ଧ ବାପା କୃଷ୍ଣ ପ୍ରଧାନ, ମାଆ ତନୁ ପ୍ରଧାନ ଓ ପତ୍ନୀ ସୁଜାତା ପ୍ରଧାନଙ୍କୁ ମାଡମାରିବା ସହ ମାଉଜର ଓ ଛୁରୀ ଦେଖାଇ ପ୍ରାୟ ୨୦ ଭରି ସୁନା ଅଳଙ୍କାର ଓ ନଗଦ ୧୦ ହଜାର ଟଙ୍କା ଲୁଟି ନେଇଥିଲେ। ନିଶାକର ପ୍ରଧାନଙ୍କ ଅଭିଯୋଗ ପ୍ରକାରେ ବୁଗୁଡା ଥାନା କେସ ନଂ ୩୭୩/୨୧ ପ୍ରକାରେ ଏକ ମାମଲା ରୁଜୁ ହୋଇ ଅନୁସନ୍ଧାନ ଜାରି ରଖିଥିବା ବେଳେ ଦୁଇଜଣଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇପାରିଛି। ଗିରଫ ଦୁଇ ଲୁଟେରା ହେଲେ ନୟାଗଡ଼ ଜିଲ୍ଲାର ଦୁର୍ଗାପ୍ରସାଦ ଗ୍ରାମର ଜିତୁ ପ୍ରଧାନ ଓ ଜୟକୃଷ୍ଣ ପ୍ରଧାନ। ଖୁବ ଶୀଘ୍ର ଅନ୍ୟ ଦୁଇଜଣଙ୍କୁ ଗିରଫ କରାଯିବ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ