କରୋନା ମୁକାବିଲା ନେଇସମୀକ୍ଷା
ବାଲେଶ୍ୱର : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ସମ୍ପର୍କରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗ ଦେଇ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ନିର୍ଦ୍ଦେଶ ଓ ଜାରି କରାଯାଇଥିବା ମାର୍ଗଦର୍ଶିକାର ଅନୁପାଳନ ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷ କରି ଶିକ୍ଷାନୁଷ୍ଠାନ ଓ କୋଚିଂ ସେଂଟରଗୁଡିକୁ ବନ୍ଦ କରିବା, ଅନୁସୂଚିତ ଜନଜାତି ଓ ଜାତି ବର୍ଗ ପାଇଁ ଉଦ୍ଦିଷ୍ଟ ଛାତ୍ରାବାସକୁ ବନ୍ଦ କରିବା, ହିତାଧିକାରୀମାନଙ୍କୁ ଆଗୁଆ ଭତା ଟଙ୍କା ପ୍ରଦାନ କରିବା, ବ୍ୟାଙ୍କର ଯଥେଷ୍ଟ ମାତ୍ରାରେ ନଗଦ ଟଙ୍କା ଉପଲବଧ କରାଇବା, ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରି କରୁଥିବା ଦୋକାନକୁ ଛାଡି ଅନ୍ୟ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନମାନଙ୍କୁ ବନ୍ଦ କରିବା ନିମନ୍ତେ ମାଇକ ପ୍ରଚାର କରିବା, ଧର୍ମାନୁଷ୍ଠାନଗୁଡିକରେ ଭିଡକୁ ସଂପୂର୍ଣ୍ଣ ଭାବେ କମାଇବା, ଚିକିତ୍ସାଳୟରେ ଭିଡ ନିୟନ୍ତ୍ରଣ କରିବା, ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ନେଇ ଗଠିତ ସ୍କ୍ୱାଡ ଦ୍ୱାରା ବାସ୍ତବ ସ୍ଥିତିର ଯାଂଚ କରିବା, ଖାଦ୍ୟସାମଗ୍ରୀ ବିକ୍ରି କରୁଥିବା ଉଠା ଦୋକାନଗୁଡିକୁ ବନ୍ଦ କରିବା, ମଣ୍ଡିରେ ଭିଡକୁ କମାଇବା, ବସରେ ଭିଡ ଯେପରି ନ ହୁଏ ତାହା ଉପରେ ନଜର ରଖିବା, ବସଷ୍ଟାଣ୍ଡଗୁଡିକରେ ପରିମଳ ବ୍ୟବସ୍ଥା କରିବା, ସହର ମଧ୍ୟରେ ଅଟୋରିକସା ଚାଳନାକୁ ନିୟନ୍ତ୍ରଣ କରିବା, କଂଟ୍ରୋଲ ରୁମକୁ ଆସୁଥିବା ଅଭିଯୋଗର ଯାଂଚ କରି ତାହାର ପ୍ରତିକାର କରିବା ଇତ୍ୟାଦି ସଂପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ସମସ୍ତେ ମିଳିମିଶି ଏକ ଟିମ୍ ଭାବେ କାମ କରିବାକୁ ଜିଲ୍ଲାପାଳ ଚକ୍ରବର୍ତୀ ଉପସ୍ଥିତ ଅଧିକାରୀମାନଙ୍କୁ କହିଥିଲେ । ବୈଠକରେ ଆରକ୍ଷୀ ଅଧୀକ୍ଷକ ବି ଯୁଗଳ କିଶୋର, ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ନାୟକ, ପିଡି ଡିଆରଡିଏ ରାମଚନ୍ଦ୍ର ଜେନା, ଉପଜିଲ୍ଲାପାଳ ନୀଲୁ ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବାନାର୍ଜୀ ପ୍ରସାଦ ଛୋଟରାୟଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେଇ କରୋନା ସଂକ୍ରମଣର ମୁକାବିଲା ସଂପର୍କରେ ଆଲୋଚନା କରିଥିଲେ ।


