କରୋନା ଯୁଦ୍ଧରେ କର୍ତ୍ତବ୍ୟନିଷ୍ଠାକୁ ଗୁରୁତ୍ୱ ଦେଇଛନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ

ବନ୍ତ,(ଚାନ୍ଦିନୀ ମହାନ୍ତି):କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍ ଡାଉନ୍ ଭଳି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ନିୟମକୁ କାର୍ଯ୍ୟକାରୀ କରାଇବା କ୍ଷେତ୍ରରେ ପ୍ରଶାସନିକ ଅଧିକାରୀ ମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ସେହିଭଳି ଜଣେ ପ୍ରଶାସନିକ ଅଧିକାରୀ ହେଉଛନ୍ତି ଭଦ୍ରକ ଜିଲା ବନ୍ତ ପଞ୍ଚାୟତ ସମିତିର ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ରେବେକା ବିଲୁଙ୍ଗ । କରୋନା ଯୁଦ୍ଧରେ ଜଣେ ମହିଳା ପ୍ରଶାସିକା ଭାବେ ବେଶ ପାରଦର୍ଶିତାର ସହିତ କାର୍ଯ୍ୟଭାର ସମ୍ଭାଳି ଚାଲିଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ନୀତିନିୟମକୁ ପାଳନ କରି ଲୋକ ମାନଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି । ବ୍ଲକର ୨୫ଟି ପଞ୍ଚାୟତରେ ଖୋଲା ଯାଇଥିବା ସାମୟିକ ସ୍ୱାସ୍ଥ୍ୟ କେନ୍ଦ୍ରର ସଠିକ୍ ସୁପରିଚାଳନା କରିବା ସହିତ ଦୈନନ୍ଦିନ ବିଭିନ୍ନ କେନ୍ଦ୍ର ପରିଦର୍ଶନ କରି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି । ଅନ୍ୟ ରାଜ୍ୟରୁ ଓଡିଶା ଫେରୁଥିବା ପ୍ରବାସୀ ଓଡିଆ ମାନଙ୍କ ପଞ୍ଜୀକରଣ ସୂଚାରୁ ରୂପେ କରାଇବା ସହିତ ସେମାନଙ୍କୁ କ୍ୱାରେଣ୍ଟାଇନ ସେଣ୍ଟର ରଖାଇବାର ବ୍ୟବସ୍ଥା କରୁଛନ୍ତି । ବ୍ଲକର ଚାରିଗାଁ ଗ୍ରାମରେ ପ୍ରଥମ କରୋନା ପଜେଟିଭ୍ ଚିହ୍ନଟ ହେବା ପରେ ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ସମଗ୍ର ପଞ୍ଚାୟତକୁ ସିଲ୍ କରାଇବା ଏବଂ ଲୋକ ମାନଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ପାଇଁ ସମସ୍ତ ବନ୍ଦୋବସ୍ତ କରାଇଥିଲେ । ସେହିପରି ବିଭିନ୍ନ ପଞ୍ଚାୟତରେ ପ୍ରବାସୀ ଶ୍ରମିକ ଓ ଅସହାୟ ଲୋକ ମାନଙ୍କୁ ଦୈନନ୍ଦିନ ରନ୍ଧାଖାଦ୍ୟ ଯୋଗାଇ ଦେବାର ଉତ୍ତମ ବ୍ୟବସ୍ଥା କରାଇପାରିଛନ୍ତି । ନିଜେ ବିଭିନ୍ନ ପଞ୍ଚାୟତ ବୁଲି ରନ୍ଧାଖାଦ୍ୟର ସୁପରିଚାଳନା ହେଉଛି କି ନାହିଁ ତାହା ତଦାରଖ ମଧ୍ୟ କରୁଛନ୍ତି । ଯେକୌଣସି ମୂହୁର୍ତ୍ତରେ ତାଙ୍କ ପାଖରେ କୌଣସି ଖବର ପହଂଚିବା କ୍ଷଣି ତତକ୍ଷଣାତ୍ ଘଟଣା ସ୍ଥଳରେ ପହଂଚି ସମସ୍ୟାର ସମାଧାନ ପାଇଁ ଚେଷ୍ଟିତ ହୋଇଛନ୍ତି । ଜଣେ ମହିଳା ପ୍ରଶାସିକା ହୋଇ ରାତି ଅଧରେ ମଧ୍ୟ ନିଜର କର୍ମ କ୍ଷେତ୍ରରେ କାର୍ଯ୍ୟନିପୁଣତା ପ୍ରଦର୍ଶନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ