‘କଳାକାର’ର ରାଜ୍ୟସ୍ତରୀୟ ଶିଶୁ ନାଟକ ମହୋତ୍ସବ ଉଦଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା):ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହାୟତାରେ ନାଟକ ତଥା ସଂସ୍କୃତି ଅନୁଷ୍ଠାନ ‘କଳାକାର’ର ୨୩ ତମ ରାଜ୍ୟସ୍ତରୀୟ ଶିଶୁ ନାଟକ ମହୋତ୍ସବ ସ୍ଥାନୀୟ ଟାଉନହଲରେ ମଙ୍ଗଳବାର ସଂଧ୍ୟାରେ ଉଦଘାଟିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ବାଲେଶ୍ୱର ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏହି ନାଟକ ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ସାମାଜର ନିଚ୍ଛକତାକୁ ନାଟକ ମାଧ୍ୟମରେ ପ୍ରତିଫଳନ କରିବା ଓ ନାଟ୍ୟକଳା ପ୍ରତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବାରେ ‘କଳାକାର’ର ଉଦ୍ୟମ ବେଶ ପ୍ରଶଂସନୀୟ ବୋଲି କହିଥିଲେ । ଯୁଗଶ୍ରୀ ଯୁଗନାରୀ ପତ୍ରିକାର ସମ୍ପାଦିକା ମମତା ମହାପାତ୍ର, ରାଜୀବ ପାଣି, ରାଜେନ୍ଦ୍ର କିଶୋର ରାୟ ଓ ପ୍ରଫେସର କମଳାକାନ୍ତ ଆଚାର୍ଯ୍ୟ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମଞ୍ଚନାଟ୍ୟକୁ ଉଜ୍ଜୀବିତ ରଖିବାରେ ‘କଳାକାର’ ଅନୁଷ୍ଠାନରର ଭୂମିକାକୁ ଭୂୟସୀ ପ୍ରଶଂସା କରିଥିଲେ । ଏହିଭଳି ରାଜ୍ୟସ୍ତରୀୟ ଶିଶୁ ନାଟକ ମହୋତ୍ସବ ଆୟୋଜନ ମଞ୍ଚ କଳାକାର ସୃଷ୍ଟିରେ ବେଶ ସହାୟକ ହୋଇପାରଛି ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ଶିଶୁ ନାଟକ ମହୋତ୍ସବ କମିଟି ସଭାପତି ଡାକ୍ତର ଅମିତାଭ ଗିରି ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ଡାକ୍ତର ଅସିତ କୁମାର ପ୍ରଧାନ ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ କରିବା ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ‘କଳାକାର’ ଶିଶୁ ନାଟକ ମହୋତ୍ସବ କମିଟି କାର୍ଯ୍ୟକାରୀ ସଭାପତି ସୁରଞ୍ଜନ ଦାସମହାପାତ୍ର ଓ ‘କଳାକାର’ର ସମ୍ପାଦକ ଅଧ୍ୟାପକ ସୌମ୍ୟରଞ୍ଜନ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ରାଜ୍ୟସ୍ତରୀୟ ମହୋତ୍ସବର ଉଦଘାଟନୀ ସଂଧ୍ୟାରେ ଦୁଇଗୋଟି ନାଟକ ମଞ୍ଚସ୍ଥ ହୋଇଥିଲା । ରାଣୀପାଟଣା ଦୃଷ୍ଟିହୀନଙ୍କ ନିମନ୍ତେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପକ୍ଷରୁ ପ୍ରଥମ ନାଟକ ‘ଅଳିଆ ଗଦାରୁ ଅ,ଆ’ ମଞ୍ଚସ୍ଥ ହୋଇଥିଲା । ସମଗ୍ର ବିଶ୍ୱରେ ଆଧୁନିକତାର ସ୍ପର୍ଶ ବାରି ହୋଇପଡ଼ୁଥିବା ବେଳେ ସବୁଠି ଶିକ୍ଷାକୁ ପ୍ରାଥମିକତା ଦିଆଯାଇଛି । ମାତ୍ର ଦାରିଦ୍ର‌୍ୟତାର ତାଡ଼ନାରୁ ଜର୍ଜରିତ କିଛି ପରିବାର ତଥା ପିଲାଙ୍କ ନିକଟରେ ଶିକ୍ଷା ଏବେ ବି ଅପହଞ୍ଚି ଅଛି । ଏଭଳି ସ୍ଥିତିରେ ଜଣେ ଶିକ୍ଷୟିତ୍ରୀ ଓ ତାଙ୍କର ସାଙ୍ଗମାନଙ୍କ ସହଯୋଗରୁ ଜରି ଗୋଟାଉଥିବା ଏକ ଝିଅ ପାଠପଢ଼ି ଶିକ୍ଷିତ ହେବା ସହ ଦୁନିଆରେ କିପରି ସ୍ୱତନ୍ତ୍ର ପରିଚୟ ପାଇଛି, ଏଇ ବିଷୟବସ୍ତୁ ସୁନୀଲ କୁମାର ବିଶ୍ୱାଳଙ୍କ ରଚିତ ନାଟକ ‘ଅଳିଆ ଗଦାରୁ ଅ,ଆ’ରେ ପ୍ରତିଫଳିତ ହୋଇଛିି । ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଜୀବନ୍ତ ଅଭିନୟ ଦର୍ଶକଙ୍କ ଆଖରୁ ଲୁହ ଝରାଇ ଦେଇଥିଲା । ସେହିଭଳି ଅଧ୍ୟାପକ ସୌମ୍ୟରଞ୍ଜନ ପ୍ରଧାନଙ୍କ ରଚିତ ତଥା ତରୁଣ ବିଶ୍ୱାଳଙ୍କ ନିର୍ଦ୍ଦେଶିତ ଦ୍ୱିତୀୟ ନାଟକ ‘ପ୍ରତିମୂର୍ତ୍ତି’ ଦର୍ଶକଙ୍କୁ ନୂଆ ଅନୁଭୁତି ଆଣିଦେଇଛି । ଏଥିରେ ‘କଳାକାର’ର ସଦସ୍ୟ ସଦସ୍ୟାମାନେ ଅଭିନୟ କରିଥିବା ବେଳେ ଶ୍ରୀତମ ସହ-ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ