ବିଜୁଳି କର ପଇଠ ପାଇଁ ‘ଟାଟା ପାୱାର’ର ନୂଆ ବ୍ୟବସ୍ଥା ଆରମ୍ଭ
ବାଲେଶ୍ୱର, (ସରୋଜ ପଣ୍ଡା) : ମାସିକ ବିଦ୍ୟୁତ ବିଲ ପଇଠ କାର୍ଯ୍ୟକୁ ଅଧିକ ସହଜ କରିବା ପାଇଁ ଟଟା ପାୱାର ନର୍ଦ୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏନଓଡିଏଲ) ପକ୍ଷରୁ ନୂଆ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପରପ୍ରେକ୍ଷୀରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ଟିପିଏନଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାସ୍କର ସରକାର ଯୋଗଦେଇ ବିଲ ଆଦାୟର ନୂତନ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ । ଇଣ୍ଡସିନ୍ଧ ବ୍ୟାଙ୍କ ସହ ଅନୁବନ୍ଧିତ ଅଧିକୃତ କଲେକ୍ସନ ସେଣ୍ଟର ‘ଭାରତ ମନି’ଦ୍ୱାରା ଲୋକେ ନିଜର ବିଲ ଅର୍ଥ ସହଜରେ ପ୍ରଦାନ କରି ପାରିବେ ବୋଲି ସେ କହିଛନ୍ତି । ଉତ୍ତର ଓଡ଼ିଶାରେ ଥିବା ୪ ହଜାର ଭାରତ ମନି ସେଣ୍ଟରରେ ବିଦ୍ୟୁତ ଉପଭୋକ୍ତାମାନେ ସେମାନେଙ୍କ ବିଲ ପ୍ରଦାନ କରି ପାରିବେ ।ଏମିତକି ଭାରତ ମନି ସହ ଯୋଡ଼ି ହୋଇଥିବା କିରାନା ଦୋକାନୀଙ୍କ ଜରିଆରେ ବି ଏହି ପେମେଣ୍ଟ ସହଜରେ ଦିଆଯାଇ ପାରିବ । ଏଥି ସହିତ ସହର ସମେତ ଗ୍ରାମାଞ୍ଚଳରେ ଥିବା ମୋ ସେବାକେନ୍ଦ୍ର ଜରିଆରେ ମଧ୍ୟ ଉପଭୋକ୍ତାମାନେ ସେମାନଙ୍କ ବିଲ ପ୍ରଦାନ କରିପାରିବେ । ସେହିଭଳି ଏକ୍ସିସ ବ୍ୟାଙ୍କ ଜରିଆରେ ଅନଲାଇନ ପେମେଣ୍ଟ ପାଇଁ ବ୍ୟବସ୍ଥା ହୋଇଥିବା ଶ୍ରୀ ସରକାର କହିଛନ୍ତି । ପୂର୍ବଭଳି ବିଲ ଅର୍ଥ ପଇଠ ପାଇଁ ବିଦ୍ୟୁତ ଉପଭୋକ୍ତାଙ୍କୁ ଆଉ ଲମ୍ବା ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବ ନାହିଁ । ଅତି ସହଜରେ ଓ ସ୍ୱଳ୍ପ ସମୟରେ ଲୋକେ ସେମାନଙ୍କ ବିଦ୍ୟୁତ ବିଲ ଦେଇପାରିବେ ବୋଲି ଶ୍ରୀ ସରକାର କହିଛନ୍ତି । ବିଦ୍ୟୁତ ଉପଭୋକ୍ତାଙ୍କୁ ଉତ୍ତମ ସେବା ପ୍ରଦାନ ପାଇଁ ଟିପିଏନଓଡିଏଲ ପକ୍ଷରୁ ପର୍ଯ୍ୟାୟ କ୍ରମେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଥିବା ବେଳେ ଏନେଇ ଶ୍ରୀ ସରକାର ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।


