କଶ୍ମୀରର ବିକାଶ ହେଲେ ପାକିସ୍ତାନ ଯୋଜନା ପଣ୍ଡ ହେବ: ଏସ୍. ଜୟଶଙ୍କର

ୱାସିଂଟନ୍: ଜମ୍ମୁ-କଶ୍ମୀରରେ ବିକାଶ ପ୍ରକ୍ରିୟା ଥରେ ତ୍ୱରାନ୍ୱିତ ହେଲେ ପାକିସ୍ତାନର ୭୦ ବର୍ଷର ଯୋଜନା ପଣ୍ଡ ହୋଇଯିବ । ଆମେରିକାର “ସେଣ୍ଟର ଫର୍ ଷ୍ଟ୍ରାଟେଜିକ୍ ଆଣ୍ଡ ଇଣ୍ଟରନ୍ୟାସ୍ନାଲ ଷ୍ଟଡିଜ୍’ରେ ଯୋଗଦେଇ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଏହା କହିଛନ୍ତି । ଭାରତ ବିରୋଧୀ ଶକ୍ତିମାନେ ଜମ୍ମୁ-କଶ୍ମୀରରେ ଇଣ୍ଟରନେଟର ଅପବ୍ୟବହାର କରି ସୋସିଆଲ୍ ମିଡ଼ିଆ ଜରିଆରେ ପରିସ୍ଥିତିକୁ ବିଗାଡ଼ିବାର ସମ୍ଭାବନାକୁ ଦେଖି ସେଠାରେ ଇଣ୍ଟରନେଟ୍ ସେବାକୁ ସାମୟିକ ପାଇଁ ବନ୍ଦ ରଖାଯାଇଛି । ୭୦ ବର୍ଷ ଧରି ପାକିସ୍ତାନ ଜମ୍ମୁ-କଶ୍ମୀରକୁ ଆତଙ୍କବାଦର ପ୍ରୟୋଗଶାଳା ଭାବେ ବ୍ୟବହାର କରିଆସୁଥିଲା । ଧାରା ୩୭୦ ଉଚ୍ଛେଦ ହେବା ପରେ ଜମ୍ମୁ-କଶ୍ମୀରରେ ବିକାଶ ପ୍ରକ୍ରିୟାକୁ ଅଧିକ ଜୋର୍ଦାର କରାଯିବ । ନିକଟରେ ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟ ପାଲ୍ ମଲ୍ଲିକ ମଧ୍ୟ ଜମ୍ମୁ-କଶ୍ମୀରର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । ବର୍ତ୍ତମାନ ଉପତ୍ୟକାରେ ଜୀବନହାନୀ ରୋକିବା ସରକାରଙ୍କ ପ୍ରମୁଖ ଦାୟିତ୍ୱ । ଏଥିପ୍ରତି ସର୍ବାଧିକ ଦୃଷ୍ଟି ରଖାଯାଇଛି ବୋଲି ଆମେରିକୀୟ ବିଜ୍ଞ ପରାମର୍ଶଦାତା ମଣ୍ଡଳୀର ପ୍ରଶ୍ନର ଉତ୍ତରରେ ଜୟଶଙ୍କର ଏହା କହିଛନ୍ତି । ଦିନ ଥିଲା, ଜମ୍ମୁ-କଶ୍ମୀର ସମସ୍ୟାର ସମାଧାନ ପାଇଁ ଭାରତ ବ୍ୟସ୍ତ ହେଉଥିଲା, ମାତ୍ର ପାକିସ୍ତାନ ଏଥିପ୍ରତି ଭ୍ରୁକ୍ଷେପ ନ କରି ଆତଙ୍କବାଦର ଜାଲ ବିଛାଉଥିଲା । ମାତ୍ର, ଆଜି ପରିସ୍ଥିତି ବଦଳି ଯାଇଛି । ଜମ୍ମୁ-କଶ୍ମୀରର ବିକାଶ ହିଁ ସରକାରଙ୍କ ପ୍ରାଥମିକତା ବୋଲି ଜୟଶଙ୍କର କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ