କଶ୍ମୀର ପ୍ରସଙ୍ଗରେ ପୁଣି ଚୀନକୁ ଭାରତର କଡ଼ା ଜବାବ
ନୂଆଦିଲ୍ଲୀ/ନ୍ୟୁୟର୍କ: ସମଗ୍ର ବିଶ୍ୱକୁ କୋରୋନା ଭାଇରସ ନେଇ ଚିନ୍ତା ଥିବା ବେଳେ ଚୀନ ଓ ପାକିସ୍ତାନ କଶ୍ମୀର ଉପରେ ନଜର ରଖିଛନ୍ତି। କଶ୍ମୀରକୁ ନେଇ ଜାତିସଂଘରେ ଚୀନ ଦେଇଥିବା ବୟାନର କଡ଼ା ଜବାବ ରଖିଛି ଭାରତ। ସଂଯୁକ୍ତ ରାଷ୍ଟ୍ରରେ ଚୀନ ସ୍ଥାୟୀ ମିଶନର ମୁଖପାତ୍ର କଶ୍ମୀର ଉପରେ ଦେଇଥିବା ବୟାନକୁ ଭାରତ ଖାରଜ କରିଦେଇଛି। ଏଥି ସହିତ ବେଜିଂ ଏହି ମାମଲାରେ ହସ୍ତକ୍ଷେପ ନ କରୁ ବୋଲି ଚେତାବନୀ ମଧ୍ୟ ଦେଇଛି। କାରଣ ଏହା ଆମର ଆଭ୍ୟନ୍ତରୀଣ ମାମଲା ବୋଲି ଭାରତ ସ୍ପଷ୍ଟ କରିଛି।
ବୈଦେଶିକ ମନ୍ତ୍ରଣାଳୟରେ ନବନିଯୁକ୍ତ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଗଣମାଧ୍ୟମକୁ କହିଛନ୍ତି, ଆମେ ଜମ୍ମୁ-କଶ୍ମୀରକୁ ନେଇ ସଂଯୁକ୍ତ ରାଷ୍ଟ୍ରରେ ଚୀନର ସ୍ଥାୟୀ ମିଶନର ମୁଖପାତ୍ରଙ୍କ ବୟାନକୁ ଖାରଜ କରୁଛୁ। ସେ କହିଛନ୍ତି, ଚୀନକୁ ଆମର ଅସଲ ଉଦ୍ଦେଶ୍ୟ ଜଣା ଅଛି। ଜମ୍ମୁ-କଶ୍ମୀର ହେଉଛି ଭାରତର ଅଭିନ୍ନ ଅଂଶବିଶେଷ ଓ ଏହା ଆଗାମୀ ଦିନରେ ମଧ୍ୟ ରହିବ। ଜମ୍ମୁ-କଶ୍ମୀର ସହ ଜଡ଼ିତ ପ୍ରସଙ୍ଗ ଭାରତର ଆଭ୍ୟନ୍ତରୀଣ ମାମଲା। ଶ୍ରୀବାସ୍ତବ ଆହୁରି ମଧ୍ୟ କହିଛନ୍ତି ଯେ ଆମର ଆଭ୍ୟନ୍ତରୀଣ ମାମଲାଠାରୁ ଅନ୍ୟ ଦେଶ ସବୁ ଦୂରେଇ ରହି ଭାରତର ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ କରିବା ଆବଶ୍ୟକ। ଅପରପକ୍ଷେ ଚୀନ ସୀମାପାର ଆତଙ୍କବାଦର ଗୁରୁତ୍ବକୁ ଉପଲବ୍ଧି କରିବା ସହ ଏହାର ପ୍ରଭାବ ଭାରତ ଉପରେ କିଭଳି ପଡ଼ୁଛି, ତାହାକୁ ହୃଦୟଙ୍ଗମ କରିବା ନିହାତି ଆବଶ୍ୟକ। ସୂଚନାଯୋଗ୍ୟ, ଜାତିସଂଘରେ ଚୀନ ସ୍ଥାୟୀ ମିଶନର ମୁଖପାତ୍ର କହିଥିଲେ ଯେ ବେଜିଂ କଶ୍ମୀର ଅବସ୍ଥା ଉପରେ ନଜର ରଖିଛି ଏବଂ ଆମର ଆଭିମୁଖ୍ୟରେ କିଛି ବି ପରିବର୍ତ୍ତନ ହୋଇନାହିଁ। କଶ୍ମୀର ପ୍ରସଙ୍ଗ ଆରମ୍ଭ ହେବା ଦିନଠାରୁ ବିବାଦୀୟ ରହିଛି। ଏହାର ସମାଧାନ ସଂଯୁକ୍ତ ରାଷ୍ଟ୍ରର ଚାର୍ଟର, ସୁରକ୍ଷା ପରିଷଦ ଓ ଦ୍ୱିପାକ୍ଷିକ ବୁଝାମଣା ମାଧ୍ୟମରେ ହେବା ଦରକାର। ସାହାଯ୍ୟରେ ହେବା ଦରକାର। ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ଓ ଚୀନ ବାରମ୍ବାର କଶ୍ମୀର ଉପରେ ହସ୍ତକ୍ଷେପ କରିବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳୁଛି।


