କାଦୁଅ ପଚପଚ ସାହି ରାସ୍ତା

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଲକ ବାଲିପୋଖରୀ ପଞ୍ଚାୟତ ଜଗନ୍ନାଥପ୍ରସାଦ ବଢ଼େଇ ସାହି ରାସ୍ତା ଏବେ ଶୋଚନୀୟ ହୋଇପଡିଛି। ସାହି ଲୋକଙ୍କ ପାଇଁ ମୋରମ ଓ କଂକ୍ରିଟ ରାସ୍ତା ସାତ ସପନ ଥିବା ବେଳେ ଏବେ ବର୍ଷା ହେବାରୁ ନିର୍ମାଣାଧୀନ ମାଟି ରାସ୍ତାଟି ସମ୍ପୁର୍ଣ୍ଣ ଯାତାୟତ ଅନୁପଯୋଗୀ ହୋଇପଡିଛି। ପୂର୍ବରୁ ଏଠାରେ ଏକ ସଙ୍କୁଚିତ ମାଟି ରାସ୍ତା ରହିଥିବା ବେଳେ ଚଳିତ ବର୍ଷ ନିକଟରେ ଏକ ପୋଖରୀ ପୁନରୁଦ୍ଧାର ବେଳେ ରାସ୍ତାଟିକୁ ସମ୍ପ୍ରସାରଣ କରାଯାଇଥିଲା। ରାତିପାହିଲେ ବଢ଼େଇ ସାହି ସମେତ ଗାଁର ପ୍ରାୟ ଜନସାଧାରଣ ନିକଟ ଜଗନ୍ନାଥ ମନ୍ଦିର ଓ ପୋଖରୀକୁ ଦୈନନ୍ଦିନ କାର‌୍ୟ୍ୟ ପାଇଁ ଆସିଥାନ୍ତି। ଏହାଛଡା ରାସ୍ତା ପାର ହୋଇ ଲୋକମାନେ ଗାଁ ତଳ ଚାଷ ଜମିକୁ ମଧ୍ୟ ଯାଇଥାନ୍ତି। ଏବେ ଅବସ୍ଥା ଏଭଳି ହୋଇଛି ଯେ ଗାଁରୁ ସାଇକେଲ ମୋଟର ସାଇକେଲ ତ ଦୂରର କଥା ଚାଲି ଚାଲି ଆସିବା ଲୋକମାନଙ୍କ ପାଇଁ କଷ୍ଟକର ହୋଇପଡୁଛି। ରାତି ବିକାଳି କେହି ଯଦି ସ୍ୱାସ୍ଥ୍ୟ ସମସ୍ୟାରେ ପଡିବା ସହ କାହାର ଯଦି ପ୍ରସବ ଯନ୍ତ୍ରଣା ଆରମ୍ଭ ହେଲା ତାହେଲେ କଥା ସରିଲା ବୋଲି ଜାଣ। କାରଣ କାଦୁଅ ପଚ ପଚ ରାସ୍ତା ଯୋଗୁ ରୋଗୀଟିକୁ ଲୋକେ ଟେକି ଟେକି ମୁଖ୍ୟ ରାସ୍ତାକୁ ଆଣିବେ ଏଥିରେ ସନ୍ଦେହ ନାହିଁ। ତେଣୁ ରାସ୍ତାରେ ମୋରମ ମେଣ୍ଟାଲ ପକାଇବା ପାଇଁ ଗ୍ରାମବାସୀ ମାନେ ବାରମ୍ବାର ଦାବି ଜଣାଉଥିଲେ ସୁଦ୍ଧା ପ୍ରଶାସନ ଏଥିପ୍ରତି କର୍ଣ୍ଣପାତ କରୁନାହିଁ। ଯାତାୟତ ସୁଗମ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ସୁଦ୍ଧା ଏଠାରେ କିନ୍ତୁ ଅବସ୍ଥା ବିପରୀତ ଦେଖାଦେଇଛି। ତେଣୁ ଯଥାଶୀଘ୍ର ଉକ୍ତ କ୍ଷୁଦ୍ର ରାସ୍ତାଟିକୁ ମାଟି ମୁକ୍ତ କରିବା ପାଇଁ ଗ୍ରାମବାସୀ ମାନେ ଦାବି ଜଣାଇଛନ୍ତି।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ