କାଳିପଲ୍ଲୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାଲମେଳା
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ବ୍ଲକ ଅନ୍ତର୍ଗତ କାଳିପଲ୍ଲୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆମେରିକାନ ଇଣ୍ଡିଆ ଫାଉଣ୍ଡେସନ୍ ପକ୍ଷରୁ ବାଲମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଜ୍ଞାନ, ଗଣିତ, ପରିବେଶ ବିଜ୍ଞାନ ଭିତ୍ତିକ କଠିନ ବିଷୟବସ୍ତୁର ସରଳ ପ୍ରୟୋଗ ପ୍ରକଳ୍ପ ଆଧାରରେ ପ୍ରଦର୍ଶିତ ହୋଇଥିଲା । ବାଲମେଳା ଦେଖିବାକୁ ଆସିଥିବା ଦର୍ଶକ, ଅଭିଭାବକ, ଛାତ୍ରଛାତ୍ରୀ ଉପଲବ୍ଧ ସାମଗ୍ରୀକୁ ନେଇ ନିଜେ ପ୍ରକଳ୍ପ ତିଆରି କରୁଥିଲେ ଓ ବିଷୟ ଭିତ୍ତିକ ଧାରଣାକୁ ବୁଝୁଥିଲେ । ପ୍ରାରମ୍ଭରେ ପ୍ଲାଷ୍ଟିକ ବର୍ଜନ ସଚେତନତା ଶୋଭାଯାତ୍ରା ବିଦ୍ୟାଳୟରୁ ବାହାରି ଜନବସତି ଅଂଚଳ ପରିକ୍ରମା କରିଥିଲା । ଏହା ସହ ପ୍ଲାଷ୍ଟିକ ମୁକ୍ତ ପରିବେଶ ଉପରେ ବକୃତା, କୁଇଜ ଓ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଇଓ ସୀତାରାମ ପାତ୍ର, ସ୍ଥାନୀୟ ସରପଂଚ ବି. ଲକ୍ଷ୍ମୀ ପାତ୍ର, ବିଦ୍ୟାଳୟ ପରିଚାଳନା କମିଟିର ପି. ଅର୍ଦ୍ଦରାଜୁଲୁ ରେଡ୍ଡୀ, ସିଆରସିସି ଲାବଣ୍ୟ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁମିତ୍ରା ଭୁୟାଁ ଓ ଆମେରିକାନ ଇଣ୍ଡିଆ ଫାଉଣ୍ଡେସନ ର ଜିଲ୍ଲା ସଂଯୋଜକ ବୈଦ୍ୟନାଥ ବେହେରା ବାଲମେଳଅଉ ପରିଚାଳନା କରିଥିଲେ । ଶିକ୍ଷକ କୃଷ୍ଣ ଚନ୍ଦ୍ର ଦାଶ ସ୍ୱାଗତ ଭାଷଣ ସହ ମଞ୍ଚ ପରିଚାଳନା କରିଥିଲେ । ଆମେରିକାନ ଇଣ୍ଡିଆ ଫାଉଣ୍ଡେସନର ସଂଯୋଜକ କୀର୍ତ୍ତି ସୁନ୍ଦର ରାଉତ ପ୍ରକଳ୍ପ ପ୍ରଦର୍ଶନ ଓ ପରିଚାଳନା କରିଥିଲେ । ଶେଷରେ ଆମେରିକାନ ଇଣ୍ଡିଆ ଫାଉଣ୍ଡେସନର ପ୍ରଶିକ୍ଷକ ମନୋରଂଜନ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।


