କାଶିଆ ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣାର ତଦନ୍ତ କଲେ ଆରସିସିଏଫ

ଯୋଡା (ସମୀର କୁମାର ଦାସ) : ଚମ୍ପୁଆ ରେଂଜ ଓ ବାମେବାରୀ ବନପାଳ ଅଧିନସ୍ଥ କାଶିଆ ଜଙ୍ଗଲରେ ମାଇ ହାତୀର ଗଳିତ ମୃତ ଦେହ ଉଦ୍ଧାର ଘଟଣାର ତଦନ୍ତ କରିବାକୁ ଆରସିସିଏଫ ଘଟଣାସ୍ଥଳକୁ ଯାଇଥିବା ଜଣାପଡିଛି । ଗୁରୁବାର ରାଉଲକେଲାରୁ ଆସିଥିବା ଆଂଚଳିକ ମୁଖ୍ୟ ବନ ସଂରକ୍ଷକ(ଆରସିସିଏଫ) ଭଂଜ କିଶୋର ସ୍ୱାଇଁ ତଦନ୍ତ ପାଈଁ ଘଟଣାସ୍ଥଳକୁ ଯାଇଥିଲେ । ଏହି ସମୟରେ କେନ୍ଦୁଝର ଡିଏଫଓ ସନ୍ତୋଷ ଯୋଶୀ , ଚମ୍ପୁଆ ରେଂଜର ଘାସିନାଥ ପାତ୍ର, ବାମେବାରୀ ବନପାଳ ଯତୀନ୍ଦ୍ର କୁମାର ସାହୁଙ୍କ ସମେତ ଅନ୍ୟ ବନ କର୍ମଚାରୀ ମାନେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟକି ଗତ ତା ୦୪/୦୫/୨୦୨୦ ରିଖ ତଥା ସୋମବାର ଦିନ ଉକ୍ତ ଜଙ୍ଗଲ ମଧ୍ୟରୁ ଏକ ମାଇ ହାତୀ ମୃତ ଦେହର କିଛି ଅଂଶ ବିଶେଷ ପଡିଥିବା ଦେଖିବାକୁ ମିଳିଥିଲା । ପରେ ଝୁମ୍ପୁରା ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ମାଇହାତୀ ମୃତ ଦେହର ବ୍ୟବଛେଦ କରାଯାଇ ମାଇହାତୀର ହାଡ ଓ ଚମଡାକୁ ପରୀକ୍ଷା ପାଇଁ ଡେରାଡୁନ୍ ଡବ୍ଲୁଆଇଆଇକୁ ପଠାଯାଇଥିଲା । ତେବେ ବ୍ୟବଛେଦ ରିର୍ପୋଟ ଆସିବା ପରେ ମାଇହାତୀର କେଉଁ କାରଣରୁ ଏବଂ କିପରି ମୃତ୍ୟୁ ହେଲା ତାହା ଜଣାପଡିବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି । ଏନେଇ ବନ ବିଭାଗ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ନଂ ୦୨/୨୦୨୦ ରୁଜୁ କରାଯାଇଛି । କେନ୍ଦୁଝର ଡିଏଫଓ ଏହି ଘଟଣା ନେଇ ବୁଧବାର ଚମ୍ପୁଆ ରେଂଜର ଓ ବାମେବାରୀ ବନପାଳ ଙ୍କ ସମେତ ଜଣେ ବନ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ମାଇହାତୀର ମୃତ୍ୟୁ ଘଟଣା ଗତ ଏପ୍ରିଲ ୧୪ ରିଖରେ ସ୍ଥାନୀୟ ଲୋକେ ଜାଣି ପାରିଥିବା ବେଳେ ସ୍ଥାନୀୟ ବନପାଳ ଏବଂ କର୍ମଚାରୀମାନେ ଏହି ଘଟଣା ସମ୍ପର୍କରେ କିପରି ଜାଣି ପାରିଲେ ନାହିଁ , ସେ ସମ୍ପର୍କରେ ଆରସିସିଏଫ ଓ କେନ୍ଦୁଝର ଡିଏଫଓ ତଦନ୍ତ କରିଥିବା ଜଣାପଡିଛି । ଏଠାରେ ପ୍ରଶ୍ନ ଉଠେ ଯେ, ଉକ୍ତ ଜଙ୍ଗଲ ମଧ୍ୟରେ ଏକ ମାଇହାତୀର ମୃତ୍ୟୁ ଘଟି ମୃତ ଦେହଟି ଦୀର୍ଘଦିନ ଧରି ଜଙ୍ଗଲରେ ପଡିରହିଥିଲେ ମଧ୍ୟ, ସେଠାରେ କାର୍ଯ୍ୟରତ ବନପାଳ କିମ୍ବା ବନ କର୍ମଚାରୀମାନେ କିପରି ଏହା ଜାଣି ପାରିଲେ ନାହିଁ ଏହା ସେମାନଙ୍କର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ