କାଶୀନଗର ଏନଏସିରେ ପେନ୍ସନ୍ ପାଇଁ ବୃଦ୍ଧବୃଦ୍ଧା ହନ୍ତସନ୍ତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ଏକ ମାତ୍ର ବିଜ୍ଞାପିତ ଅଞ୍ଚଳ ପରିଷଦ କାଶୀନଗର ହୋଇଥିବା ବେଳେ ଏଥିରେ ୧୩ଟି ୱାର୍ଡ ରହିଛି। ୧୩ ୱାର୍ଡରେ ବସବାସ କରୁଥିବା ପେନସନ ହିତାଧିକାରୀ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥିବା ଅଭିଯୋଗ ହେଇଛି I ମଙ୍ଗଳବାର ଦିନ ମାସିକ ପେନସନ ପାଇଁ ହିତାଧୂକାରୀ ବିଜୁ କଲ୍ୟାଣ ମଣ୍ଡପରେ ଖରାରେ ଛିଡ଼ା ହେଇ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଥିଲା | ସେମାନଙ୍କ ପାଇଁ ସାଧାରଣତଃ ପିଇବା ପାଣିର ବ୍ୟବସ୍ଥା ମଧ୍ୟ ହୋଇ ନ ଥିଲା I ରାସ୍ତାରେ ଯିବା ଲୋକଙ୍କୁ ପେନସନ ଓ ଭତ୍ତା ପାଇଁ ଆସିଥିବା ବୃଦ୍ଧବୃଦ୍ଧା ପାଣି ମାଗିବା ଦୃଶ୍ୟ ଭାରିବିକଳଦୟକ ଥିଲା । ଏନେଇ କାଶୀନଗର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପଚାରିଲେ, ସନ୍ତୋଷଜନକ ଉତ୍ତର ଦେଇ ନ ଥିଲେ | ଉକ୍ତ ଘଟଣା ବିଷୟରେ ଅବଗତ କରି ତାଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ପାଣିର ବ୍ୟବସ୍ଥାକରାଯିବ ବୋଲି କହିଛନ୍ତି । ଏହାପୂର୍ବରୁ ଉକ୍ତ ଘଟଣାକୁ ନେଇ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବି ଏନଏସି କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଇ ନ ଥିବା ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏନଏସି କର୍ମଚାରୀବା ଅଧିକାରୀ ଏସି ଓ ପଙ୍ଖା ତଳେ ରହିବା ଦ୍ବାରା ବାହାରେ ଛିଡ଼ା ହୋଇ ଭତ୍ତା ନେଉଥିବା ବୃଦ୍ଧଙ୍କ ହଇରାଣ ହରକତ ବିଷୟରେ ଜାଣି ପାରୁନାହାନ୍ତି ବୋଲି ଅଭିଯୋଗ ହୋଇଛି। ସରକାର ଜନସାଧାରଣଙ୍କ ସୁବିଧା ସହଯୋଗ ପାଇ ସରକାରୀ କାର୍ଯ୍ୟାଳୟ ରହିଥିବା ବେଳେ କିନ୍ତୁ ଏଥିରେ କାର୍ଯ୍ୟରତ କର୍ମଚାରୀ ବା ଅଧିକାରୀ ନିଜ ସୁବିଧା ପାଇ ଲୋକଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଉନଥ୍ବା ଦେଖୁବାକୁ ମିଳିଛି I ପ୍ରତ୍ୟେକ ୱାର୍ଡର ସତନ୍ତ୍ର ଭାବେ ଜନସାଧାରଣଙ୍କୁ ସରକାରୀ ଯୋଜନା ଓ ମୌଳିକ ସୁବିଧାର ତଦାରଖ ପାଇଁ ୱାର୍ଡ ସଭ୍ୟ ରହିବା କଥା ହେଲେ ସୂଚନା ମୁତାବକ ଦୁଇ ବର୍ଷେ ପୂର୍ବରୁ ୱାର୍ଡ ଅଫସର ଚୟନ ପ୍ରକ୍ରିୟା ହେଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ନିଯୁକ୍ତି ହୋଇନାହିଁ I ସେମାନେ ନିଯୁକ୍ତି ପାଇଲେ ପେନସନ ବଣ୍ଟନ ସହ ସମସ୍ତ ସରକାରୀ ମୌଳିକ ସୁବିଧା ହେଇପାରିବ ବୋଲି କୁହାଯାଉଛି। ଜନସାଧାରଣ ବିଶେଷ କରି ବରିଷ୍ଠ ବ୍ୟକ୍ତିଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଉ ନ ଥିବା ସରକାରୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହେଉଛି।


