କିଶାନ୍ ମଜଦୁର୍ ସଭାର ଶେରଗଡ ତହସିଲ କାର୍ଯ୍ୟାଳୟ ଘେରାଉ

ଶେରଗଡ, (ବିଭୁ ପ୍ରସାଦ ଦାସ) :-ଭୂମିହୀନଙ୍କୁ ଜମି, ଘରଡିହ ପଟ୍ଟା, ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା, ମନରେଗାରେ ଦୁଇ ଶହ ଦିନ କାମ, ସର୍ବନିମ୍ନ ମଜୁରୀ, ବନ୍ଦ ହୋଇଥିବା ସରକାରୀ ସ୍କୁଲଗୁଡିକୁ ପୁନଃ ଖୋଲିବା ଆଦି ଦାବିରେ ଅଖିଳ ଭାରତ କିଶାନ୍ ମଜଦୁର୍ ସଭା ପକ୍ଷରୁ ଆଜି ଶେରଗଡ ତହସିଲ ଓ ବ୍ଳକ୍ ସମ୍ମୁଖରେ ଏକ ବିଶାଳ ଗଣ ବିକ୍ଷୋଭ ଓ ଘେରାଉ ଅନୁଷ୍ଠିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ସ୍ଥାନୀୟ ହାଟବନ୍ଧ ଠାରୁ ବ୍ଲକ ଯାଏଁ ବିଭିନ୍ନ ଗାଁରୁ ଆସିଥିବା ଶହ ଶହ ଚାଷୀ, ଭାଗଚାଷୀ, ଆଦିବାସୀ ନିଜ ନିଜର ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହିତ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ପ୍ରଥମେ ତହସିଲ ଓ ପରେ ବ୍ଳକ୍ ଅଫିସରେ ପହଂଚିଥିଲେ । ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ବିକ୍ଷୋଭରେ ଉଦବୋଧନ ଦେଇ କହିଥିଲେ ଯେ ଦୀପ ତଳ ଅନ୍ଧାର ପରି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଗରିବ ଚାଷୀ, ମୂଲିଆ ଓ ଆଦିବାସୀମାନେ ହିଁ ନିଜର ଜମି ଓ ଜଙ୍ଗଲ ଅଧିକାରରୁ ବଂଚିତ ରହିଛନ୍ତି । ବାରମ୍ବାର ଦାବି କଲେ ବି ଭୂମିହୀନ ଓ ଗୃହହୀନ ଲୋକଙ୍କୁ ଜମି ପଟ୍ଟା ମିଳୁନଥିବା ବେଳେ ଜଙ୍ଗଲ ଜମିରେ ବର୍ଷ ବର୍ଷ ଧରି ଚାଷ ଓ ବାସ କରି ଆସୁଥିବା ଆଦିବାସୀମାନେ ଜଙ୍ଗଲ ଅଧିକାର ପଟ୍ଟା ପାଇପାରୁ ନାହାନ୍ତି । ଗତ ୨୨ ବର୍ଷର ବିଜେଡି ଶାସନ କାଳରେ ରାସ୍ତାଘାଟ ତ ଚକାଚକ୍ ହୋଇଛି, କିନ୍ତୁ ଶେରଗଡ ବ୍ଳକର ଗରିବ ଲୋକଙ୍କ ଆର୍ଥିକ ସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନାହିଁ । ଅନେକ ଗାଁ ପିଇବା ପାଣି ଓ ବିଦ୍ୟୁତ୍ ପରି ମୌଳିକ ସୁବିଧା ପାଇବାରୁ ବଞ୍ଚିତ ରହିଛନ୍ତି । ଏହି ଅବସରରେ ଆସନ୍ତା ପନ୍ଦର ଦିନ ମଧ୍ୟରେ ଏ ଦିଗରେ କାର୍ଯ୍ୟ ଆରମ୍ଭ ନହେଲେ ଲୋକେ ଅନିର୍ଦ୍ଦିଷ୍ଟ କାଳ ପାଇଁ ତହସିଲ କାର୍ଯ୍ୟାଳୟ ଘେରାଉ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦିଆଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏ ଆଇ କେ ଏମ ଏସ ର ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ବ୍ଳକ୍ ସଭାପତି ଏଜିକଲ୍ ଗମାଙ୍ଗ, ସମ୍ପାଦକ ରୋହିତ ଗୌଡ, ସନିଆ ମଳିକ, ଥୋମାସ୍ ଗମାଙ୍ଗ, ବିଦେଶୀ ମଳିକ, ନିରଞ୍ଜନ ଦାସ, ସୁରେଶ ନାୟକ, ପଞ୍ଚୁ ମଳିକ, ସୁମା ଗମାଙ୍ଗ, ଏସୋ ଦଳବେହେରା ଏବଂ ଶ୍ରମିକ ସଂଗଠନ ଆଇଏଫଟିୟୁର ନେତା ପ୍ରତାପ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ତହସିଲଦାର ଆସନ୍ତା ମାସ ପ୍ରଥମ ସପ୍ତାହରୁ ରାଜସ୍ବ ଅଧିକାରୀମାନେ ଗାଁକୁ ଯାଇ ପଟ୍ଟା ଦେବାର ପ୍ରକ୍ରିୟାକୁ ଆରମ୍ଭ କରିବେ ବୋଲି କହିବାରୁ ବିକ୍ଷୋଭ ସମାପ୍ତି ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ