କେନ୍ଦ୍ରାପଡାରେ କ୍ଷୁଦ୍ର ନିଯୁକ୍ତି ମେଳା ଅନୁଷ୍ଠିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଶନିବାର ଗୁଲନଗର ଉଚ୍ଚ ବିଦ୍ୟାଳୟ ପରିସରରେ କ୍ଷୁଦ୍ର ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ନିଯୁକ୍ତି ମେଳାରେ ୧୦ଟି ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ଯଥା ସୁରକ୍ଷା ଇଣ୍ଟିଗ୍ରେଟେଡ, ଅନୁଦୀପ ଫାଉଣ୍ଡେସନ, ମେଡ ପ୍ଲସ, କ୍ୟୁ. ଏସ.କ୍ରପସ, ଏସ.ବି.ଆଇ. ଲାଇଫ ଇନସୁରାନ୍ସ କ୍ୟାରିଅର, ଆଇ.ଆଇ. ଏଫ.ଏଲ., ଏସ.ଆଇ.ଏସ. ସିକ୍ୟୁରିଟି ଏବଂ ଆମଧାନୀ ଗ୍ରୁପ ଭାଗ ନେଇଥିଲେ । ତାଲିମ ପ୍ରଦାନ ଏବଂ ଏହାପରେ ନିଯୁକ୍ତି ନିମନ୍ତେ ୫ଗୋଟି ଓଡିଶା ସରକାରଙ୍କ ସହ ଚୁକ୍ତି କରିଥିବା ସଂସ୍ଥା ଯଥା ସିପେଟ, ପାରାଦୀପ, ଗ୍ରାମ ତରଙ୍ଗ, ଆଇ ସେଟ୍ ଏବଂ ୱାଜିର ଆଡଭାଇଜର ଏହି ମେଳାରେ ଭାଗ ନେଇଥିଲେ । ଏହି ମେଳାରେ ସମୁଦାୟ ୩୪୫ ଜଣ ଯୁବକ/ଯୁବତୀ ଅଂଶଗ୍ରହଣ କରିଥିଲେ । ୧୩୫ଜଣ ଚାକିରୀ ନିମନ୍ତେ ମନୋନିତ ହୋଇଥିବା ବେଳେ ୧୫୦ଜଣ ତାଲିମ ନିମନ୍ତେ ମନୋନିତ ହୋଇଥିଲେ । ଏହି ନିଯୁକ୍ତି ମେଳାରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଓରମାସର ଉପମୁଖ୍ୟ କାର୍ଯ୍ୟନିର୍ବାହୀ ନିରୋଧ କୁମାର ଜେନା, ସରକାରୀ ପଲିଟେକନିକର ଟ୍ରେନିଂ ଅଫିସର, ଗୁଲନଗର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ରହି ଯୁବକ/ଯୁବତୀମାନଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲା ନିୟୋଜନ ଅଧିକାରୀ ଘନଶ୍ୟାମ ସା ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଏହି ମେଳାକୁ ପରିଚାଳନା କରିଥିଲେ ।


