କେନ୍ଦ୍ରାପଡା ଜିଲ୍ଲାର ପଂଚମ ଯୋଜନା କମିଟି ବୈଠକ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ବୁଧବାର ପୂର୍ବାହ୍ନରେ କେନ୍ଦ୍ରାପଡା ଜିଲ୍ଲା ଯୋଜନା କମିଟି ବୈଠକ ଅଧ୍ୟକ୍ଷ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଟିତ ହୋଇଥିଲା । ମନ୍ତ୍ରୀ ଶ୍ରୀ ସ୍ୱାଇଁ ତାଙ୍କ ଉଦବୋଧନରେ ଦେଶର ବର୍ତ୍ତମାନ ଆର୍ଥିକ ମାନ୍ଦା ଅବସ୍ଥା କଥା ଉଠାଇ କେନ୍ଦ୍ର ସରକାର ରାଜ୍ୟକୁ ପ୍ରଦାନ କରୁଥିବା ଅର୍ଥ ପରିମାଣ କମେଇ ଦେଇଥିବାରୁ ରାଜ୍ୟରେ ପ୍ରଭାବ ପଡିବ ବୋଲି ପ୍ରକାଶ କରିଥିଲେ । ରାଜ୍ୟରେ ଜନଗଣନା କାର୍ଯ୍ୟ ୨୦୨୧ରେ ଆରମ୍ଭ ହେବାକୁ ଥିବା ବେଳେ ପାଇଲଟ ପ୍ରୋଜେକ୍ଟ କାର୍ଯ୍ୟ ଆରମ୍ଭ ହୋଇଥିବା ପ୍ରକାଶ କରିଥିଲେ । ପାଂଚ ହଜାରରୁ ଅଧିକ ଜନସଂଖ୍ୟା ଥିବା ଗ୍ରାମ ସହରାଚଂଳରେ ପରିଣତ ହେବ । ଜିଲ୍ଲାରେ ଥିବା ସଂଖ୍ୟାଲଘୁ, ଗରୀବ, ଦଳିତ ସଂଖ୍ୟା ଅଧିକ ଥିବାରୁ ସେମାନଙ୍କର ବିକାଶ କଥା ଚିନ୍ତା କରାଯିବାକୁ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ଆଳି ବିଧାୟକ ପ୍ରତାପକେଶରୀ ଦେବ, ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ପ୍ରମୁଖ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜିଲ୍ଲାରେ ଗମନାଗମନର ବିକାଶ ହୋଇନଥିବାରୁ ଏକ ପର୍ଯ୍ୟଟନ ରାସ୍ତା ପାରାଦୀପରୁ ମହାକାଳପଡା, ରାଜନଗର, ଚାନ୍ଦବାଲି ଦେଇ ଧାମରା ବନ୍ଦର ନିକଟକୁ କରାଯିବାକୁ ପ୍ରସ୍ତାବ ଦିଆଯାଇଥିଲା । ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା , କୃଷି ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା , କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟରେ ପରିଣତ କରିବା, ମହାକାଳପଡାରେ ନଦୀ ଭିତ୍ତିକ ବନ୍ଦର ପ୍ରତିଷ୍ଠା କରିବା ଓ ପ୍ଲାଷ୍ଟିକ କାରଖାନା ପ୍ରତିଷ୍ଠା କରାଯିବା ନିମନ୍ତେ ପ୍ରସ୍ତାବ ଦିଆଯାଇଥିଲା । ସେହିଭଳି ସମସ୍ତ ବ୍ଲକରେ ଶୀତଳ ଭଣ୍ଡାର, ଝୋଟ କାରଖାନା, ବିଭିନ୍ନ ନଦୀ ଓ କେନାଲରେ ସେତୁ ନିର୍ମାଣ, ଜଳସେଚନନ ପାଇଁ ବିଭିନ୍ନ ନଦୀରେ ଆନିକଟ ନିର୍ମାଣ, ଭିତରକନିକାର ବିକାଶ, ୧୫୦ବର୍ଷର ପୁରାତନ କେନ୍ଦ୍ରାପଡା ପୈାରସଂସ୍ଥାର ପୂର୍ତ୍ତ ପାଳନ, ଗୋବରୀ ନଦୀ ଓ କେନାଲର ଉନ୍ନତି କରଣ, ଜଗତସିଂପୁର ଶାରଳା ମନ୍ଦିର, କେନ୍ଦ୍ରାପଡାର ଶ୍ରୀ ବଳଦେବଜୀଉ ମନ୍ଦିର ଓ ଯାଜପୁରର ବିରଜା ମନ୍ଦିରକୁ ଯୋଡି ପର୍ଯ୍ୟଟନ ବଳୟ ସୃଷ୍ଟି କରିବାକୁ ସଦସ୍ୟ ଗଣେଶ୍ୱର ସାମଲ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଚାଷୀ ଧାନ ବିକ୍ରୟର ଟୋକନ ବ୍ୟବସ୍ଥା, ପ୍ରତି ବ୍ଲକରେ ସରକାରଙ୍କ ପକ୍ଷରୁ ବଡ ପୋଖରୀ କରାଯାଇ ମାଛଚାଷ, ଉଦ୍ୟାନ ବିଭାଗ ପକ୍ଷରୁ ଫଳଚାଷ, ଚିତ୍ରୋତ୍ପଳା ନଦୀର କେନାଲ ନିର୍ମାଣରେ ତ୍ୱରିତ କାର୍ଯ୍ୟ, ଜି.ଜି.ୱାଇ., କ୍ରୀଟିକାଲ ଫଣ୍ଡ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା ବିଭାଗ ଉପନିର୍ଦେଶକ ଚଳିତ ବର୍ଷ ପାଇଁ ପ୍ରସ୍ତୁତ ଜିଲ୍ଲାର ଯୋଜନାକୁ ଉପସ୍ଥାପନ କରିଥିଲେ ଓ ଅଧ୍ୟକ୍ଷ ଏହାକୁ ଅନୁମୋଦନ କରିଥିଲେ । ଏହି ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ପାଟକୁରା ବିଧାୟୀକାଙ୍କ ପ୍ରତିନିଧି ସଞ୍ଜୟ ଅଗ୍ରୱାଲ, ରାଜନଗର ବନଖଣ୍ଡ ଅଧିକାରୀ, ଯୋଜନା କମିଟି ଉପାଧ୍ୟକ୍ଷା ସବିତା ସେଠୀ ପ୍ରମୁଖ ମଂଚାସୀନ ଥିବା ବେଳେ କମିଟି ସଦସ୍ୟ/ସଦସ୍ୟା, ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ, ଲାଇନଡିପେ।।ର୍ଟମେଂଟର ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।


