ଜାତୀୟ କୃମିନାଶ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରସ୍ଥ ଜିଲ୍ଲା ତାଲିମ କେନ୍ଦ୍ରଠାରେ ଜାତୀୟ କୃମିନାଶ ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ବାନାର୍ଜୀ ପ୍ରସାଦ ଛୋଟରାୟଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଦିନ ଅନୁଷ୍ଠିତ ଏହି ବୈଠକରେ ଆସନ୍ତା ଫେବୃଆରୀ ୧୦ ତାରିଖ ଦିନ ପାଳିତ ହେବାକୁ ଜିଲ୍ଲାସ୍ତରୀୟ ଜାତୀୟ କୃମିନାଶ ଦିବସର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା । ସେହିଦିନ ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ସ୍କୁଲ, କଲେଜ ଏବଂ ଅଙ୍ଗନବାଡି କେନ୍ଦ୍ରମାନଙ୍କରେ ୧ରୁ ୧୯ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ କୃମିନାଶକ ଔଷଧ ଦିଆଯିବ । କୃମି ଯୋଗୁଁ ଶିଶୁ ରକ୍ତହୀନତା ଏବଂ ଅପପୁଷ୍ଟି ଜନିତ ରୋଗରେ ସଂକ୍ରମିତ ହେଉଥିବା ବେଳେ ତାର ଶାରୀରିକ ଓ ମାନସିକ ବିକାଶ ବାଧାପ୍ରାପ୍ତ ହୋଇଥାଏ । ତେଣୁ ସମସ୍ତ ଶିଶୁଙ୍କୁ କୃମିନାଶକ ଔଷଧ ଯେପରି ଦିଆଯାଇପାରିବ, ସେଥିନିମନ୍ତେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ବିଶେଷ କରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ସ୍କୁଲ ଓ ଗଣଶିକ୍ଷା ଏବଂ ମହିଳା ଓ ଶିଶୁ ବିକାଶ ଭଳି ବିଭାଗର ଅଧିକାରୀମାନେ ଏଥିନିମନ୍ତେ ଯତ୍ନବାନ ହେବା ସହ ପରସ୍ପର ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ବୈଠକରେ ମତପ୍ରକାଶ ପାଇଥିଲା । ୧ବର୍ଷରୁ ୫ ବର୍ଷ ବୟସ ମଧ୍ୟରେ ଥିବା ଶିଶୁମାନଙ୍କୁ କୃମିନାଶକ ସିରପ ଦିଆଯିବାକୁ ଥିବା ବେଳେ ୬ ବର୍ଷରୁ ୧୯ ବର୍ଷ ମଧ୍ୟରେ ଥିବା ପିଲାଙ୍କୁ କୃମିନାଶକ ବଟିକା ପ୍ରଦାନ କରାଯିବ । ଜିଲ୍ଲାରେ ମୋଟ ୬ ଲକ୍ଷ ୨୪ହଜାର ୩୬୬ଜଣ ପିଲାଙ୍କୁ କୃମିନାଶକ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ କୌଣସି କାରଣରୁ ଏଥିରୁ ବଂଚିତ ହୋଇଥିବା ପିଲାମାନଙ୍କୁ ଫେବୃଆରୀ ୧୭ ତାରିଖ ଦିନ ଏକ ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ କୃମିନାଶକ ଔଷଧ ପ୍ରଦାନ କରାଯିବ । ଏଥି ନିମନ୍ତେ ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରରେ ଯଥେଷ୍ଟ ମାତ୍ରାରେ କୃମିନାଶକ ଔଷଧ ମହଜୁଦ ରଖିବାକୁ ପରାମର୍ଶ ଦିଆଯାଇଛି । ଏତଦ୍ ବ୍ୟତୀତ ନିଜ ପରିବେଶକୁ ନିର୍ମଳ ରଖିବା, ବାହାରେ ମଳତ୍ୟାଗ ନ କରିବା, ଫଳ ଓ ପନିପରିବାକୁ ସଫା ପାଣିରେ ଧୋଇବା, ନଖ ପରିଷ୍କାର ରଖିବା ଏବଂ ଖାଇବା ପୂର୍ବରୁ ଓ ଶୌଚ ପରେ ହାତ ଧୋଇବା ପାଇଁ ସଚେତନତା ସୃଷ୍ଟି କରିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଶଶାଙ୍କ ଶେଖର ଚୌଧୁରୀ, ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପ୍ରମୋଦ କୁମାର ଷଡଙ୍ଗୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କରୁଣାମାଳା ମିଶ୍ର, ସୂଚନା ଓ ଲୋକସଂପର୍କ ଅଧିକାରୀ ଦୀପକ ସାହୁ ପ୍ରମୁଖ ଏହି ବୈଠକରେ ମଂଚାସୀନ ଥିବା ବେଳେ ଆର.ସି.ଏଚ. ଡେପୁଟୀ ମ୍ୟାନେଜର ଏଲିନା ସାମଲ ଏ ସମ୍ପର୍କିତ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ । ଡି.ପି.ଏମ. ଶ୍ରୀ ଅନୀଲ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।


