କେନ୍ଦ୍ରାପଡା ପଂଚମ ଜିଲ୍ଲା ପରିଷଦର ଷଷ୍ଠ ସାଧାରଣ ବୈଠକ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦ୍ରାପଡା ପଂଚମ ଜିଲ୍ଲା ପରିଷଦର ୬ଷ୍ଠ ସାଧାରଣ ବୈଠକ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ବୁଧବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା, ରାଜନଗର ବିଧାୟକ ଧୃବ ଚରଣ ସାହୁ, ଜିଲ୍ଲାପାଳ ସମର୍ଥ ବର୍ମା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲିପ କୁମାର ପରିଡା, ଜିଲ୍ଲା ପରିଷଦ ଉପସଭାପତି ସୁମିତ୍ରା ସାହୁ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଗତ ବୈଠକର ବିବରଣୀ ଆଲୋଚନା କରାଯାଇ ଦୃଢିକରଣ କରାଯାଇଥିଲା । କାଳିଆ ଯୋଜନା ହିତାଧିକାରୀଙ୍କ ପ୍ରାପ୍ୟ ପ୍ରଦାନ, ଚିତ୍ରୋତ୍ପଳା ନଦୀ ପାଶ୍ୱର୍ରେ କେନାଲ ବନ୍ଧ ନିର୍ମାଣ ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ , କାଳିଆ ଯୋଜନାରେ ଜିଲ୍ଲାରେ ୪ ଲକ୍ଷ ୩ ଶହ ହିତାଧିକାରୀଙ୍କ ମଧ୍ୟରୁ ୨ ଲକ୍ଷ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯାଇଥିବା , ୬୮ ହଜାର ଦରଖାସ୍ତକାରୀଙ୍କୁ ଅଯୋଗ୍ୟ ଭାବେ ଚିହ୍ନଟ କରାଯାଇଛି ବୋଲି କୃଷି ଉପନିର୍ଦ୍ଦେଶକ ସୂଚନା ପ୍ରଦାନ କରିଥିଲେ । ଗ୍ରାମ୍ୟ ଉନ୍ନୟନ ବିଭାଗର ମନରେଗା କାର୍ଯ୍ୟ ଓ ଶ୍ରମଦିବସ ସୃଷ୍ଟି ସଂପର୍କରେ ସମୀକ୍ଷା ଓ ପ୍ରାପ୍ୟ ପ୍ରଦାନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ରାଜକନିକା ମହାବିଦ୍ୟାଳୟ ନିକଟରେ କଟକ-ଚାନ୍ଦବାଲି ରାସ୍ତାର ଜଳ ନିଷ୍କାସନ ପାଇଁ ୭୫ ଲକ୍ଷ ଟଙ୍କା ବ୍ୟୟ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସେହିପରି ବଗିଚା ସାହି ରାସ୍ତା ନିର୍ମାଣ, କାଡାନାଳର ଉନ୍ନତି କରଣ, ଗୋବରୀ କେନାଲ ଉନ୍ନତି କରଣ ପାଇଁ ୨୨ କୋଟି ଟଙ୍କାର ଅନୁମୋଦନ ହୋଇଛି । ଏଥି ସହିତ ସାନ୍ତସାହି – ଗଣ୍ଡାଖିଆ କେନାଲ ବନ୍ଧ ରାସ୍ତାର ଉନ୍ନତି କରଣ, ନେଉଲପୁର ରାସ୍ତାର ବନ୍ଧ ନିର୍ମାଣ ବାଲିଆ ସ୍ୱାସ୍ଥ୍ୟ କେନ୍ଦ୍ରର ଜବରଦଖଲ ହଟାଇବା, ଦୁହୁରିଆ ଆପ୍ରୋଚ ରାସ୍ତାର ମରାମତି, ଗୁଲ ନଗର ଆରଡି ରାସ୍ତା ନିର୍ମାଣ ସମ୍ପର୍କରେ ଆଲୋଚନା କରାଯାଇଥିଲା । କାଡାନାଳ ଗୁଡିକର ଉନ୍ନତି କରଣ କାର୍ଯ୍ୟ ଠିକ ଭାବରେ ହେଉନଥିବା ସମ୍ପର୍କରେ ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ଅଭିଯୋଗ କରି ସେଗୁଡିକ ଜଳସେଚନ ବିଭାଗ ଦ୍ୱାରା ତଦାରଖ କରାଯିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ । ମୋ ସରକାର ଓ ୫-ଟି ସଂପର୍କରେ ସୂଚନା ଦେଇ ଲୋକଙ୍କ ପାଖରେ ସରକାରଙ୍କର ସଫଳତା ପହଁଚାଇବା ଓ ଦୁର୍ନିତି ମୁକ୍ତ ଭାବେ ସମସ୍ତ କାର୍ଯ୍ୟ ସଂପାଦନ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲାପାଳ ଜିଲ୍ଲା ପରିଷଦ ସଭ୍ୟସଭ୍ୟାମାନଙ୍କୁ ଅଙ୍ଗନବାଡି କେନ୍ଦ୍ର ଗୁଡିକର ଉନ୍ନତି କରଣ ପାଇଁ ଜିଲ୍ଲାପରିଷଦ ପାଣ୍ଠିରୁ ଅର୍ଥ ପ୍ରଦାନ ପାଇଁ ପରାମର୍ଶ ଦେଇଥିଲେ । ଭିତରକନିକା ପର୍ଯ୍ୟଟନ କ୍ଷେତ୍ରର ବିକାଶ, ମହାକାଳପଡାରେ ବନ୍ଦର ପ୍ରତିଷ୍ଠା ,ଜିଲ୍ଲାର ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମସ୍ଥାନକୁ ବିକଶିତ କରିବା ଓ ଜିଲ୍ଲାରେ ଏକ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା କରାଯିବାକୁ ରାଜ୍ୟ ସରକାର ନିଷ୍ପତି ନେଇଥିବା ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ବର୍ମା ସୂଚନା ପ୍ରଦାନ କରିଥିଲେ । ଏହି ବୈଠକରେ ପାଟକୁରା ବିଧାୟିକାଙ୍କ ପ୍ରତିନିଧି ସଂଜୟ ଅଗ୍ରୱାଲ, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ଡେରାବିଶ ବ୍ଲକ ଅଧ୍ୟକ୍ଷ ସରୋଜ କୁମାର ସାହୁଙ୍କ ସହିତ ଜିଲ୍ଲାର ସମସ୍ତ ବ୍ଲକର ଅଧ୍ୟକ୍ଷ,ଅଧ୍ୟକ୍ଷା, ଜିଲ୍ଲା ପରିଷଦ ସଭ୍ୟା,ସଭ୍ୟ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ