କେନ୍ଦ୍ରାପଡା ପଂଚାୟତ ସମିତିର ୭ମ ସାଧାରଣ ବୈଠକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ପଂଚାୟତ ସମିତିର ସପ୍ତମ ସାଧାରଣ ବୈଠକ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷ ଶିବ ପ୍ରସାଦ ଭଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା,ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା,ଉପାଧ୍ୟକ୍ଷ ସ୍ନେହଲତା ପ୍ରଧାନ,ସାଂସଦଙ୍କ ପ୍ରତିନିଧି ଆଲୋକ ସାହୁ ଓ ବିଡିଓ ଅଶ୍ୱିନୀ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ କୃଷି ଓ ଜଳସେଚନ ବ୍ୟବସ୍ଥା ଉପରେ ଆଲୋଚନା ଆରମ୍ଭ କରାଯାଇ ଗୋବରୀ କେନାଲକୁ ଚକ୍ରୋଡା ଠାରୁ ଗଣ୍ଡାଖିଆ ପର୍ଯ୍ୟନ୍ତ ଜଳସେଚନ ବିଭାଗ ଦ୍ୱାରା ତୁରନ୍ତ ସଫେଇ କରାଯିବାକୁ ସଂପୃକ୍ତ ବିଭାଗକୁ ନିର୍ଦେଶ ପ୍ରଦାନ କରାଗଲା । ଶିକ୍ଷା ଓ ସ୍ୱାସ୍ଥ୍ୟ ସମ୍ପର୍କରେ ଆଲୋଚନା କରାଯିବା ବେଳେ ଶିକ୍ଷା ବିଭାଗର କୈାଣସି ଅଧିକାରୀ ଉପସ୍ଥିତ ନଥିବାରୁ ତାଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ଆଗତ କରାଯାଇଥିଲା । ଇନ୍ଦୁପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀଙ୍କ ବଦଳରେ ଉପସ୍ଥିତ ଥିବା ସଂପୃକ୍ତ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ କୈାଣସି ପଶ୍ନର ଉତ୍ତର ଦେଇପାରିନଥିଲେ । ଆୟବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ମିଳୁନଥିବା ଓ ସେଠାରେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟକର୍ମୀ ରହୁନଥିବା ଅଭିଯୋଗ ଆସିଥିଲା । ଆୟବା +୨ସରକାରୀ ବିଜ୍ଞାନ କଲେଜରେ ପାଚେରୀ ନିର୍ମାଣ ସହ ସାଇକେଲ ଷ୍ଟାଣ୍ଡ ନିର୍ମାଣ ପାଇଁ ବିଧାୟକଙ୍କ ନିକଟରେ ଦାବୀ ଉପସ୍ଥାପନ କରାଯାଇଥିଲା । ଶିକ୍ଷା ବିଭାଗ ଅଧିନ କେତେକ ବିଦ୍ୟାଳୟରେ ବିଗତ ମହାବାତ୍ୟା ପରେ ନିର୍ମାଣ ହୋଇଥିବା ବାତ୍ୟା ଆଶ୍ରୟସ୍ଥଳି ଗୁଡିକ ଅସୁରକ୍ଷିତ ହୋଇପଡିଥିବାରୁ ସେଗୁଡିକ ତୁରନ୍ତ ଭାଙ୍ଗିଦିଆଯିବାକୁ ପ୍ରସ୍ତାବ ଆସିଥିଲା । ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା) ଅଧିନରେ ଚଳିତବର୍ଷ ପାଇଁ ୨ଲକ୍ଷ ୬୩ହଜାର କାର୍ଯ୍ୟ ଦିବସ ଧାର୍ଯ୍ୟ ଲକ୍ଷ୍ୟ ଥିବା ବେଳେ ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨ଲକ୍ଷ ୪ହଜାର ଅର୍ଥାତ ୬୦ ପ୍ରତିଶତ ହାସଲ ହୋଇଥିବା ସୂଚନା ଦିଆଯାଇଥିଲା । ମୋଟ ୪୫୧ଟି ପ୍ରକଳ୍ପ ମଧ୍ୟରୁ ୨୫୧ଟି ପ୍ରକଳ୍ପ ୬କୋଟି ୨୬ଲକ୍ଷ ଟଙ୍କା ବ୍ୟୟରେ କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ ୨୯ଟି ପ୍ରକଳ୍ପର କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିବା ସୂଚନା ମିଳିଛି । ମନରେଗା ଯୋଜନାରେ ଉଦ୍ୟାନ କୃଷି ଓ ବନ ବିଭାଗ ଦ୍ୱାରା ହୋଇଥିବା ବନିକରଣରେ ଗୋଟିଏବି ଗଛ ବଂଚିନଥିବା ଅଭିଯୋଗ ହୋଇଥିଲା । ଆଗାମୀ ଦିନରେ ମନରେଗା ଯୋଜନାରେ ସମସ୍ତ ଲାଇନ ଡିପାର୍ଟମେଂଟ ବ୍ଲକ ଓ ଗ୍ରାମପଂଚାୟତ ପ୍ରତିନିଧିଙ୍କ ସହ ପରାମର୍ଶ କରି ବନିକରଣ ପ୍ରକଳ୍ପର କାର୍ଯ୍ୟ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ବ୍ଲକ ଅଧିନରେ ଥିବା ୨୬୦ଟି ଅଙ୍ଗନ ୱାଡି କେନ୍ଦ୍ରକୁ ଗୋଟିଏମାତ୍ର ସଂସ୍ଥା ଛତୁଆ ଯୋଗାଣ କରୁଥିବା ଏବଂ ଅତିନିମ୍ନମାନର ଛତୁଆ ଯୋଗାଣ ହେଉଥିବା ଅଭିଯୋଗ ହୋଇଥିଲା । ଇନ୍ଦୁପୁର ପଂଚାୟତର କଲ୍ୟାଣ ମଣ୍ଡପ କାର୍ଯ୍ୟ ଗତ ୨୦୧୬ମସିହାରୁ ଆରମ୍ଭ ହୋଇଥିଲେବି ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇନଥିବା ଅଭିଯୋଗ ହୋଇଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ହୋଇଥିବା ଯୋଗ୍ୟତା ତାଲିକାରୁ ବାଦ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କ ନାମ ସଂଯୋଗ କରିବାକୁ ପ୍ରସ୍ତାବ ଗୃହିତ ହୋଇଥିଲା । ଚତୁର୍ଥ, ଚତୁର୍ଦଶ ଓ ପଂଚଦଶ ଅର୍ଥ କମିଶନଙ୍କ ଅନୁଦାନରେ ଗ୍ରାମପଂଚାୟତର ମୈାଳିକ ସମସ୍ୟାକୁ ପ୍ରାଧାନ୍ୟ ଦିଆଯାଇ ପ୍ରକଳ୍ପ ନିର୍ମାଣ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ରାସନକାର୍ଡ ଓ ଅନ୍ତୋଦ୍ୱୟ ଅନ୍ନପୂର୍ଣ୍ଣା ଯୋଜନାରୁ ବଂଚିତ ହିତାଧିକାରୀଙ୍କୁ ତୁରନ୍ତ କାର୍ଡ ଯୋଗାଇଦେବାକୁ ଦାବୀ କରାଯାଇଥିଲା । ୨ପ୍ରତିଶତ ପିସି ଦେଉନଥିବା ପଂଚାୟତର ପ୍ରକଳ୍ପ ଫାଇଲର ସହକାରୀ ଯନ୍ତ୍ରୀ ବିଲ କାଟିଦେଉଥିବା କିମ୍ବା ବିଲକୁ ହେଲଡଅପ କରିଦେଉଥିବା ଅଭିଯୋଗ ହୋଇଥିଲା । ବ୍ଲକ ଅଧିନରେ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ସରକାରୀ ନୀତି ନିୟମ ଅନୁଯାଇ ହେଉନଥିବା ଅଭିଯୋଗ କରି ପଂଚାୟତ ପ୍ରତିନିଧିମାନେ କ୍ଷୋଭ ପ୍ରକାଶ କରିବା ସହ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବୈଠକରେ କଂସାର ସରପଂଚ ପ୍ରଦ୍ୟୁମ୍ନ କୁମାର ଜେନା, ନରହରି ପାଣି, ଗଗନବିହାରୀ ସାହୁ, ସୀତାସୁନ୍ଦରୀ ମଲ୍ଲିକ, ପୁଷ୍ପଲତା ସେନାପତି, ଗାୟତ୍ରୀ ମହାନ୍ତି, ଧରଣୀଧର ଦାସ, ପିତବାସ ବେହେରା, ସମିତିସଭ୍ୟ ଶିବ ପ୍ରସାଦ ବିଶ୍ୱାଳ, ହେମନ୍ତ କୁମାର ବିଶ୍ୱାଳ, ଧିରେନ୍ଦ୍ର ନାଥ ସ୍ୱାଇଁ, ପ୍ରଶନ୍ନ ରାଉତ ପ୍ରମୁଖ ସରପଂଚ ଓ ସମିତିସଭ୍ୟସଭ୍ୟାମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ