କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ସାକ୍ଷାତ ପାଇଁ ସ୍ବସ୍ତି ସୁନ୍ଦରଙ୍କ ଦିଲ୍ଲୀ ଗ୍ରସ୍ତ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଚାଷୀର ଅର୍ଥନୈତିକ ବିକାଶ ଏକାନ୍ତ ଆବଶ୍ୟକ ଏହି ପ୍ରସଙ୍ଗ ଉପରେ ଅନେକ ଗବେଷଣା, ଅନୁସନ୍ଧାନ,ଆଲୋଚନା, ପର୍ଯ୍ୟାଲୋଚନା ରାଷ୍ଟ୍ରୀୟ କିଷାନ ମଜଦୁର ମହାସଂଘ ଆନୁକୂଲ୍ୟରେ ତଥା ରାଜ୍ୟ ସଭାପତି ସଚିନ ମହାପାତ୍ରଙ୍କ ତତ୍ତ୍ଵାବଧାନରେ ବିଗତ ଦିନ ମାନଙ୍କରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରାଳୟ କୁ ବିଧିବଦ୍ଧ ଭାବେ ଅବଗତ କରାଯାଇ ଆସୁଛି।ଏତଦ୍ ସହ ଚାଷୀର ବିକାଶ ଦିଗରେ ଅର୍ଥକାରୀ ଫସଲ ଆଖୁଚାଷ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଥିଲା ଯାହା ସାମ୍ପ୍ରତିକ ସ୍ଥିତିରେ ଏକ ଆହ୍ୱାନ ଅଟେ l କିଛିଦିନ ତଳେ ସଂଗଠନ ଏହା ଉପରେ ତଥ୍ୟଭିତ୍ତିକ ଯୁକ୍ତି ଉପସ୍ଥାପନା କରିଥିଲା ଏବଂ ଆଖୁଚାଷର ସମସ୍ୟା,ସମାଧାନ,ସର୍ବନିମ୍ନ ସହାୟକ ମୂଲ୍ୟ, ଅନୁସାଙ୍ଗିକ ବ୍ୟବସ୍ଥାର ଉନ୍ନତିକରଣ ଆଦି ବିଭିନ୍ନ ବିଷୟବସ୍ତୁ ବିଭିନ୍ନ ରାଜ୍ୟରୁ ସର୍ବଭାରତୀୟ କୃଷକ ନେତୃତ୍ୱ ଙ୍କ ଗହଣରେ ଦିଲ୍ଲୀ ଠାରେ ଆଗାମୀ ତା ୧୯ ଏବଂ ୨୦ ରିଖରେ ଏକ ଆଲୋଚନା ଚକ୍ର ଏବଂ ବିଭାଗୀୟ ମନ୍ତ୍ରୀ ଓ ସଚିବ ଙ୍କୁ ସାକ୍ଷାତ କରି ଆଖୁଚାଷ ସମସ୍ୟାର ଆଶୁ ସମାଧାନ ସକାଶେ ଅବଗତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛି l ଉକ୍ତ ବୈଠକରେ ଓଡିଶାରୁ ରାଷ୍ଟ୍ରୀୟ କିଷାନ ମଜଦୁର ମହାସଂଘ ର ଗଞ୍ଜାମ ଜିଲ୍ଲା ସଭାପତି ସ୍ବସ୍ତି ସୁନ୍ଦର ସିଅ ପ୍ରତିନିଧତ୍ୱ କରିବାପାଇଁ ଆଗାମୀ ତା ୧୮ ରିଖରେ ଦିଲ୍ଲୀ ଗ୍ରସ୍ତରେ ଯାଉଛନ୍ତି l ଏକଦା ସର୍ବଶ୍ରେଷ୍ଠ ଚିନି ଉତ୍ପାଦନ କରୁଥିବା ଚିନିର ସହର ଆସିକା ତଥା ଅଞ୍ଚଳ ଓ ରାଜ୍ୟ ବର୍ତ୍ତମାନ ଆଖୁଚାଷରେ ନିମ୍ନଗାମୀ ହେଉଛି। ଏହିଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଅର୍ଥକାରୀ ଫସଲ ଆଖୁଚାଷ କୁ ପୁଣିଥରେ ପୁନଃ ପ୍ରତିଷ୍ଠା ପାଇଁ ସଂଗଠନର ଏହି ସକାରାତ୍ମକ ପ୍ରୟାସ କୁ ସବୁ ମହଲରେ ପ୍ରଶଂସା କରାଯାଉଛି l ପ୍ରକାଶ ଥାଉକି ସ୍ବସ୍ତି ସୁନ୍ଦର ବୃତ୍ତିଗତ ଜୀବନରେ ଜଣେ ଔଷଧ ପ୍ରତିନିଧି ଭାବେ ନିୟୋଜିତ ଥିଲେ ହେଁ ରେସ୍ପଣ୍ଡ ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ସାମାଜିକ ଦାୟିତ୍ୱ ପ୍ରତିଟି ମୁହୂର୍ତ୍ତରେ ନିର୍ଵାହ କରନ୍ତି l କୋରୋନାର ଭୟାବହ ସମୟେ ରେସ୍ପଣ୍ଡ ଟ୍ରଷ୍ଟ ଅଞ୍ଚଳ ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତରେ ନିଃଶୁଳ୍କ ଅତ୍ୟାବଶକୀୟ ସେବା ଯୋଗାଇ ପ୍ରିୟ ଭାଜନ ହୋଇ ପାରିଛି l ସ୍ବସ୍ତି ସୁନ୍ଦର ସିଅ ଜଣେ ପ୍ରେରଣାଦାୟୀ ବକ୍ତା,ମଞ୍ଚ ଉପସ୍ଥାପକ ଓ ଆଧ୍ୟାତ୍ମିକ ବକ୍ତା ଭାବେ ଅଞ୍ଚଳରେ ସୁପରିଚିତ l କୃଷି ଓ କୃଷି କ୍ଷେତ୍ରର ସାମଗ୍ରିକ ବିକାଶ ଦିଗରେ ଏହିଭଳି ପଦକ୍ଷେପ ନେଇଥିବା ଉଭୟ ସ୍ବସ୍ତି ସୁନ୍ଦର ସିଅ ଏବଂ ରାଷ୍ଟ୍ରୀୟ କିଷାନ ମଜଦୁର ମହାସଂଘକୁ ସାଧାରଣ ଜନତା, ଅଞ୍ଚଳବାସୀ ତଥା ବୁଦ୍ଧିଜୀବୀ ମହଲରେ ଭୂୟସୀ ପ୍ରଶଂସା କରାଯାଇଛି l


