କେନ୍ଦ୍ର କ୍ୟାବିନେଟ୍‌ ବୈଠକ: ବଡ଼ ବଡ଼ ପ୍ରସ୍ତାବରେ ବାଜିଲା ମୋହର

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ବହୁ ବଡ଼ ବଡ଼ ପ୍ରସ୍ତାବ ଉପରେ ମୋହର ବାଜିଛି। ସହରାଞ୍ଚଳର ପ୍ରବାସୀ ଓ ଗରିବ ଶ୍ରମିକଙ୍କ ପାଇଁ ସୁଲଭ ଭଡ଼ାଘର କମ୍ପ୍ଲେକ୍ସ (ଏଆରଏଚ୍‌ସିଏସ୍‌) ନିର୍ମାଣ ପ୍ରସ୍ତାବକୁ ମଞ୍ଜୁରି ମଳିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳର ଏକ ଉପଯୋଜନା ଭାବେ ଏହା କାର୍ଯ୍ୟକାରୀ ହେବ ଏବଂ ଏହାର ନାମ ରଖାଯିବ ପିଏମ୍‌ଏୱାଇ-ୟୁ।ଏହି ଯୋଜନାରେ ବର୍ତ୍ତମାନ ଖାଲି ପଡ଼ିଥିବା ସମସ୍ତ ସରକାରୀ ଆବାସିକ କମ୍ପ୍ଲେକ୍ସକୁ ଏଆରଏଚସିଏସ୍‌ରେ ପରିଣତ କରାଯିବ। ଏଥିପାଇଁ ୨୫ ବର୍ଷିଆ ରିହାତି ଚୁକ୍ତିର ବ୍ୟବସ୍ଥା ରହିବ। ଚୁକ୍ତି ସ୍ୱାକ୍ଷରକାରୀ ଏସବୁ କମ୍ପ୍ଲେକ୍ସକୁ ମରାମତି ଓ ବାସପୋଯୋଗୀ କରିବେ ତଥା କୋଠରିଗୁଡ଼ିକର ରକ୍ଷାଣାବେକ୍ଷଣ ଦାୟିତ୍ୱ ତୁଲାଇବେ। ଜଳଯୋଗାଣ, ସ୍ୱରେଜ, ପରିମଳ, ରାସ୍ତା ନିର୍ମାଣ ଆଦି କାମ ସଂପୃକ୍ତ କନେ୍‌ସସନାୟର (ସ୍ୱାକ୍ଷରକାରୀ)କୁ ବୁଝିବାକୁ ପଡ଼ିବ। ଏ କ୍ଷେତ୍ରରେ କନେ୍‌ସସନାୟାର କିଏ ହେବ ରାଜ୍ୟ ସରକାର ନିଲାମ ବ୍ୟବସ୍ଥାରେ ତାହା ଚୂଡାନ୍ତ କରିବେ। ୨୫ ବର୍ଷ ପରେ ଏସବୁ ଆବାସିକ କମ୍ପ୍ଲେକ୍ସ ସଂପୃକ୍ତ ନଗର ପ୍ରଶାସନ ଅଧୀନକୁ ଆସିବ ଏବଂ ପୁନର୍ବାର ଆଉ ଏକ ପ୍ରକ୍ରିୟା ଆରମ୍ଭ ହେବ। ଏହି ଏଆରଏଚସିଏସ୍‌ର ବିକାଶ ପାଇଁ ସରକାର ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଯୋଗାଇଦେବେ। ସେଥିମଧ୍ୟରେ ଅନୁମତି, ୫୦ ଶତାଂଶ ଅତିରିକ୍ତ ଏଫ୍‌ଏଆର/ ଏଫ୍‌ଏସ୍‌ଆଇ, ରିହାତି ହାରରେ ଋଣ ଓ ଟିକସ ଆଦି ଅନ୍ତର୍ଭୁକ୍ତ। ଘରୋଇ ଏବଂ ସରକାରୀ ସଂସ୍ଥାମାନେ ଏଥିରେ ଭାଗ ନେଇପାରିବେ ଏବଂ ସେମାନଙ୍କୁ ୨୫ ବର୍ଷ ପାଇଁ ଏସବୁ ସୁବିଧା ସହ ନିଜ ଜମିରେ ମଧ୍ୟ ଏଭଳି ଆବାସିକ କମ୍ପ୍ଲେକ୍ସକୁ ନିର୍ମାଣର ସୁବିଧା ମିଳିବ। ମ୍ୟାନୁଫ୍ୟାକ୍‌ଚରିଂ ଉଦ୍ୟୋଗ, ଆତିଥ୍ୟ କ୍ଷେତ୍ର, ସ୍ୱାସ୍ଥ୍ୟ, ଘରୋଇ ଓ ବ୍ୟାବସାୟିକ ପ୍ରତିଷ୍ଠାନ ତଥା ଅନ୍ୟାନ୍ୟ ନିର୍ମାଣ କ୍ଷେତ୍ର ଶ୍ରମିକ ଏବଂ ଛାତ୍ରଛାତ୍ରୀମାନେ, ଯେଉଁମାନେ ଗ୍ରାମାଞ୍ଚଳରୁ ସହରକୁ ଆସୁଛନ୍ତି, ସେମାନଙ୍କ ଆବାସିକ ଆବଶ୍ୟକତା ପୂରଣ ପାଇଁ ଏହି ଯୋଜନା ଉଦ୍ଦିଷ୍ଟ। ଏଥିପାଇଁ ଟେକ୍ନୋଲଜି ଇନୋଭେସନ ଗ୍ରାଣ୍ଟ ଆକାରରେ ୬୦୦ କୋଟି ଟଙ୍କାର ବ୍ୟୟ ଆକଳନ କରାଯାଇଛି। ଏହି ଅର୍ଥ ପ୍ରକଳ୍ପର ସ୍ଥାନ ନିରୂପଣ ଏବଂ ଆବଶ୍ୟକ ଜ୍ଞାନକୌଶଳ ବ୍ୟବହାର ପାଇଁ ଖର୍ଚ୍ଚ ହେବ। ଏଆରଏଚସିଏସ ଯୋଜନାରେ ପ୍ରାରମ୍ଭିକ ଭାବେ ୩ ଲକ୍ଷ ଲୋକଙ୍କୁ ସାମିଲ କରାଯିବ। ଏହାଫଳରେ ସହରାଞ୍ଚଳରେ ଏକ ନୂଆ ପରିବେଶ ସୃଷ୍ଟି ହେବା ସହ ଗ୍ରାମାଞ୍ଚଳରୁ ଆସୁଥିବା ଲୋକଙ୍କୁ ସୁବିଧାରେ ରହିବାର ସୁଯୋଗ ମିଳିପାରିବ। ଏଥିସହ ଏହା କେବଳ ନୂଆ ନିଯୁକ୍ତି ସୃଷ୍ଟି କରିବ ନାହିଁ, ଅଯଥା ଭ୍ରମଣ, ଗହଳି ଓ ପ୍ରଦୂଷଣ ରୋକିବାରେ ମଧ୍ୟ ସହାୟକ ହେବ। ଏହାବାଦ୍‌ ସରକାରୀ ଅର୍ଥରେ ତିଆରି ହୋଇ ବ୍ୟବହୃତ ହୋଇ ନଥିବା ଅନେକ ଆବାସିକ ପ୍ରକଳ୍ପ ଓ ଘରଦ୍ୱାର ଏହି ଯୋଜନା ଫଳରେ ସୁରକ୍ଷିତ ହେବା ସହ ଆର୍ଥିକ ଦୃଷ୍ଟିରୁ ଲାଭଜନକ କାର୍ଯ୍ୟରେ ଲାଗିପାରିବ। ଘରୋଇ ଉଦ୍ୟୋଗ ନିଜ ଜମିରେ ଏଭଳି ଆବାସିକ ପ୍ରକଳ୍ପ ନିର୍ମାଣ କଲେ ସେଥିରେ ପୁଞ୍ଜି ନିବେଶର ସୁଯୋଗ ସୃଷ୍ଟି ହେବା ସହ ନିଯୁକ୍ତି ସୁବିଧା ମଧ୍ୟ ମିଳିବ। ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ଏଆର୍‌ଏଚ୍‌ସିଏସ୍‌ ଯୋଜନାର ପରିକଳ୍ପନା କରି ଏ ଦିଗରେ କାମ ଆରମ୍ଭ କରିଛି। ଚଳିତ ବର୍ଷ ମେ ୧୪ ତାରିଖରେ ପ୍ରଧାନମନ୍ତ୍ରୀ ଏହା ଘୋଷଣା କରିଥିଲେ। ଏହା ଆତ୍ମନିର୍ଭର ଭାରତ ପ୍ୟାକେଜର ଏକ ଅଂଶବିଶେଷ। କରୋନା ମହାମାରୀ ଯୋଗୁଁ ସହରାଞ୍ଚଳରେ କାମ କରୁଥିବା ପ୍ରବାସୀ ଶ୍ରମିକମାନେ ବିପୁଳ ସଂଖ୍ୟାରେ ନିଜ ନିଜ ଭିଟାମାଟିକୁ ଫେରିଯାଇଛନ୍ତି। ସେମାନେ ରୋଜଗାର ପାଇଁ ସହରାଞ୍ଚଳକୁ ଆସିଥିଲେ। ସହରାଞ୍ଚଳରେ ସ୍ଥାନ ଓ ଅର୍ଥାଭାବ ଯୋଗୁଁ ଏସବୁ ଶ୍ରମିକମାନେ ମୁଖ୍ୟତଃ ବେଆଇନ ବସ୍ତି, ଝୁମ୍ପୁଡ଼ି ଏବଂ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ସ୍ଥାନ ଓ ସହର ଉପକଣ୍ଠରେ ବାସ କରିବାକୁ ବାଧ୍ୟ ହେଉଛନ୍ତି। ଏବଂ ସେମାନଙ୍କ ଜୀବନ ବିପନ୍ନ ହେବାର ଭୟ ମଧ୍ୟ ରହୁଛି। ଏସବୁକୁ ଦୃଷ୍ଟିରେ ରଖି ସରକାର ଏହି ପ୍ରୟାସ ଆରମ୍ଭ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ