କେନ୍ଦ୍ର ସରକାରଙ୍କ କୃଷକ ଓ ଶ୍ରମିକ ବିରୋଧୀ ନୀତି ପ୍ରତିବାଦରେ ଦେଶବ୍ୟାପୀ ହରତାଳ

ଭୁବନେଶ୍ୱର(ଓ୍ବାଇଏନ୍ଏସ୍) : ସବ୍‌କା ସାଥ- ସବ୍‌କା ବିକାଶର ସ୍ଲୋଗାନ ଦେଇ କେନ୍ଦ୍ରରେ ସରକାର ଗଠନ କରିଥିବା ନରେନ୍ଦ୍ର ମୋଦୀ ସରକାର ଦେଶରେ ବିଭିନ୍ନ ଜନବିରୋଧି ଆଇନକୁ କାର୍ଯ୍ୟକାରୀ କରାଇ ସାଧାରଣ ମଣିଷର ଜୀବନଯାତ୍ରାକୁ ଦୁର୍ବିଶୟ କରିପକାଇଛନ୍ତି । ଦେଶରେ ପ୍ରଚଳିତ ଶ୍ରମ ଆଇନକୁ ସଂଶୋଧନ କରାଇ କର୍ପୋରେଟ୍ ସ୍ୱାର୍ଥରେ ଆଇନ ପ୍ରଣୟନ କରିଛନ୍ତି । ଯାହା କାର୍ଯ୍ୟକାରୀ ହେବା ଫଳରେ ଶ୍ରମଜୀବି ମଣିଷଙ୍କ କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା ବିପନ୍ନ ହୋଇପଡ଼ିଛି । କଳକାରଖାନାମାନଙ୍କରୁ ବ୍ୟାପକ ଶ୍ରମିକ ଛଟେଇ କରାଯାଉଅଛି । ସାଗ ମାଛ ଦରରେ ଦେଶର ରାଷ୍ଟ୍ରାୟତ ଉଦ୍ୟୋଗଗୁଡ଼ିକୁ ବିକ୍ରି କରିବାରେ ଲାଗିଛନ୍ତି କେନ୍ଦ୍ର ସରକାର । ଅନ୍ୟପଟରେ କୃଷି ଆଇନ-୨୦୨୦, କଂଟ୍ରାକ୍‌୍ଟ ପାର୍ମିଙ୍ଗ ଆକ୍ଟ -୨୦୨୦, ଅତ୍ୟାବଶ୍ୟକୀୟ ସାମଗ୍ରୀ ସଂଶୋଧନ ଆଇନ- ୨୦୨୦ ଏବଂ ବିଦ୍ୟୁତ ବୃଦ୍ଧି ଆଇନ-୨୦୨୦ କୁ ଗତ ସଂସଦ ଅଧିବେଶନ ସମୟରେ ଧ୍ୱନି ମତରେ ପାରିତ କରାଇ ଭାରତ ବର୍ଷରେ ପ୍ରତିଷ୍ଠିତ କୃଷି ଅର୍ଥନୀତିକୁ ସଂପୂର୍ଣ୍ଣ ରୂପେ ଧ୍ୱଂସ କରିଦେବା ପାଇଁ ଯୋଜନା ବଦ୍ଧ ଭାବରେ କେନ୍ଦ୍ର ସରକାର କାର୍ଯ୍ୟକ୍ରମ ଚଳାଇଛନ୍ତି । ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନର ସଂଶୋଧନ ଫଳରେ ଦରଦାମ ଆକାଶଛୁଆଁ ହୋଇଛି । ଆଳୁ, ପିଆଜ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ୫୦ ରୁ ୮୦ଟଙ୍କାରେ ପହଂଚିଲାଣି । ଯାହା ବିରୁଦ୍ଧରେ ଭାରତ ବର୍ଷର ତମାମ କୃଷକ ସଂଗଠନ ଏବଂ ସମସ୍ତ କେନ୍ଦ୍ରୀୟ ଟ୍ରେଡ଼୍ ୟୁନିଅନ୍‌ମାନେ ଆଜି ସର୍ବଭାରତୀୟ ଧର୍ମଘଟର ଡ଼ାକରା ଦେଇଥିଲେ । ଏହି ଧର୍ମଘଟ ବା ହରତାଳକୁ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ, ଏହାର ଶ୍ରମିକ ସଂଗଠନ ଟିୟୁସିସି ଓ କୃଷକ ସଂଗଠନ ଅଗ୍ରଗାମୀ କିଷାନ ସଭା ଆଦି ନେତୃତ୍ୱରେ ସାରା ଓଡ଼ିଶାରେ ସଫଳ କରିବା ପାଇଁ ରାଜ୍ୟ ତାମାମ ପିକେଟିଂ କରାଯାଇଥିଲା । ଆଜି ଭୋର ସମୟ ପ୍ରାୟ ୫ ଘଟିକା ୪୫ ମିନିଟ ସମୟରୁ ଫରୱାର୍ଡ଼ ବ୍ଲକର ରାଜ୍ୟ ସାଧାରଣ ସଂପାଦକ ଜ୍ୟୋତି ରଂଜନ ମହାପାତ୍ର, ଯୁବ ନେତା ନାରାୟଣ ଡ଼ାଳୁଆ, ପ୍ରଦୀପ ଦାସ, ଅଶୋକ କୁମାର ପହୀ, କୃଷକ ନେତା ଅମିନ ଭୋଇ, କପିଳ କାଣ୍ଡି, ଶଚିକାନ୍ତ ନାୟକ ପ୍ରମ୍ମୁଖଙ୍କ ନେତୃତ୍ୱରେ ଭୁବନେଶ୍ୱର ରେଳ ଷ୍ଟେସନରେ ପହଂଚି ରେଳ ରୋକ ଆନ୍ଦୋଳନ ସଂଗଠିତ କରିଥିଲେ । ଫଳରେ ଦୀର୍ଘ ସମୟ ଧରି ଜନଶତାଦ୍ଦି ଏକ୍ସପ୍ରେସ୍‌, ବଲାଙ୍ଗିର ଇଟଂର ସିଟି ସମେତ ମାଲ୍ ପରିବାହି ରେଳ ଗାଡ଼ିଗୁଡ଼ିକ ଅଟିକି ରହିଥିଲା । ପରେ ଭୁବନେଶ୍ୱରର ବିଭିନ୍ନ କେନ୍ଦ୍ର ସରକାରଙ୍କ ଦପ୍ତରଗୁଡ଼ିକ ସମ୍ମୁଖରେ ମଧ୍ୟ ହରତାଳ ସପକ୍ଷରେ ପିକେଟିଙ୍ଗ କରାଯାଇଥିଲା । ମଧ୍ୟାହ୍ନରେ ଫରୱାର୍ଡ଼ ବ୍ଲକ ଏବଂ ଏହାର ଗଣ ସଂଗଠନମାନଙ୍କ ସମେତ ଅନ୍ୟାନ୍ୟ କୃଷକ ସଂଗଠନଗୁଡ଼ିକ ପକ୍ଷରୁ ରାଜମହଲ ଛକରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ମାଷ୍ଟର କ୍ୟାଟିଂନ ଛକ ପର୍ଯ୍ୟନ୍ତ ଯାଇ ସେଠାରେ ଏକ ପ୍ରତିବାଦ ସଭା ସଂଗଠିତ ହୋଇଥିଲା । ଏହି ଅବସରରେ ବକ୍ତବ୍ୟ ରଖି ବକ୍ତାମାନେ କେନ୍ଦ୍ର ସରକାରଙ୍କର ଜନବିରୋଧି ନୀତିର ତୀବ୍ର ସମାଲେଚନା କରିବା ସହ ଜନସାଧାଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ସେଗୁଡ଼ିକୁ ଖାରଜ କରିବା ପାଇଁ ଦାବୀ କରାଯାଇଥିଲା । ଅନୁରୂପ ଭାବରେ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ଫରୱାର୍ଡ଼ ବ୍ଲକ, ଅଗ୍ରଗାମୀ କିଷାନ ସଭା ଏବଂ ଟିୟୁସିସି ପକ୍ଷରୁ ମିଳିତ ଭାବରେ ହରତାଳ ସଂଗଠିତ କରାଯାଇଅଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ