କୋଭିଡ୍‌-୧୯ରେ ସାମିଲ ହେଲା ଆଉ ୩ ନୂଆ ଲକ୍ଷଣ

ନୂଆଦିଲ୍ଲୀ: କୋଭିଡ୍-୧୯ର ଆଉ ତିନୋଟି ନୂଆ ଲକ୍ଷଣ ସାମିଲ କରାଯାଇଛି। ଏହି ନୂତନ ଲକ୍ଷଣ ସବୁ ହେଉଛି ନାସିକା ରୁନ୍ଧି ହେବା ବା ସିଙ୍ଘାଣି ବୋହିବା, ବାନ୍ତି ବାନ୍ତି ଲାଗିବା ଏବଂ ତରଳ ଝାଡ଼ା ହେବା। ଯୁକ୍ତରାଷ୍ଟ୍ର ଆମେରିକାର ଶୀର୍ଷ ସ୍ବାସ୍ଥ୍ୟ ସଂସ୍ଥାନ ‘ଦ ସେଣ୍ଟର୍‌ ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ୍ ପ୍ରିଭେନ୍‌ସନ୍’ (ସିଡିସି) ଏଯାବତ୍ ଏହି ମହାମାରୀ ଭୂତାଣୁ ସଂକ୍ରମଣର ୧୨ଟି ଲକ୍ଷଣ ତାଲିକାଭୁକ୍ତ କରିଥିଲା। ଏବେ ଉପରୋକ୍ତ ୩ଟି ଲକ୍ଷଣ ସାମିଲ କରିଛି। ଏହା ପୂର୍ବରୁ ‘ସିଡିସି’ ଜ୍ବର, ଥଣ୍ଡା, କାଶ, ଅଣନିଃଶ୍ବାସୀ, ଅବସନ୍ନତା, ଦେହହାତ ଓ ମାଂଶପେଶୀ ଘୋଳାବିନ୍ଧା, ମୁଣ୍ଡବିନ୍ଧା, ସ୍ବାଦ ବାରିବା ଏବଂ ଘ୍ରାଣ ଶକ୍ତି ନଷ୍ଟ ହେବା, ତଣ୍ଟି ଦରଜ ଆଦିକୁ କୋଭିଡ୍-୧୯ ଲକ୍ଷଣ ଭାବେ ତାଲିକାଭୁକ୍ତ କରିଥିଲା। ‘ସିଡିସି’ ୱେବ୍‌ସାଇଟ୍ ଅନୁସାରେ, କୋଭିଡ୍-୧୯ ଦ୍ବାରା ଆକ୍ରାନ୍ତ ରୋଗୀମାନଙ୍କ ଠାରେ ଭିନ୍ନ ଭିନ୍ନ ଲକ୍ଷଣର ସମଷ୍ଟି ଦେଖାଯାଇଥାଏ। ସେମିତି ସଂକ୍ରମଣଜନିତ ଅସୁସ୍ଥତାର ଅବସ୍ଥା ମଧ୍ୟ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଭିନ୍ନ ହୋଇଥାଏ।
ୱେବ୍‌ସାଇଟ୍ ଡିସ୍‌କ୍ଲେମର୍‌ରେ ଉଲ୍ଲେଖ ଏହା ମଧ୍ୟ ଉଲ୍ଲେଖ ଅଛି ‌ଯେ, ଏହି ତାଲିକାରେ ସମସ୍ତ ସମ୍ଭାବ୍ୟ ଲକ୍ଷଣ ସାମିଲ ହୋଇନାର୍ହି। କୋଭିଡ୍-୧୯ ବିଷୟରେ ‘ସିଡିସି’ ଯେତେ ଅଧିକ ଜାଣିବ ତା’ର ଲକ୍ଷଣ ତାଲିକା ଅପ୍‌ଡେଟ୍ କରିଚାଲିବ। ଭୂତାଣୁ ସଂସ୍ପର୍ଶରେ ଆସିବାର ୨ରୁ ୧୪ ଦିନ ମଧ୍ୟରେ ବ୍ୟକ୍ତିବିଶେଷଙ୍କ ଦେହରେ ଉପସର୍ଗ ବା ଲକ୍ଷଣ ବାହାରି ପାରେ ବୋଲି ‘ସିଡିସି’ ସତର୍କ କରାଇ ଦେଇଥିଲା। ପ୍ରାରମ୍ଭରୁ କୋଭିଡ୍-୧୯ର ମାତ୍ର ତିନୋଟି ଲକ୍ଷଣ ଜଣା ଥିଲା। ତାହା ହେଉଛି ଜ୍ବର, କାଶ ଏବଂ ଅଣନିଃଶ୍ବାସୀ ଲାଗିବା। ଏପ୍ରିଲ୍ ମାସରେ ‘ସିଡିସି’ ଆଉ ଛଅଟି ନୂଆ ଲକ୍ଷଣ ଯୋଗ କରିଥିଲା। ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ଜନ୍ସ୍ ହପ୍‌କିନ୍‌ସ୍ ୟୁନିଭର୍ସିଟି ତଥ୍ୟ ଅନୁସାରେ, ବିଶ୍ବବ୍ୟାପୀ କରୋନାଭାଇରସ୍ ୧୦ ନିୟୁତ ପାଖାପାଖି ସଂକ୍ରମଣ କରାଇଲାଣି। ଗତ ଅଳ୍ପ କେତେ ମାସ ମଧ୍ୟରେ ୪୯୭,୦୦୦ ମୃତ୍ୟୁ ରେକର୍ଡ କରାଗଲାଣି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ