‘କୋଟିଆ ଆମର’

ଭୁବନେଶ୍ୱର ,(ଓ୍ବାଇଏନ୍ଏସ୍): ‘କୋଟିଆ ଗ୍ରାମପୁଞ୍ଜକୁ ଆନ୍ଧ୍ରର ଆଖି’ ଏକଥା ଅନେକ ବର୍ଷ ତଳୁ ଆମେ ଶୁଣି ଆସୁଛୁ । ଆମ ସମସ୍ତଙ୍କର ଜାଣିବାରେ କୋଟିଆ ଆମ ରାଜ୍ୟର । କିନ୍ତୁ ଯଦି ଏ ଅଞ୍ଚଳରେ ଥିବା ବିଭବ ହେଉ ବା ଆନ୍ଧ୍ର (ତେଲେଙ୍ଗାନା) ରାଜ୍ୟର ସୀମା ବୃଦ୍ଧି ଲାଳସା ହେଉ କୋଟିଆକୁ ଅଧିକାର କରିବାର କାରଣ, ତେବେ ଆମ ସରକାର ୧୯୬୮ ମସିହାରୁ ଶୋଇଥିଲେ କାହିଁକି? ୧୯୬୮ ମସିହାରୁ ଏ ବିବାଦ ସୁପ୍ରିମକୋର୍ଟରେ ଅଛି ଓ ମାନ୍ୟବର କୋର୍ଟ ୨୦୦୭ ମସିହାରେ ସ୍ଥିତାବସ୍ଥା ଜାରି କରିଛନ୍ତି ବୋଲି ସମ୍ବାଦପତ୍ର ଓ ଟିଭି ଖବରରୁ ଜାଣିବାକୁ ପାଉଛୁ । ସେ ସ୍ଥିତାବସ୍ଥା କଣ ତାର ଅବତାରଣା ଆମ ସରକାର କରିଛନ୍ତି କି? ଦୀର୍ଘ ୫୪ ବର୍ଷ ଏ ମଧ୍ୟରେ ବିତିଗଲାଣି । ଯଦି କୋଟିଆ ରେଭିନ୍ୟୁ ରେକର୍ଡ଼ ଅନୁସାରେ ଆମର, ତେବେ ସରକାର ସେଠାକାର ଅଧିବାସୀମାନଙ୍କ ମନ ଜିତିବା ପାଇଁ ସେ ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଇତ୍ୟାଦିର ସାମଗ୍ରିକ ବିକାଶ ଓ ଓଡ଼ିଆ ଭାଷାର ପ୍ରସାର କରିବା ପାଇଁ ଗତ ସରକାରମାନେ ପଦକ୍ଷେପ ନେଇନାହାଁନ୍ତି କାହିଁକି? ସୁପ୍ରିମକୋର୍ଟରେ ପୁରୁଣା କେସକୁ ଉଠାଇ ଏକ ନିଷ୍ପତ୍ତି ନେବାର ପ୍ରୟାସ କାହିଁକି ଆମ ସରକାର ଆଗରୁ ନେଲେ ନାହିଁ? ସେ ଅଞ୍ଚଳରେ ଆନ୍ଧ୍ର ସରକାରଙ୍କ ତରଫରୁ ବିକାଶ କାର୍ଯ୍ୟକ୍ରମକୁ କାହିଁକି ଓଡ଼ିଶା ସରକାର ବିରୋଧ କରିନାହାଁନ୍ତି? କୋଟିଆ ଆମ ରାଜ୍ୟର । ଏଣୁ ସେ ଅଞ୍ଚଳର ଅଧିବାସୀ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା କଥା । କିନ୍ତୁ ସେମାନଙ୍କ ଭିତରୁ ଅଧିକାଂଶ ଅଶିକ୍ଷିତ ହେତୁ ଏହା କରିବାରେ ସକ୍ଷମ ହେଉନାହାଁନ୍ତି କିମ୍ବା ୨ଟି ରାଜ୍ୟର ସହାୟତା ଉପଭୋଗ କରୁଥିବାରୁ ପାଟି ଖୋଲୁନାହାଁନ୍ତି । ଯଦି କୋଟିଆ ଆମର ତେବେ ସେ ଅଞ୍ଚଳର ଅଧିବାସୀମାନେ ଓଡ଼ିଶାର ବୋଲି ନିଷ୍ପତ୍ତି ନିଅନ୍ତୁ ଓ ତାଙ୍କୁ ଆମ ସରକାର ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଅନ୍ତୁ ଓ ସୀମାରେ ରେଭିନ୍ୟୁ ସୀମା ସଙ୍କେତମାନ ନିର୍ଦ୍ଧାରିତ କରି ସୁରକ୍ଷା ବଳ ଓ ଚେକ୍‌ଗେଟମାନ ନିର୍ମାଣ କରି ଅନୁପ୍ରବେଶ ରୋକିବା ଉଚିତ । ଏସବୁ ସତ୍ତ୍ୱେ ଯଦି ଉକ୍ତ ଅଞ୍ଚଳର ଅଧିବାସୀମାନେ ଚାହାଁନ୍ତି ସେମାନେ କୋଟିଆ ଛାଡ଼ି ପଡ଼ୋଶୀ ରାଜ୍ୟକୁ ଚାଲିଯାଆନ୍ତୁ ଓ କୋଟିଆରେ ଓଡ଼ିଶାର ଅନ୍ୟ ଇଚ୍ଛୁକ ନାଗରିକମାନେ ବାସ କରନ୍ତୁ । କୋଟିଆ କଥା ବିଚାର କରାଗଲାବେଳେ ଆମର ୧୯୫୬ର ସୀମା ଆନ୍ଦୋଳନ ଓ ବେଙ୍ଗପାଣିଆ, ସୁନିଲ ଦେଙ୍କ ପରି ଛାତ୍ରମାନଙ୍କର ଅକାଳ ମୃତ୍ୟୁ କଥା ମନେ ପଡ଼େ । ମୁଁ ସେତେବେଳେ ଏସ୍‌ସିଏସ କଲେଜ ପୁରୀରେ ଆଇ.ଏ.ସି. ଛାତ୍ର ଥାଇ ଏହି ଆନ୍ଦୋଳନରେ ସକ୍ରିୟ ଭାବ ନେଇଥିଲି । ସେତେବେଳେ ବିହାରର ଅନେକ ନେତାଙ୍କ ପ୍ରତିପତ୍ତି ଯୋଗୁ ଓ ଆମ ସରକାରଙ୍କ ଅକ୍ଷମତା ଯୋଗୁ, ଷଢେଇକଳା, ଖରସୁଆଁ, ପଶ୍ଚିମ ସିହଭୂମି, ମେଦିନାପୁର ଇତ୍ୟାଦି ଓଡ଼ସିଶାରୁ ବିଖଣ୍ଡିତ ହେଲା । ଉକ୍ତ ଅଞ୍ଚଳରେ ୧ କୋଟିରୁ ଅଧିକ ଓଡ଼ିଆ, ଏପରିକି କେତେକ ଅଞ୍ଚଳରେ ଶତକଡ଼ା ୯୦%ରୁ ଅଧିକ ଓଡ଼ିଆ ବସତି ଥାଇ ମଧ୍ୟ ସେସବୁ ଅଞ୍ଚଳ ବିହାର, ବେଙ୍ଗଲ, ମଧ୍ୟପ୍ରଦେଶ ଇତ୍ୟାଦିକୁ ଚାଲି ଯାଇଥିଲା । ଏବେ ସେସବୁ ଅଞ୍ଚଳ ସ୍କୁଲ୍‌ମାନଙ୍କରେ ହିନ୍ଦି, ବେଙ୍ଗଲି କିମ୍ବା ତେଲୁଗୁ ମାଧ୍ୟମରେ ଓଡ଼ିଆ ପିଲା ପାଠ ପଢୁଛନ୍ତି । ଏସବୁ ସତ୍ତ୍ୱେ ଅନ୍ୟ ରାଜ୍ୟର ସୀମାକୁ ଲାଗିଥିବା ଆମ ରାଜ୍ୟ ସୀମାର ସୁରକ୍ଷା ଆମ ସରକାର ଦେଇପାରିଲେନି । ପୂର୍ବରୁ ସୀମାନ୍ତ ଅଞ୍ଚଳ ସୁରକ୍ଷା ଓ ଅନୁପ୍ରବେଶ ରୋକିବା ପାଇଁ ସୀମାନ୍ତ ଜିଲ୍ଲାମାନଙ୍କରେ ଓଡ଼ିଆ ଜିଲ୍ଲାପାଳଙ୍କୁ ନିଯୁକ୍ତି ଦେବାର ପ୍ରଥା ଥିଲା । କିନ୍ତୁ ବର୍ତ୍ତମାନ ସରକାର ସୀମାନ୍ତ ଜିଲ୍ଲାମାନଙ୍କରେ ଅଣଓଡ଼ିଆ ଜିଲ୍ଲାପାଳଙ୍କୁ ନିଯୁକ୍ତ କରୁଛନ୍ତି । କୋଟିଆ ପରି ଘଟଣା ଘଟୁଥିଲେ ମଧ୍ୟ ସରକାରଙ୍କର ନିଦ ଭାଙ୍ଗୁନାହିଁ । ବର୍ତ୍ତମାନ କୋଟିଆ ବିଷୟଟି ଓଡ଼ିଶାର ସ୍ୱାର୍ଥ ଦୃଷ୍ଟିରୁ ଓ ସବୁଦଳର ରାଜନୈତିକ ସ୍ୱାର୍ଥ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ଯୋଗୁଁ ସରକାର ସବୁ ରାଜନୈତିକ ଦଳ ସହ ମିଶି କୋଟିଆକୁ ପ୍ରଥମେ ଆନ୍ଧ୍ରର ପଞ୍ଝାରୁ ମୁକ୍ତ କରନ୍ତୁ ଓ ତତ୍ ସଙ୍ଗେ ସଙ୍ଗେ, ବିଚ୍ଛିନ୍ନାଞ୍ଚଳ ଓଡ଼ିଆମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ସେମାନଙ୍କ ଶିକ୍ଷା, ସଂସ୍କୃତିର ସୁରକ୍ଷା ପାଇଁ ସୀମା ପାର ରାଜ୍ୟ ସରକାରଙ୍କ ସହ ଏକ କମିଟି ମାଧ୍ୟମରେ ନିୟମିତ ସମ୍ପର୍କ ରକ୍ଷା ସହ ପିଲାମାନଙ୍କୁ ତଥା ଓଡ଼ିଆଙ୍କୁ ସହଯୋଗର ହାତ ବଢାନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ