କୋଦଳା ଏନଏସି ପାଇଁ ସମାଜସେବୀଙ୍କୁ ପ୍ରାର୍ଥୀ କଲା ବିଜେପି
କୋଦଳା, (ଯୁଗାବ୍ଦ ନ୍ୟୁଜ) :-ଗଂଜାମ ଜିଲ୍ଲା କୋଦଳା ଏନଏସି ଏବେ ପୌର ନିର୍ବାଚନ ପାଇଁ ଜିଲ୍ଲାରେ ଚର୍ଚ୍ଚାରେ ରହିଛି । ସୋମବାର ନାମାଙ୍କନ ପତ୍ର ଦାଖଲର ଶେଷଦିନ ରହିଥିବା ବେଳେ ଆଜି ଶାସକ ଦଳ ବିଜେଡି ପକ୍ଷରୁ ଜଣେ ସ୍ଵୟଂ ସହାୟକ ଗୋଷ୍ଠୀର ଯୁବତୀଙ୍କୁ କୋଦଳା ଏନଏସି ଅଧ୍ୟକ୍ଷ ପ୍ରାର୍ଥୀନୀ ଭାବେ ଘୋଷଣା କରାଯିବା ପରେ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଥିଲା । ବିଜୁ ଜନତା ଦଳରୁ ଅନେକ ଆଶାୟୀ ନିରାଶ ହୋଇଥିବା ମଧ୍ୟ ଆଲୋଚନା ହୋଇଥିଲା । ତେବେ ଆଜି ସଂଧ୍ୟାରେ ବିଜୁ ଜନତା ଦଳକୁ ଚେକ୍ ଦେଇଛି ବିଜେପି। ଜଣେ ଜଣାଶୁଣା ସମାଜସେବୀ ତଥା କୋଦଳାର ଚିହ୍ନା ମୁହଁ ସୂର୍ଯ୍ୟ ନାରାୟଣ ନାୟକଙ୍କୁ ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରାର୍ଥୀ କରାଯାଇଛି । ଏନେଇ ଘୋଷଣା ହେବା ପରେ ବିଜେପି ଶିବିରରେ ଉସ୍ଛାହ ପରିଲକ୍ଷିତ ହୋଇଛି । ଦୀର୍ଘ ଦିନ ଧରି କୋଦଳା ଏନଏସି ରେ ଚାଲିଥିବା ଦୁର୍ନୀତି ଓ କୁଶାସନ କୁ ଦମନ କରିବା ପାଇଁ ସୂର୍ଯ୍ୟ ନାରାୟଣ ନାୟକ ଉପଯୁକ୍ତ ପ୍ରାର୍ଥୀ ବୋଲି ଏବେ କୋଦଳାର ପ୍ରତି ୱାର୍ଡରେ ଆଲୋଚନା ହେଉଛି । ସୋମବାର ନାମାଙ୍କନ ପତ୍ର ଦାଖଲ ପାଇଁ ଶେଷ ଦିନ ରହିଥିବାରୁ ସୋମବାର ଉଭୟ ପ୍ରାର୍ଥୀ/ପ୍ରାର୍ଥୀନୀ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି । ଉଭୟ ଦଳ ପକ୍ଷରୁ କୋଦଳା ଏନଏସି ରେ ପ୍ରତି ୱାର୍ଡରେ ପ୍ରାର୍ଥୀ ପତ୍ର ଦାଖଲ କରିବାକୁ ଯୋଜନା ରହିଥିବା ବେଳେ କୋଦଳା ଏନଏସି ବାସିନ୍ଦା କାହାକୁ ଚୟନ କରୁଛନ୍ତି ତାହା ଏବେ ଦେଖିବାକୁ ବାକି ରହିଲା ।


