କୋଭିଡ୍ ମୁକାବିଲା ନେଇ ଜିଲ୍ଲାପାଳଙ୍କ ସରପଂଚଙ୍କ ସହ ଗୁରୁତ୍ୱପୁର୍ଣ୍ଣ ବୈଠକ
ସମସ୍ତ ପାର୍କ,ଖେଳ ପଡିଆ, ଧାର୍ମିକ ଅନୁଷ୍ଠାନ ଓ ଆସନ୍ତା ୧୪ ରୁ ୨୧ତାରିଖ ପର୍ଯ୍ୟନ୍ତ ବନ୍ଦ ରଖା
ପ୍ରବାସୀଙ୍କ ଆସିବା ସମସ୍ତ ତଥ୍ୟ ସଂଗ୍ରହ କର
୭ ଦିନ ଧାର୍ମିକ ଅନୁଷ୍ଠାନ ଗୁଡିକ ଅଗ୍ନିଶ୍ରମ ବିଭାଗ ଦ୍ୱାରା ବିଷୋଧନ
ଛତ୍ରପୁର (ଦେବଦତ୍ତ ମହାରଣା): କରୋନାର ଦ୍ୱିତିୟ ଲହରୀକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂତନ ଗାଇଡଲାଇନ ଜାରି କରାଯାଇଛି । ଆଜି ଗୋଟିଏ ଦିନରେ ଜିଲ୍ଲାରେ ସଂକ୍ରମଣଙ୍କ ସଂଖ୍ୟା ୮୦ ରେ ପହଂଚିଛି । କରୋନାର ପ୍ରଥମ ଲହରରେ ସରପଂଚ ମାନଙ୍କ ଭୁମିକା ଗୁରୁତ୍ୱପୁର୍ଣ୍ଣ ରହିଥିଲା । ତେଣୁ ଦ୍ୱିତୀୟ ଲହର ମୁକାବିଲା ନିମନ୍ତେ ଜିଲ୍ଲାପାଳ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ପ୍ରବାସୀ ମାନେ ଜରୁରୀ ନଥିଲେ ଜିଲ୍ଲାକୁ ନ ଆସିବାକୁ କୁହାଯିବା ସହ ଜିଲ୍ଲାକୁ ଆସିଲେ ୭ ଦିନ ଘରୋଇ ସଙ୍ଗରୋଧରେ ରହିବାକୁ ବାଧ୍ୟ କରାଯାଇଛି । ଏହା ଉପରେ ସରପଂଚ ମାନେ କଡା ନଜର ରଖିବେ । ଲକ୍ଷଣ ଥିବା ପ୍ରବାସୀଙ୍କ ଟେଷ୍ଟିଂ ବାଧ୍ୟତାମୂଳକ କରାଯାଇଛି । ପ୍ରବାସୀଙ୍କ ଆସିବା ସମସ୍ତ ତଥ୍ୟ ସଂଗ୍ରହ କରାଯିବ । ଟେଷ୍ଟିଂ, ଟ୍ରେସିଂ ଉପରେ ଜିଲ୍ଲାପାଳ ଅଧିକ ଗୁରୁତ୍ୱ ଦେଇଛନ୍ତି । ଜିଲ୍ଲାରେ ଥିବା ସମସ୍ତ ପାର୍କ,ଖେଳ ପଡିଆ, ଧାର୍ମିକ ଅନୁଷ୍ଠାନ ଓ ଆସନ୍ତା ୧୪ ରୁ ୨୧ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯିବ । କେବଳ ଧାର୍ମିକ ଅନୁଷ୍ଠାନ ମାନଙ୍କରେ ସେବାୟତ କିମ୍ବା ପୂଜକ ମାନେ ରିତିନୀତି ଅନୁସାରେ ପୂଜାର୍ଚ୍ଚନା କରିବେ । ସେହି ୭ ଦିନ ଧାର୍ମିକ ଅନୁଷ୍ଠାନ ଗୁଡିକ ଅଗ୍ନିଶ୍ରମ ବିଭାଗ ଦ୍ୱାରା ବିଷୋଧନ ଏବଂ ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ସଫେଇ କରାଯିବ । ଗ୍ରାମାଂଚଳରେ ପୋଖରୀରେ ନ ଗାଧେଇବା ପାଇଁ ଜନସାଧାରଣମାନଙ୍କୁ ସରପଂଚ ମାନେ ଅନୁରୋଧ କରିବେ । ଏହି ସାତ ଦିନ ମଧ୍ୟରେ ଉକ୍ତ ପୋଖରି ଗୁଡିକୁ ସଫା ସୁତୁରା କରିବାକୁୁ ଜିଲ୍ଲାପାଳ ସମସ୍ତ ସରପଂଚ ମାନଙ୍କୁ କହିଛନ୍ତି । ଆସନ୍ତା କାଲି ଥିବା ମେରୁ ସଂକ୍ରାନ୍ତି ଉପରେ ମଧ୍ୟ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ନିଜ ନିଜ ଘରେ ରହି ନିଜ ପରିବାର ସହିତ ମେରୁ ସଂକ୍ରାନ୍ତି ପାଳନ କରିବା ପାଇଁ ଜିଲ୍ଲାପାଳ କହିବା ସହ ସର୍ବସାଧାରଣ ସ୍ଥାନରେ ମେରୁ ସଂକ୍ରାନ୍ତି ନ ପାଳନ କରିବା ପାଇଁ ଜିଲ୍ଲାପାଳ କହିଛନ୍ତି । ଏହା ସହ ସମସ୍ତେ ମାସ୍କ, ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦେବା କୁ ମଧ୍ୟ ଜିଲ୍ଲାପାଳ ଭିସି ମାଧ୍ୟମରେ ସରପଂଚ ମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ଭିସିରେ ଡିଆରଡିଏ ପିଡି ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ଡୁଡା ପିଡି ସୁଦାମ ଚରଣ ମଣ୍ଡଳ, ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାସ ଉପସ୍ଥିତ ଥିବା ବେଳେ ସମସ୍ତ ବ୍ଲକର ସରପଂଚ ମାନେ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ । ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଶହେ ଶର୍ଯ୍ୟା ବିଶିଷ୍ଠ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ର ପ୍ରସ୍ତୁତ ହୋଇ ସାରିଛି । ଏହା ଛଡା ହିଞ୍ଜିଳିକାଟି, ଆସ୍କା, ଭଞ୍ଜନଗର ଓ ବ୍ରହ୍ମପୁର ଠାରେ କୋଭିଡ କେୟାର ସେଣ୍ଟରକୁ କାର୍ଯ୍ୟକ୍ଷମ କରାଯାଇଛି । ଠିକ୍ ସେହିପରି ବ୍ରହ୍ମପୁର ଠାରେ ଏମକେସିଜି କୋଭିଡ ହସ୍ପିଟାଲକୁ ପୁନର୍ବାର ଖୋଲାଯାଇଛି । ଖୁବ ଶୀଘ୍ର ଅଶ୍ୱିନୀ ହସ୍ପିଟାଲ ମଧ୍ୟ କାର୍ଯ୍ୟକ୍ଷମ ହେବ ବୋଲି ଜିଲ୍ଲାପାଳ ଭିଡିଓ ବାର୍ତ୍ତା ମାଧ୍ୟମରେ ସୂଚନା ଦେଇଛନ୍ତି ପ୍ରବାସୀ ମାନଙ୍କ ଜିଲ୍ଲାକୁ ଫେରୁଥିବା କୁ ଦୃଷ୍ଟିରେ ରଖି ସଂକ୍ରମଣ ହେବାର ଆଶଙ୍କା ରହିଛି । ତେଣୁ ଯଦି କେଉଁ ଅଂଚଳରୁ ଅଧିକ ସଂକ୍ରମକ ଚିହ୍ନଟ ହୁଅନ୍ତି ତେବେ ଆବଶ୍ୟକ ପଡିଲେ ସେହି ଅଂଚଳକୁ ମିନି କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯିବ ବୋଲି ମଧ୍ୟ ଜିଲ୍ଲାପାଳ କହିଛନ୍ତି । ପ୍ରବାସୀ ମାନଙ୍କୁ ଆବଶ୍ୟକ ନ ପଡିଲେ ଜିଲ୍ଲାକୁ ନ ଆସିବାକୁ ଜିଲ୍ଲାପାଳ ଅନୁରୋଧ କରିଥିଲେ ମଧ୍ୟ ବିଭିନ୍ନ ଟ୍ରେନ ଓ ବସ୍ ରେ ପ୍ରବାସୀ ମାନେ ଘର ମୁହାଁ ହେବାରେ ଲାଗିଛନ୍ତି । ଏହା କୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସୂଚନା ଦେଇଛନ୍ତି ଯେ, ବହୁ ପ୍ରବାସୀ ଫେରୁଥିବା ଅଂଚଳ ଗୁଡିକ ଆବଶ୍ୟକ ପଡିଲେ ସଂକ୍ରମଣକୁ ରୋକିବା ନିମନ୍ତେ ସେମାନଙ୍କ ଆର ଆର ଟିମ୍ ଦ୍ୱାରା ଘରକୁ ଘର ଯାଇ ସ୍ୱାସ୍ଥ୍ୟ ଯାଂଚ କରାଯିବ ବୋଲି ସେ କହିଛନ୍ତି ।


