କୋଭିଡ ଆଇନ ସୀମିତ ରଖି ବିକଳ୍ପ ଚିନ୍ତା ଜରୁରୀ

ବୁଗୁଡା,(ଅନିଲ କୁମାର ମହାରଣା): କରୋନା ମହାମାରୀର ପ୍ରକୋପ ସାରା ବିଶ୍ୱରେ କୋକେୟା ଭୟ ସୃଷ୍ଟି କରିଥିବା ବେଳେ ଏହାକୁ ରୋକିବା ପାଇଁ ଲକ ଡାଉନ ବ୍ୟତୀତ ଅନ୍ୟ ପନ୍ଥା ନଥିଲା।ଯେହେତୁ କରୋନା ପାଇଁ ଔଷଧ ବାହାରି ନାହିଁ ତେଣୁ ଲକ ଡାଉନ ହିଁ ଆମକୁ ବଞ୍ଚାଇ ପାରିବ। ପୁରାଣ ଶାସ୍ତ୍ରରେ ମଧ୍ୟ ଲକ ଡାଉନ ଯୋଗୁଁ ଜୀବନ ବଞ୍ଚି ପାରିଥିବା ସୂଚନା ମିଳୁଛି। ଓଡ଼ିଆରେ ଗୋଟିଏ ଗୀତ ଅଛି, ” ଭାରତ ଯୁଦ୍ଧରେ ଭରତିଆ ପକ୍ଷୀ, ଘଣ୍ଟ ଘୋଡାଇ ରଖିଲେ ତ,ନାହିଁ ନାହିଁତ ଜଗବନ୍ଧୁ ପରି ଜଣେ ସାମନ୍ତ “। ମହାଭାରତ ଯୁଦ୍ଧ ଆରମ୍ଭ ପୂର୍ବରୁ ଯୁଦ୍ଧ କ୍ଷେତ୍ର ପ୍ରସ୍ତୁତ ପାଇଁ ବହୁ ବୃକ୍ଷ କଟାଯିବା ବଳେ ଗୋଟିଏ ବୃକ୍ଷରେ ବାସ କରିଥିବା ଭରତିଆ ପକ୍ଷୀ ଓ ତାର ଚାରି ଶାବକ ଯୁଦ୍ଧ କ୍ଷେତ୍ରରେ ପଡିଥିବା ବେଳେ ଶ୍ରୀକୃଷ୍ଣ ସେମାନଙ୍କୁ ଯୁଦ୍ଧ ପୂର୍ବରୁ ଘଣ୍ଟ ଘୋଡାଇ ଲକ ଡାଉନରେ ରଖିଥିବା ଯୋଗୁଁ ୧୮ ଦିନର ମହାଭାରତ ଯୁଦ୍ଧରେ ମଧ୍ୟ ଭରତିଆ ପକ୍ଷୀ ଓ ତାର ୪ ଶାବକର ଜୀବନ ରକ୍ଷା ହୋଇଥିଲା। ସେହିପରି ମହାଭାରତ ଯୁଦ୍ଧରେ କର୍ଣ୍ଣ ଓ ଅର୍ଜ୍ଜୁନଙ୍କ ମଧ୍ୟରେ ଯୁଦ୍ଧ ହେଉଥିବା ବେଳେ ଅର୍ଜ୍ଜୁନଙ୍କୁ ଗିଳି ଦେବାପାଇଁ ଖାଣ୍ଡବ ବନ ଦହନରୁ ବଞ୍ଚି ଯାଇଥିବା ନାଗକୁ କର୍ଣ୍ଣ ପ୍ରେରଣ କରିଥିଲେ। ସର୍ପକୁ ଅର୍ଜ୍ଜୁନ ଯେତେ ଅସ୍ତ୍ର ପ୍ରୟୋଗ କଲେମଧ୍ୟ ସବୁ ବିଫଳ ହେଲା। ସର୍ପ ଗିଳିବା ପୂର୍ବରୁ ଅର୍ଜ୍ଜୁନଙ୍କ ରଥର ଧ୍ଵଜାରେ ଥିବା ହନୁମାନଙ୍କୁ ଶ୍ରୀକୃଷ୍ଣ ସ୍ମରଣ କରି ରଥକୁ ପାତାଳକୁ ଚାପି ଦେବାକୁ କହିଲେ। ହନୁମାନ ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶ ପ୍ରକାରେ ଅର୍ଜୁନଙ୍କ ରଥକୁ ପାତାଳ ପୁରରେ କିଛି ସମୟ ପାଇଁ ଲକ ଡାଉନ କରି ରଖିବା ଯୋଗୁଁ ସର୍ପ ମୁଖରୁ ଶ୍ରୀକୃଷ୍ଣ ଓ ଅର୍ଜୁନ ବଞ୍ଚି ଜୀବନ ରକ୍ଷା କରିପାରିଥିଲେ। କରୋନା ମହାମାରୀରୁ ରକ୍ଷା ପାଇଁ କୌଣସି ଔଷଧ ବାହାରି ନଥିବା ବେଳେ ଲକ ଡାଉନ ଏକମାତ୍ର ପନ୍ଥା, ଏଥିରେ ଦ୍ୱିମତ ନାହିଁ, ହେଲେ ଦୀର୍ଘ ଦିନ ଧରି ଲକ ଡାଉନ ଲାଗି ରହିବା ଦ୍ୱାରା ଆର୍ଥିକ ଅବସ୍ଥା ଗୁରୁତର ହେବା ସହ ଅସନ୍ତୋଷ ବୃଦ୍ଧି ପାଉଛି। ୨୪ ମାର୍ଚ୍ଚ ୨୦୨୦ ରେ କେନ୍ଦ୍ର ସରକାର ପ୍ରଥମେ ଲକ ଡାଉନ ଘୋଷଣା କରିଥିଲେ। ପ୍ରଥମ ଦଫାରେ ୨୧ ଦିନ ମାର୍ଚ୍ଚ ୨୫ ରୁ ଏପ୍ରିଲ ୧୪ , ଦ୍ଵିତୀୟ ଦଫାରେ ୧୯ ଦିନ ପାଇଁ ଏପ୍ରିଲ ୧୫ ରୁ ମଇ ୩ , ତୃତୀୟ ଦଫାରେ ୧୪ ଦିନ ପାଇଁ ମଇ ୪ ରୁ ମଇ ୧୭, ଓ ଚତୁର୍ଥ ଦଫାରେ ୧୪ ଦିନ ପାଇଁ ମଇ ୧୮ ରୁ ମଇ ୩୧ ପର୍ଯ୍ୟନ୍ତ। ତାପରେ ପ୍ରଥମ ଅନ ଲକ ଜୁନ ମାସ ୧ ରୁ ୩୦ ପର୍ଯ୍ୟନ୍ତ ୩୦ ଦିନ, ଦ୍ୱିତୀୟ ଅନ ଲକ ଜୁଲାଇ ୧ ରୁ ୩୧ ପର୍ଯ୍ୟନ୍ତ ୩୧ ଦିନ ଓ ବର୍ତ୍ତମାନ ଚାଲିଥିବା ତୃତୀୟ ଅନ ଲକ ଅଗଷ୍ଟ ମାସ ୧ ରୁ ୩୧ ପର୍ଯ୍ୟନ୍ତ ୩୧ ଦିନ। ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ହୀସାବକୁ ନେଲେ ଲକ ଡାଉନ ଓ ଅନ ଲକ ମିଶି ମୋଟ ୧୬୦ ଦିନ ଅର୍ଥାତ ୫ ମାସରୁ ଉର୍ଦ୍ଧ। ଏହି ୧୬୦ ଦିନ ଅବଧି ମଧ୍ୟରେ ବିଶେଷ ଭାବେ ପ୍ରଭାବିତ ହୋଇଛି ଅର୍ଥନୀତି, ସ୍ୱାସ୍ଥ୍ୟ ଓ ଶିକ୍ଷା। ଅର୍ଥନୈତିକ କ୍ଷେତ୍ରରେ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକେ। ଦୋକାନ ବଜାର , କଳ କାରଖାନା, ଯାନବାହାନ ସବୁ ବନ୍ଦ ହେବା ଯୋଗୁଁ ବିଭିନ୍ନ ବ୍ୟବସାୟୀ, କାରଖାନାର କୁଶଳୀ ଓ ଅଣକୁଶଳୀ ଶ୍ରମିକ, ଗାଡି ଡ୍ରାଇଭର ଓ ଗାଡ଼ିର ଶ୍ରମିକ ପ୍ରଭୃତି ସମ୍ପୂର୍ଣ୍ଣ ଭାବେ ରୋଜଗାର ହରାଇଲେ। ବର୍ତ୍ତମାନ ସେମାନେ କିପରି ବଞ୍ଚିବେ ସେଥିପାଇଁ ଚିନ୍ତିତ। ଗରିବର ସୀମାରେଖା ତଳେ ଯେଉଁମାନେ ଅଛନ୍ତି ସେମାନଙ୍କୁ ମାଗଣା ଓ ଟଙ୍କାକିଆ ଚାଉଳ ଓ ଆର୍ଥିକ ସହାୟତା ଯୋଗୁଁ ସେମାନେ ଖାଇବାକୁ ମୁଠେ ପାଇଯାଉଛନ୍ତି। ମାତ୍ର ସେମାନଙ୍କ ଉପର ସ୍ତରରେ ଥିବା ନିମ୍ନ ମଧ୍ୟବିତ୍ତ ପରିବାରଙ୍କ ଆର୍ଥିକ ଅବସ୍ଥା ଅତ୍ୟନ୍ତ ଖରାପ ହୋଇପଡିଛି। ସେହିପରି ସ୍ୱାସ୍ଥ୍ୟ କଥା ବିଚାରକୁ ନେଲେ ଗରିବ ଓ ମଧ୍ୟବିତ୍ତ ପରିବାରର ଲୋକମାନେ ହିଁ ବହୁତ ହଇରାଣ ହେଉଛନ୍ତି। ସଠିକ ଚିକିତ୍ସା ଅଭାବରୁ ବହୁ ଅମୂଲ୍ୟ ଜୀବନ ଚାଲିଯାଇଛି ଏଥିରେ ସନ୍ଦେହ ନାହିଁ। ଶିକ୍ଷା ବ୍ୟବସ୍ଥାର କଣ କ୍ଷତି ହୋଇଛି ସମସ୍ତେ ଉଣା ଅଧିକେ ଜାଣନ୍ତି। ଅଗଷ୍ଟ ମାସ ପର୍ଯ୍ୟନ୍ତ ଶିକ୍ଷା ଦାନ ସମ୍ପୂର୍ଣ୍ଣ ଠପ । ଅନଲାଇନ ଶିକ୍ଷା ଦାନ ଆଲୋଚନାକୁ ନନେବା ଭଲ। ଏହିପରି ସ୍ଥଳେ ଲକ ଡାଉନ ଆଇନ ବଦଳରେ ବିକଳ୍ପ ଚିନ୍ତା କରିବା ଜରୁରୀ ହୋଇପଡ଼ିଛି। କୋଭିଡ ଆଇନକୁ ସମ୍ମାନ ଦେଇ ଯେପରି ଲୋକମାନେ ଆୟର ପନ୍ଥା ପାଇପାରିବେ, ସ୍ୱାସ୍ଥ୍ୟ ସେବା ଓ ଶିକ୍ଷା ଲାଭ ପାଇପାରିବେ, ସେଥିପ୍ରତି ଦୃଷ୍ଟି ଦେବାକୁ ପଡିବ। ନତୁବା କୋଭିଡ ଆଇନ ଠାରୁ ଭୋକିଲା ପେଟର ବିଶୃଙ୍ଖଳା ଅଣଆୟତ ହେବାର ସମ୍ଭାବନାକୁ ଏଡାଇ ଦେଇ ପାରିବା ନାହିଁ। ବିଶେଷ କରି ମଧ୍ୟବିତ୍ତ ପରିବାର ଗୁଡ଼ିକର ଅବସ୍ଥା ଶୋଚନୀୟ ସ୍ତରକୁ ଚାଲିଗଲାଣି ଏଥିରେ ସନ୍ଦେହ ନାହିଁ। ବର୍ତ୍ତମାନର ପରିସ୍ଥିତିରେ ପ୍ରଶାସନ ସମସ୍ତ ଅସୁବିଧା ଅନୁଧ୍ୟାନ କରି ସରକାରଙ୍କୁ ବିକଳ୍ପ ପନ୍ଥା ଅବଲମ୍ବନ ପାଇଁ ସୁଚିନ୍ତିତ ପ୍ରସ୍ତାବ ଦେବା ଜରୁରୀ ଆବଶ୍ୟକ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ