ବେଗୁନିଆପଡ଼ା ବ୍ଳକର ବିଭିନ୍ନ ସ୍ଥାନରେ ୭୪ ତମ ସ୍ୱାଧୀନତା ଦିବସ ପାଳିତ
କୋଦଳା, (ଗୁଲସନ କୁମାର କର): :ଗଂଜାମ ଜିଲ୍ଲା କୋଦଳା ଏନଏସି ସମେତ ବେଗୁନିଆପଡ଼ା ବ୍ଳକର ବିଭିନ୍ନ କାର୍ଯାଳୟ, ଶିକ୍ଷାନୁଷ୍ଠାନ ମାନଙ୍କରେ ପାଳିତ ହୋଇଯାଇଛି ୭୪ ତମ ସ୍ୱାଧୀନତା ଦିବସ। କରୋନା କଟକଣା ଯୋଗୁଁ ସାମାଜିକ ଦୂରତାକୁ ବଜାୟ ରଖି ମାସ୍କ ପିନ୍ଧି ପତାକା ଉତ୍ତୋଳନ ସମୟରେ ଭିଡ ନକରି ଏହି ଉତ୍ସବ ପାଳନ କରାଯାଇଥିଲା। କୋଦଳା ତହସିଲ ପଡିଆ ଠାରେ ତହସିଲ ପକ୍ଷରୁ ଆୟୋଜିତ ଉତ୍ସବରେ ପତାକା ଉତ୍ତୋଳନ କରିଥିଲେ ତହସିଲଦାର ପ୍ରଭାତ କୁମାର ପରିଡା ।ମାତ୍ର ୧୦ ଜଣ କର୍ମଚାରୀଙ୍କୁ ନେଇ ଏହି ଉତ୍ସବ ପାଳନ କରାଯାଇଥିଲା। ସେହିପରି କୋଦଳା ଥାନାରେ ମଧ୍ୟ ୮ ଜଣ ପୋଲିସ କର୍ମଚାରୀ ମାନଙ୍କୁ ନେଇ ପତାକା ଉତ୍ତୋଳନ କରିଥିଲେ ଥାନା ଅଧିକାରୀ ଦେବାଶିଷ ମହାନ୍ତି ।କୋଦଳା ସ୍ଥିତ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଅତି କମ୍ ସଂଖ୍ୟକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା ସ୍ବାଧୀନତା ଦିବସ। ବେଗୁନିଆପଡ଼ା ପୋଲିସ ଫାଣ୍ଡି ପକ୍ଷରୁ ମଧ୍ୟ ଅନୁରୂପ ଭାବେ ସ୍ବାଧୀନତା ଦିବସ ପାଳନ କରାଯାଇଥିଲା। ଫାଣ୍ଡି ଅଧିକାରୀ ଦିପ୍ତୀ ରଂଜନ ବେହେରା ପତାକା ଉତ୍ତୋଳନ କରିଥିବା ବେଳେ ସମସ୍ତ ପୋଲିସ୍ କର୍ମଚାରୀ ଉପସ୍ଥିତ ଥିଲେ। ବେଗୁନିଆପଡ଼ା ବ୍ଳକ କାର୍ଯାଳୟ ପରିସରରେ ଅନୁଷ୍ଠିତ ସ୍ୱାଧୀନତା ଦିବସ ପାଳନ ଅବସରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ ପତାକା ଉତ୍ତୋଳନ କରିଥିବା ବେଳେ ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ବିଜୟ କୁମାର ଦୋରାଙ୍କ ସମେତ ସମସ୍ତ ବ୍ଲକ୍ କର୍ମଚାରୀ ଉପସ୍ଥିତ ରହିଥିଲେ।


