କୋଭିଡ ପର୍ଯ୍ୟବେକ୍ଷକ ହେମନ୍ତ ଶର୍ମାଙ୍କ ସମୀକ୍ଷା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ରାଜ୍ୟ ସରକାରଙ୍କ ଦ୍ୱାରା କେନ୍ଦ୍ରାପଡା ଜିଲ୍ଲା ପାଇଁ ନିୟୋଜିତ କୋଭିଡ ପର୍ଯ୍ୟବେକ୍ଷକ ହେମନ୍ତ ଶର୍ମା କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ ଆସି ଶୁକ୍ରବାର ପୂର୍ବାହ୍ନରେ କେନ୍ଦ୍ରାପଡାରେ ପହଁଚିବା ପରେ ଜିଲ୍ଲାପାଳଙ୍କ ସଦଭାବନା ସଭା ଗୃହରେ ଜିଲ୍ଲାର କୋଭିଡ ସ୍ଥିତି ତଥା ପରିଚାଳନା ସମ୍ପର୍କରେ ସମୀକ୍ଷା କରିଥିଲେ । ବର୍ତ୍ତମାନର ପରିସ୍ଥିତି ଏକ ଭିନ୍ନ ମୋଡରେ ଅଛି । ରାଜ୍ୟ ବାହାରୁ ଆମ ରାଜ୍ୟକୁ ପ୍ରବାସୀମାନେ ବିଗତ ୨ମାସରେ ଫେରିଛନ୍ତି । ପ୍ରବାସୀମାନଙ୍କ ପାଇଁ ଆମର ଚିନ୍ତାଥିଲା ସେମାନଙ୍କୁ ଠିକ ଭାବରେ ପର୍ଯ୍ୟବେକ୍ଷଣ କରାଯାଇ ଗୃହକୁ ଛଡାଯାଇଛି । କରୋନା ପିଡିତଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଛି । କୋଭିଡ ପରିଚାଳନାରେ ଆମ ରାଜ୍ୟ ପ୍ରଥମ ଓ ଦୃତ ଆରୋଗ୍ୟ ହାର ମଧ୍ୟ ଅଧିକ । ଏବେ ପ୍ରବାସୀମାନଙ୍କୁ ଥଇଥାନ କରିବାକୁ ପଡିବ । ସେମାନଙ୍କୁ ରୋଜଗାର ପାଇଁ କାମ ଯୋଗାଇଦେବାକୁ ପଡିବ । ବର୍ତ୍ତମାନ ରାଜ୍ୟରେ ଜିଲ୍ଲାରୁ ଜିଲ୍ଲାକୁ କରୋନା ବ୍ୟାପୁଛି । ତାହାର ସୁପରିଚାଳନା ରାଜ୍ୟ ସରକାର କରୁଛନ୍ତି । ଦୈନିକ ୩୦ହଜାର କୋଭିଡ ପରୀକ୍ଷା ପାଇଁ ପଦକ୍ଷେପ ନିଆଯାଇଛି । ସେହି ହାରରେ ଜିଲ୍ଲାରେ କୋଭିଡ ପରୀକ୍ଷା ବଢାଇବାକୁ ପଡିବ । ଯାହା ଫଳରେ କରୋନା ବ୍ୟାପିବାକୁ ରୋକାଯାଇ ପାରିବ । ବିଶେଷ ଭାବରେ ଆଗଧାଡିରେ ଥିବା କରୋନା ଯୋଦ୍ଧାଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ । ମଝିରେ ମଝିରେ ସେମାନଙ୍କ କୋଭିଡ ପରୀକ୍ଷା କରାଯିବ । ବର୍ତ୍ତମାନ ଆମ ପାଇଁ ଗୁରୁ ଦାୟୀତ୍ୱ ରହିଛି । କରୋନା ଚିହ୍ନଟ କରିବା, ପରୀକ୍ଷା କରିବା ଓ ପିଡିତଙ୍କୁ ଚିକିତ୍ସା ଯୋଗାଇଦେବା । ଏହା ଦ୍ୱାରା କୋଭିଡ ଚେନକୁ ରୋକାଯାଇ ପାରିବ । ଜିଲ୍ଲାର କୋଭିଡ ଚିକିତ୍ସା ବ୍ୟବସ୍ଥାର ସୁପରିଚାଳନା ସମ୍ପର୍କରେ ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀ ଶର୍ମା ସମୀକ୍ଷା କରିଥିଲେ । ଡାକ୍ତର,ନର୍ସ ଓ ଆଶାକର୍ମୀ ସର୍ବଦା କରୋନା ଯୋଦ୍ଧାପରି,କରୋନା ଚିକିତ୍ସା ପାଇଁ ଆବଶ୍ୟକୀୟ ଯନ୍ତ୍ରପାତି, ଔଷଧ, ଅକ୍ସିଜେନ, ଆଇ.ସି.ୟୁ. ସବୁ ସଜାଗ ରଖିବାକୁ ପରାମର୍ଶ ଦେଇଥିଲେ । ବିଶେଷ ଭାବରେ ଜିଲ୍ଲାରେ କୋଭିଡ ପରିଚାଳନାରେ ନିୟୋଜିତ ୫ହଜାର କର୍ମଚାରୀଙ୍କ କୋଭିଡ ପରୀକ୍ଷା କରିନେବାକୁ ପରାମର୍ଶ ଦେଇଥିଲେ । ପୋଲିସ ବିଭାଗ ଦ୍ୱାରା ନିଆଯାଇଥିବା ଜନସଚେତନତା ଓ ନିୟମଭଙ୍ଗ କରୁଥିବା ବ୍ୟକ୍ତିବିଶେଷଙ୍କ ଠାରୁ ଆଦାୟ କରାଯାଇଥିବା ଜୋରିମାନା ସମ୍ପର୍କରେ ମଧ୍ୟ ସମୀକ୍ଷା କରିଥିଲେ ଶ୍ରୀ ଶର୍ମା । ଏହି ସମୀକ୍ଷା ବୈଠକରେ ଅନ୍ୟତମ ପର୍ଯ୍ୟବେକ୍ଷକ ସୁରେଶ ଚନ୍ଦ୍ର ଦଳେଇ,ପ୍ରୋବେସନାରୀ ଆଇ.ଏ.ଏସ.ଅଧିକାରୀ ଅକ୍ଷୟ ଅଗ୍ରୱାଲ ଯୋଗଦେଇଥିବା ବେଳେ ଜିଲ୍ଲାପାଳ ସମର୍ଥ ବର୍ମା ପାୱାର ପ୍ରୋଜେକ୍ସନ ମାଧ୍ୟମରେ ଜିଲ୍ଲାର କୋଭିଡ ପରିଚାଳନା ତଥ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନରହରି ସେଠୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବ୍ରହ୍ମାନନ୍ଦ ଗାଗାରିନ ମହାନ୍ତି, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ