ଆଶା ଓ ଆଶଙ୍କାରେ କନ୍ଧମାଳରେ ମାଟ୍ରିକପାଠପଢା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ସାରା ବିଶ୍ୱ ଏବେ ମହାମାରୀ କରୋନା କବଳରେ। କରୋନା ଯେ କେବଳ ସ୍ୱାସ୍ଥ୍ୟ ଓ ଅର୍ଥନୈତିକ ବ୍ୟବସ୍ଥାକୁ ଦୋହଲି ଦେଇଛି ତା ନୁହଁ ଶିକ୍ଷା ବ୍ୟବସ୍ଥା ଉପରେ ଏହାର ପ୍ରତ୍ୟକ୍ଷ ପ୍ରଭାବ ପଡିଛି। ଏଥୁରୁ ବାଦ ପଡି ନାହିଁ ଆମ ଦେଶ କି ଆମ ରାଜ୍ୟ। ଏବେ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବାପାଇଁ ସ୍କୁଲ କଲେଜ ବନ୍ଦ ରହିଥିବାବେଳେ ବହୁ ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରିଥିବାରୁ ଦିନକୁ ଦିନ ଓଡ଼ିଶାରେ କରୋନା ଭୂତାଣୁ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସବୁଠୁ ଅଧିକ ପ୍ରଭାବିତ ହୋଇଛି, କନ୍ଧମାଳ ଜିଲ୍ଲାର ପଡୋଶୀ ଗଞ୍ଜାମ ଜିଲା  l  ୨୦୨୦-୨୧ ଶିକ୍ଷାବର୍ଷରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀ ପାଠପଢ଼ାକୁ ନେଇ ଆଶା ଓ ଆଶଙ୍କାରେ ସମୟ କାଟୁଛନ୍ତି। ଦିନକୁ ଦିନ କରେନା ଭୂତାଣୁ ନିଜର କାୟା ବିସ୍ତାର କରି ଚାଲିଥିବାବେଳେ ସ୍କୁଲ କେବେ ଖୋଲିବ ସେଥିନେଇ ସେମାନେ ଚିନ୍ତିତ ରହିଛନ୍ତି। ଅପରପକ୍ଷରେ କରୋନା ଯୋଗୁ ଟିଉସନ୍‌ ମଧ୍ୟ ଯାଇ ପାରୁନାହାନ୍ତି। କିଭଳି ପାଠପଢ଼ିବେ ଓ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହେବେ ତାହାକୁ ନେଇ ସେମାନେ ଆଶା ଓ ଆଶଙ୍କା ପ୍ରକାଶ କରୁଛନ୍ତି। ସ୍କୁଲକଲେଜଗୁଡ଼ିକ ପକ୍ଷରୁ ପ୍ରଦାନ କରାଯାଉଥିବା ଅନ୍‌ଲାଇନ୍‌ ଶିକ୍ଷାଦାନ ଛାତ୍ରଛାତ୍ରୀଙ୍କ ପାଇଁ ଯଥେଷ୍ଟ ହେଉନାହିଁ। ତେବେ ଏଠାରେ ସୂଚନା ଥାଉକି ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଗଠନ ପାଇଁ ଦଶମ ଶ୍ରେଣୀ ପାଠପଢ଼ା, ଓ ପରୀକ୍ଷା ଫଳାଫଳ ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ। ଏଥିପାଇଁ ଛାତ୍ରଛାତ୍ରୀ, ଶିକ୍ଷକ,ଅବିଭାବକ, ଶିକ୍ଷାବିଭାଗ ସମସ୍ତେ ଯତ୍ନବାନ ତତ୍ପର ଥାନ୍ତି। ତେବେ ଚଳିତ ଶିକ୍ଷାବର୍ଷ ଆରମ୍ଭରୁ କରୋନାର ଅଶୁଭ ଦୃଷ୍ଟି ଶିକ୍ଷା ବ୍ୟବସ୍ଥା ଉପରେ ପଡ଼ିଛି। ଗୋଟାଏ ପଟେ କରୋନା ମୁକାବିଲା ବେଳେ ଦଶମ ଶ୍ରେଣୀର ପାଠ୍ୟ ପୁସ୍ତକ ପରିଵର୍ତ୍ତନ ଛାତ୍ରଛାତ୍ରୀ, ଶିକ୍ଷକ, ଅବିଭାବକ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି। ବର୍ତ୍ତମାନ ସୁଦ୍ଧା ନୂତନ ପାଠ୍ୟପୁସ୍ତକ ଉପଲବ୍ଧ ହୋଇ ନଥିବା ବେଳେ, ତାହା କେବେ ଛାତ୍ରଛାତ୍ରୀଙ୍କ ନିକଟରେ ଉପଲବ୍ଧ ହେବ ତାହା ମଧ୍ୟ ସଠିକ ଭାବେ କହି ହେବ ନାହିଁ। ଘନଘନ ବିଜୁଳି କାଟ ସାଙ୍ଗକୁ, ସମସ୍ତ ଛାତ୍ର ଛାତ୍ରୀଙ୍କ ନିକଟରେ ସ୍ମାର୍ଟ ମୋବାଇଲ ନାହିଁ କିମ୍ବା ଅର୍ଥାଭାବ ଯୋଗୁ ନୂଆ ମୋବାଇଲ ଆଣିବାବି ସମ୍ଭବ ହେଉ ନାହିଁ। ପୁରୁଣା ପାଠ୍ୟ ପୁସ୍ତକ ହୋଇଥିଲେ ବ୍ୟବସ୍ଥା କରି ଛୁଟି ଭିତରେ ଘରେ ପାଠ ପଢିପାରିଥାନ୍ତେ ବୋଲି ଛାତ୍ରଛାତ୍ରୀ କହିଥିବା​‌ବେଳେ ସେମାନଙ୍କର ଅବିଭାବକ ମାନେ କହିଛନ୍ତି କରୋନା ଲକ୍‌ଡାଉନ୍‌ ସମୟରେ ଦୋକାନ ବଜାର ବନ୍ଦ ରହୁଥିବା ନୂଆ ପାଠ୍ୟ ପୁସ୍ତକ, ଗାଇଡ଼, ଟେଷ୍ଟପେପର ଆଦି ମିଳୁନାହିଁ। ତେବେ ରାଜ୍ୟ ସରକାର ଓ ଶିକ୍ଷା ବିଭାଗ କେବେ କି ପ୍ରକାର ନିଷ୍ପତ୍ତି ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ