କ୍ରାନ୍ତିକାରୀ କୃଷକ ସଭା ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ପଦଯାତ୍ରା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ନରେଗା କ୍ଷେତ୍ରରେ ନିଯୁକ୍ତ ଶ୍ରମିକ ମାନଙ୍କୁ ଅବହେଳା ଓ ସରକାରଙ୍କ ଶ୍ରମିକ ଶୋଷଣ ନୀତିକୁ ବିରୋଧ କରି କ୍ରାନ୍ତିକାରୀ କୃଷକ ସଭା ଗଞ୍ଜାମ ଜିଲ୍ଲା କମିଟିି ପକ୍ଷରୁ ଗୁରୁବାର ଗାଁରୁ ହିଞ୍ଜିଳିକାଟୁକୁ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ନରେଗା କାର୍ଯ୍ୟରେ ନିଯୁକ୍ତ ଶ୍ରମିକ ମାନଙ୍କ ୧୦ ଦଫାକୁ କାର୍ଯ୍ୟକାରୀ କରିବା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦ୍ୟେଶରେ ଏକ ସ୍ମାରକ ପତ୍ର ହିଞ୍ଜିଳିକାଟୁ ବିଡ଼ିଓ ପ୍ରସନ କୁମାର ପାତ୍ରଙ୍କ ଜରିଆରେ ପ୍ରଦାନ କରାଯାଇଛି ।
ନରେଗା କାର୍ଯ୍ୟରେ ନିଯୁକ୍ତ ଶ୍ରମିକ ମାନଙ୍କୁ ଅବହେଳା ଓ ଶୋଷଣ ନୀତିକୁ ନେଇ କ୍ରାନ୍ତିକାରୀ କୃଷକ ସଭା ଗଞ୍ଜାମ ଜିଲ୍ଲା କମିଟିି ପକ୍ଷରୁ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ଚଳିତ ଏପ୍ରିଲ ପହିଲାରୁ ରାଜ୍ୟ ସରକାର ଶ୍ରମିକ ମାନଙ୍କ ଦୈନିକ ମଜୁରୀ ୨୦୭ ଟଙ୍କାକୁ ବୃଦ୍ଧି କରିଥିଲେ । ମଜୁରୀ ବୃଦ୍ଧି ହେବା ପରେ ମଧ୍ୟ ଶ୍ରମିକ ମାନଙ୍କୁ ଦୈନିକ ୧୩୮ରୁ ୧୪୦ ଟଙ୍କା ପ୍ରଦାନ କରାଯାଉଥିବା ଅଭିଯୋଗ କରାଯାଇଥିଲା । ଜୁନ ୧୦ ତାରିଖରେ ଏ ନେଇ ସଂଘ ପକ୍ଷରୁ ହିଞ୍ଜିଳିକାଟୁ ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ଅଧିକ ୧୦ ଟଙ୍କା ବୃଦ୍ଧି କରାଯାଇଥିଲା । ୨୦୭ ଟଙ୍କା ଦୈନିକ ମଜୁରୀ ପ୍ରଦାନ କରାଯିବା ପରିବର୍ତେ ୧୪୮ରୁ ୧୫୨ ଟଙ୍କା ମଜୁରୀ ପ୍ରଦାନ କରାଯାଉଛି । ଏ ନେଇ ବିଡ଼ିଓଙ୍କୁ କହିବା ପରେ କାମ ବନ୍ଦ କରିବାର ଧମକ ଦିଆଯାଉଥିବା ନେଇ ସଂଘ ପକ୍ଷରୁ କୁହାଯାଇଛି । ଏହାକୁ କେନ୍ଦ୍ର କରି ଗୁରୁବାର କ୍ରାନ୍ତିକାରୀ କୃଷକ ସଭା ଗଞ୍ଜାମ ଜିଲ୍ଲା କମିଟିି ପକ୍ଷରୁ ସ୍ଥାନୀୟ ବ୍ଳକ ବଡ଼ଖଣ୍ଡି ପଂଚାୟତ ଗୋପିନାଥପୁର ଗ୍ରାମ ଠାରୁ  ବିଭିନ୍ନ ପଂଚାୟତର ୫ଶହରୁ ଉର୍ଦ୍ଧ୍ୱ ମହିଳା ଶ୍ରମିକ ପଦଯାତ୍ରାରେ ବାହାରି ହିଞ୍ଜିଳିକାଟୁ ବ୍ଳକ କାର୍ଯ୍ୟାଳୟରେ ପହଂହଚିଥିଲେ । ନରୋଗା ଶ୍ରମିକଙ୍କ ପାଇଁ ନିର୍ଦ୍ଧାରିତ ଦୈନିକ ସର୍ବନିମ୍ନ ମଜୁରୀ ୨୦୭ ଟଙ୍କା ସୁନିଶ୍ଚିତ ପ୍ରଦାନ, ବର୍ଷକୁ ୨ଶହ ଦିନ କାମ ଯୋଗାଇଦେବା ଓ ଦୈନିକ ମଜୁରୀ ୮୫୫ ଟଙ୍କାକୁ ବୃଦ୍ଧି କରିବା, କୃଷି କ୍ଷେତ୍ର ସହ ଯୋଡ଼ି ମଜୁରୀ ଭରଣା କରିବା, ସମସ୍ତ ନରେଗା ଶ୍ରମିକଙ୍କୁ ତୁରନ୍ତ ନିର୍ମାଣ ଶ୍ରମିକ ପରିଚୟ ପତ୍ର, ସହାୟତା ପ୍ରଦାନ କରିବା, ଶ୍ରମିକଙ୍କ ପରିବାରକୁ ରାସନ କାର୍ଡ଼, ଆବାସ, ରୋଜଗାର ସହାୟତା, କୃଷି ଭିତିକ ଶିଳ୍ପ ପ୍ରତିଷ୍ଠା ଓ ବ୍ୟାପକ ନିଯୁକ୍ତି, ନରେଗା କାର୍ଯ୍ୟରେ ମେସିନ ବ୍ୟବହାରକୁ ସମ୍ପୁର୍ଣ୍ଣ ନିଷିଦ୍ଧ କରିବା ଏବଂ ସମସ୍ତ କୃଷକ ବିରୋଧୀ, ଶ୍ରମିକ ବିରୋଧୀ ଓ ଜନ ବିରୋଧୀ ଆଇନକୁ ରଦ୍ଧ କରିବା ଭଳି ୧୦ଟି ଦାବୀକୁ କାର୍ଯ୍ୟକାରୀ କରାଯିବା ପାଇଁ ଦାବି ଜଣାଇଥିଲେ । ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି ଦେବା ସହ ବିକ୍ଷୋଭ ପଦର୍ଶନ କରିଥିଲେ । ପରେ ନରେଗା କାର୍ଯ୍ୟରେ ନିଯୁକ୍ତ ଶ୍ରମିକ ମାନଙ୍କ ୧୦ ଦଫାକୁ କାର୍ଯ୍ୟକାରୀ କରିବା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦ୍ୟେଶରେ ଏକ ସ୍ମାରକ ପତ୍ର ହିଞ୍ଜିଳିକାଟୁ ବିଡ଼ିଓ ପାତ୍ରଙ୍କ ଜରିଆରେ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଟିୟୁସିଆଇ ରାଜ୍ୟ ସଭାପତି ଶିବରାମ, ମାନବ ଅଧିକାର ସୁରକ୍ଷା ମଂଚ ଆବାହକ ଅବନି ଗୟା, କ୍ରାନ୍ତକାରୀ କୃଷକ ସଭା ରାଜ୍ୟ ସମ୍ପାଦକ ଶଙ୍କର ସାହୁ, ଜନ ଜାଗରଣ ଅଭିଯାନ ଆବାହକ ମଧୁସୂଦନ, ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିୟନ ଜିଲ୍ଲା ସମ୍ପାଦକ ରାମଚନ୍ଦ୍ର ବାଡ଼ତ୍ୟା, ଜିଲ୍ଲା କମିଟି ସଦସ୍ୟା ତଥା ହିଞ୍ଜିଳି ବ୍ଳକ ସଭାନେତ୍ରୀ ପି. ପାର୍ବତୀ, ନାରାୟଣ ବରଡ଼, ପି. ଯୋଗେନ୍ଦ୍ର, ଲକ୍ଷ୍ମୀ ନାଇକ, ସାବିତ୍ରୀ ବେହେରା, ଏନ. କୃଷ୍ଣମୂର୍ତିଙ୍କ ସମେତ ୫ଶହରୁ ଉର୍ଦ୍ଧ୍ୱ ମହିଳା ଶ୍ରମିକ ଅଂଶ ଗ୍ରହଣ କରିଥିଲେ । ଅନ୍ୟପକ୍ଷରେ କରୋନା ସଂକ୍ରମଣ ଭୟ ଲାଗି ରହିଥିବାରୁ ପ୍ରଶାସନ ପକ୍ଷରୁ ବିବାହ, ବ୍ରତ ଗୃହ ପ୍ରବେଶ କାର୍ଯ୍ୟରେ ଭୋଜିର ଆୟୋଜନ କରିବା ଲାଗି ସର୍ବାଧିକ ୧୦୦ ଜଣ ଓ ମୃତ୍ୟୁ ଦ୍ୱ।ଦଶାହ କାର୍ଯ୍ୟରେ ସର୍ବାଧିକ ୫୦ ଜଣ ପର୍ଯ୍ୟନ୍ତ ଉପସ୍ଥିତ ରହିବା ସକାଶେ କଟକଣା ଜାରୀ କରାଯାଇଥିବା ବେଳେ ରାଲିରେ ୫ଶହରୁ ଉର୍ଦ୍ଧ୍ୱ ମହିଳା ଶ୍ରମିକ ଏକାଠି ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ସାମାଜିକ ଦୁରତ୍ୱ ରକ୍ଷା ହୋଇନଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କିଭଳି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ, ନା ରାଲିରେ ଯୋଗଦେଲେ କରୋନା ସଂକ୍ରମିତ ହେବ ନାହିଁ । ଏ ନେଇ ବୁଦ୍ଧିଜୀବି ମହଲରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ