କ୍ରିୟାନୁଷ୍ଠାନ କମିଟି ଓ ବିଭିନ୍ନ ଗଣସଂଗଠନ ପକ୍ଷରୁ ମିଳିତ ଆନ୍ଦୋଳନର ଚେତାବନୀ
ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର ଜିଲ୍ଲାରେ ସରକାରୀ ଉନ୍ନତ ସ୍ୱାସ୍ଥ୍ୟସେବା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଶନିବାର ଦିନ ଅପରାହ୍ନରେ ବିଭିନ୍ନ ସାମାଜିକ, ସାଂସ୍କୃତିକ, ସାହିତ୍ୟିକ ଓ ଗଣସଂଗଠନ ତଥା ନିର୍ବାଚିତ ଜନପ୍ରତିନିଧିଙ୍କ ବୈଠକ ମମତା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ରୋଗୀସେବାରେ ବିଭିନ୍ନ ତ୍ରୁଟି ଏବଂ କେତେକ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଅସହଯୋଗ ଫଳରେ ଅନେକ ରୋଗୀ ସଠିକ୍ ଚିକିତ୍ସା ପାଉନଥିବାର ଅଭିଯୋଗ ଉପରେ ବିଭିନ୍ନ ସଂଗଠନରୁ ଯୋଗଦେଇଥିବା ପ୍ରତିନିଧିମାନେ ବିଶଦ ଆଲୋଚନା କରିଥିଲେ । ଫକୀରମୋହନ ମେଡିକାଲ୍ କଲେଜ୍ ହସପିଟାଲ୍ ସମେତ ଜିଲ୍ଲାର ବହୁ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର, ବିଶେଷଜ୍ଞ ଏବଂ ସ୍ୱାସ୍ଥ୍ୟକର୍ମୀ ନଥିବାରୁ ଅନେକ ସମସ୍ୟାର ସମାଧାନ ହୋଇପାରୁନଥିବା ସମ୍ପର୍କରେ ମତପ୍ରକାଶ ପାଇଥିଲା । ମେଡିକାଲ୍ କଲେଜ୍ ହସପିଟାଲରେ ହୃଦରୋଗ ଓ ସ୍ନାୟୁରୋଗଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ବିଶେଷଜ୍ଞ ଡାକ୍ତର ନଥିବାରୁ କେତେକ ରୋଗୀଙ୍କୁ ବିଶେଷ ଚିକିତ୍ସା ପାଇଁ କଟକ କିମ୍ବା ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଉଛି । ତେଣୁ ରାଜ୍ୟ ସରକାର ଏଥିପାଇଁ ଗୁରୁତ୍ୱଦେବାକୁ ବୈଠକରେ ନିବେଦନ କରାଯାଇଛି । ସରକାରୀ ଚିକିତ୍ସାଳୟମାନଙ୍କରେ ରୋଗୀମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହେବାପାଇଁ ସ୍ଥାନୀୟ କ୍ରିୟାନୁଷ୍ଠାନ କମିଟିର ପ୍ରତିନିଧିମାନଙ୍କୁ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଆବଶ୍ୟକୀୟ ଅନୁମତି ପ୍ରଦାନ କରିବାକୁ ବୈଠକରେ ଦାବି କରାଯାଇଛି । ଏମ୍ସ ସାଟେଲାଇଟ୍ ସେଣ୍ଟରର ବହିର୍ବିଭାଗ ପ୍ରତି ସପ୍ତାହକୁ ଦୁଇଦିନ କାର୍ଯ୍ୟକାରୀ ହେଉଥିବାରୁ ଅନେକ ସଦସ୍ୟ ଆନନ୍ଦ ପ୍ରକାଶ କରିଥିଲେ । କିନ୍ତୁ ଏହାକୁ ପ୍ରତିଦିନ କାର୍ଯ୍ୟକ୍ଷମ କରିବା ଓ ଏମ୍ସ୍ ସାଟେଲାଇଟ୍ର ପ୍ରସ୍ତାବିତ ୩୦୦ ଶଯ୍ୟାବିଶିଷ୍ଟ ହସ୍ପିଟାଲ୍ ପାଇଁ ଆବଶ୍ୟକୀୟ ଅର୍ଥମଞ୍ଜୁର କରିବାକୁ କେନ୍ଦ୍ରସରକାରଙ୍କ ନିକଟରେ ଦାବି କରାଯାଇଛି । ମଞ୍ଜୁରୀପ୍ରାପ୍ତ ଜେନେରାଲ୍ ନର୍ସିଂ ଓ ବିଏସ୍ସି ନର୍ସିଂ କଲେଜ୍ ଏବଂ ଆୟୁଷ୍ ହସପିଟାଲ୍ର ନିର୍ମାଣକାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ରାଜ୍ୟସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ଗୁରୁତ୍ୱାରୋପ କରିବାକୁ ନିବେଦନ କରାଯାଇଛି । ଏହି ପରିବର୍ଦ୍ଧିତ ଜିଲ୍ଲା କମିଟି ବୈଠକରେ କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପରିଡ଼ା ଓ ସାଧାରଣ ସମ୍ପାଦକ ପ୍ରଦୀପ ଦାସ, ନିରଞ୍ଜନ ରାଉତ, ଗୌରାଙ୍ଗ ପାଣିଗ୍ରାହୀ, ସୀତାରାମ ପ୍ରଧାନ, ରମେଶ ଚନ୍ଦ୍ର ଜେନା, ପ୍ରଫୁଲ୍ଲ ଦାସ, ସରସ୍ୱତୀ ପଣ୍ଡାଙ୍କ ସମେତ ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଅବସରପ୍ରାପ୍ତ କର୍ମଚାରୀ ସଂଘର ଉପସଭାପତି ଇଂ. ଗୌରାଙ୍ଗ ସାହୁ, ସିଭିଲ୍ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ଓକିଲ ସଂଘ ସଭାପତି ମନୋଜ ନାୟକ, ଅବସରପ୍ରାପ୍ତ ବ୍ୟାଙ୍କ୍ କର୍ମଚାରୀ ନେତା ଅନୀଲ୍ ପଟ୍ଟନାୟକ, ସ୍ୱେଚ୍ଛାସେବୀ ସଂଗଠନ ‘ସହାୟକ’ ପକ୍ଷରୁ ଇଂ. ବନମାଳୀ ନାୟକ, ମୋହରୀର ସଂଘର ସମ୍ପାଦକ ନିରାକାର ରାଉତ, ସଂଖ୍ୟାଲଘୁ ସଂପ୍ରଦାୟର ପ୍ରତିନିଧି ଇନ୍ତେକାବ୍ ଅଲ୍ଲୀ ଖାନ୍, ଶ୍ରମିକ ସଂଗଠନ ତରଫରୁ ଶ୍ୟାମସୁନ୍ଦର ଜେନା, ସର୍ବୋଦୟ ନେତା ବିଧାନ ରାୟ, ‘ମୋନା’ର ଉପଦେଷ୍ଟା ଡ. କେଶବ ଚରଣ ପଣ୍ଡା, ଜିଲ୍ଲା ରକ୍ତଦାତା ସଂଘର ସମ୍ପାଦକ ତଥା ରୋଟାରିଆନ୍ ଡ. ହୃଷିକେଶ ସାହୁ, ଉତ୍କଳ ମହିଳା ସମିତି ପକ୍ଷରୁ ବନ୍ଦନା ପାତ୍ର, ନାରୀ ସଂଗଠନ ପକ୍ଷରୁ କ୍ରୀଷ୍ଣା ଶାହା, ଡାକକର୍ମଚାରୀ ନେତା ଅକ୍ଷୟ ତ୍ରିପାଠୀ ଓ ବିଭିନ୍ନ ଗଣସଂଗଠନ ପକ୍ଷରୁ ପ୍ରମୁଖ କର୍ମକର୍ତ୍ତାମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପ୍ରମୁଖ ସ୍ୱାସ୍ଥ୍ୟସମସ୍ୟା ଗୁଡ଼ିକର ସମାଧାନ ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ଯଦି ବିହୀତ କାର୍ଯ୍ୟପନ୍ଥା ଗ୍ରହଣ ନକରନ୍ତି ଆଗାମୀ ବିଧାନସଭା ସମୟରେ ସ୍ଥଗିତ ଥିବା ଚନ୍ଦନେଶ୍ୱରରୁ ଭୁବନେଶ୍ୱର ପର୍ଯ୍ୟନ୍ତ ପଦଯାତ୍ରାରେ ଏହି ସଂଗଠନମାନଙ୍କର ପ୍ରତିନିଧିମାନେ ଯୋଗଦେବାକୁ ସେମାନଙ୍କର ଅଙ୍ଗୀକାରବଦ୍ଧତା ଘୋଷଣା କରିଥିଲେ । କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଉପସ୍ଥିତମାନଙ୍କୁ ଆଇନ୍ଜୀବୀ ପ୍ରଭାକର ସାହୁ ଧନ୍ୟବାଦ ଦେଇଥିଲେ ।


