ଖଣିକ୍ଷେତ୍ର ପରିଦର୍ଶନ ପାଇଁ ବନବିଭାଗର ଡି.ଆଇ.ଜି ଙ୍କ ଯୋଡା ଗସ୍ତ

ଯୋଡା,(ନାରାୟଣ ପଲାଇ): କେନ୍ଦୁଝର ଜିଲା ଯୋଡା ଖଣିମଣ୍ଡଳର ଖଣିକ୍ଷେତ୍ର ପରିଦର୍ଶନ ପାଇଁ କେନ୍ଦ୍ର ସରକାରଙ୍କର ମିନିଷ୍ଟ୍ରି ଅଫ୍ ଏନଭାଇରନମେନ୍‌ଟ ଏଣ୍ଡ୍ ଫରେଷ୍ଟ (ଏମ.ଓ.ଇ.ଏଫ)ର ଡି.ଆ.ଜି ଆଇଏଫ୍‌ଏସ୍ ଅଫିସର ପଦ୍ମା ମହାନ୍ତି ଯୋଡା ଗସ୍ତରେ ଆସିଥିବା ସୂତ୍ରରୁ ଖବର ମିଳିଛି । ବନବିଭାଗ ସୂତ୍ରରୁ ଜଣାପଡିଛି ଯେ, ଡି.ଆଇ.ଜି ପଦ୍ମା ମହାନ୍ତି ଯୋଡା ଖଣିମଣ୍ଡଳରେ ଥିବା ଖଣିଗୁଡିକ ଦ୍ୱାରା ପ୍ରଭାବିତ ଜଙ୍ଗଲର ସ୍ଥିତିକୁ ଅନୁଧ୍ୟାନ କରିବେ । ମହାନ୍ତିଙ୍କ ସହିତ କେନ୍ଦୁଝର ଡି.ଏଫ୍‌.ଓ ସ୍ୱୟମ୍ ମଲ୍ଲିକ, ଚମ୍ପୁଆ ରେଞ୍ଜର ଘାସିନାଥ ପାତ୍ରଙ୍କ ସମେତ ବିଭିନ୍ନ ସେକ୍ସନର ଫରେଷ୍ଟର, ବିଭିନ୍ନ ଖଣି ଏବଂ ବନବିଭାଗର ଅଧିକାରୀମାନେ ଏହି ଗସ୍ତରେ ସାମିଲ ଅଛନ୍ତି । ଦୁଇ ଦିନିଆ ଗସ୍ତରେ ଆସିଥିବା ଏମ.ଓ.ଇ.ଏଫ୍ ର ଡି.ଆଇ.ଜି ମହାନ୍ତି ମଙ୍ଗଳବାର ଅପରାହ୍ନରେ ପହଁଚି ଯୋଡା ଖଣିମଣ୍ଡଳର ଉଁଚ୍ଚବାଲିସ୍ଥିତ ଇନ୍ଦ୍ରାଣି ପଟ୍ଟନାୟକ ଖଣି ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏତଦ୍‌ବ୍ୟତୀତ ଆସନ୍ତାକାଲି ବୁଧବାର ଯୋଡା ଖଣିମଣ୍ଡଳର ମାଲାରାୟ ଏଣ୍ଡ ଅଦର୍ସ, ଶ୍ରୀମେଟାଲିକ୍ସ ପ୍ରଭୃତି ଖଣି ପରିଦର୍ଶନ କରିବେ । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜଣାପଡିଛି ଯେ, ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମିରେ ରୁପାନ୍ତରିତ କରି ଖଣି ଖନନ ପାଇଁ ବହୁ ଲିଜ୍‌ଧାରୀ ଡାଇଭର୍ସନ ପ୍ରୋପଜାଲ ଦେଇ ବୈଧାନିକ ସର୍ତ ପୂରଣ କରିବାପରେ ଖଣି ଖନନ କରିଥାନ୍ତି । ହେଲେ ୨୦୦୭ ରୁ ୨୦୧୦ ମସିହା ମଧ୍ୟରେ ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମିରେ ରୁପାନ୍ତରିତ ନ କରି ଏବଂ ଏଥି ସହିତ ୧୯୮୦ ଫରେଷ୍ଟ କୋନ୍‌ଜରର୍ଭେସନ ଆକ୍ଟ ର ଉଲ୍ଲଂଘନ କରି କିଛି ଲିଜ୍‌ଧାରୀ ବେଆଇନ ଭାବେ ଖଣିଜ ଖନନ କରିଥିଲେ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କର ଏମ.ଓ.ଇ.ଏଫ୍ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କର ବନବିଭାଗ ସହ ସମନ୍ୱୟ ରକ୍ଷା କରି ବିଭିନ୍ନ ଖଣି ଅଂଚଳରେ ଏହି ବେଆଇନ ଖଣି ଖନନକୁ ରୋକିବା ପାଇଁ ଓ ଜଙ୍ଗଲ ପରିବେଶକୁ ସୁରକ୍ଷା ଦେବାପାଇଁ ଏହି ଉଚ୍ଚସ୍ତରୀୟ ଗସ୍ତର କାରଣ ବୋଲି ସୂତ୍ରରୁ ଜଣାପଡିଛି । ଏହି ଗସ୍ତ ସମୟରେ ଓରସାକ (ଓରିସା ସ୍ପେଶ୍ ଆପ୍ଲିକେସନ ରିସର୍ଚ୍ଚ ସେନ୍‌ଟର) ଦ୍ୱାରା ଡି.ଜି.ପି.ଏସ. (ଡିଫରେନ୍ସିଆଲ ଗ୍ଲୋବାଲ ପୋଜିସନିଙ୍ଗ ସିଷ୍ଟମ) ମାଧ୍ୟମରେ ଚିହ୍ନଟ ହୋଇଥିବା ୭.୫ ମିଟର ସେଫ୍ଟି ଜୋନ୍ ସହିତ ଖଣି ଲିଜ୍‌ର ସ୍ଥିତି ଜଣାପଡିବ । ଯଦି କୌଣସି ଖଣି ଲିଜ୍ ବାଉଣ୍ଡରି ବାହାରକୁ ଯାଇ ବନାଂଚଳରେ ଖଣି ଖନନ କରିଛି ଏହାର ମଧ୍ୟ ବାସ୍ତବ ଚିତ୍ର ଜଣାପଡିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ