ଖରସ୍ରୋତା ମେଗା ଜଳପ୍ରକଳ୍ପ ବିରୁଦ୍ଧରେ ବିଧାନସଭା ସମ୍ମୁଖରେ ଗଣବିକ୍ଷୋଭ ଓ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ଭୁବନେଶ୍ୱର, କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଓ ରାଜକନିକା ଦେଇ ପ୍ରବାହିତ ଖରସ୍ରୋତା ନଦୀ ଉପରେ ଯେଉଁ ମେଗା ଜଳପ୍ରକଳ୍ପ ନିର୍ମାଣ ହେବାକୁ ଯାଉଛି, ତା’ର ପ୍ରତିବାଦର ସ୍ୱର ଆଜି ରାଜଧାନୀ ଭୁବନେଶ୍ୱରରେ ବିଧାନସଭା ସମ୍ମୁଖରେ ଦେଖିବାକୁ ମିଳିଛି । “ଖରସ୍ରୋତା ବଂଚାଓ ଅଭିଯାନ” ଆହ୍ୱାନରେ ଏହି ମେଗା ପ୍ରକଳ୍ପକୁ ବିରୋଧ କରି ଶତାଧିକ ଆଳି ଓ ରାଜକନିକା ମାଟିର ଜନସାଧାରଣ ନାରୀନେତ୍ରୀ ସୁଜାତା ବାରିକଙ୍କ ନେତୃତ୍ୱରେ ମାଷ୍ଟରକ୍ୟାଂଟିନ୍ ଛକରୁ ଏକପ୍ରତିବାଦ ଶୋଭାଯାତ୍ରାରେ ଲୋୟର ପି.ଏମ୍‌.ଜି. ପର୍ଯ୍ୟନ୍ତ ଯାଇଥିଲେ । ମହିଳାମାନେ କାଖରେ ଖାଲି ମାଠିଆ ଧରି ଖରସ୍ରୋତା ପାଣି ଆମର, ଆମ ଶବ ଉପରେ ସରକାର ତୁମେ ପାନୀୟ ଜଳ ପ୍ରକଳ୍ପ କରିବ, ବିପ୍ଳବୀ କନିକାର ଇତିହାସ ତୁମକୁ ଜଣା, ମେଗା ପ୍ରକଳ୍ପ କରାଇ ଦେବୁନାହିଁ, ଆଳି ଓ ରାଜକନିକାକୁ ମରୁଭୂମି ହେବାକୁ ଦେବୁନାହିଁ । ଓଡ଼ିଶାର ଗର୍ବ ଓ ଗୌରବ ଭିତରକନିକା ଅଭୟାରଣ୍ୟକୁ ଧ୍ୱଂସ କରିବାକୁ ଆମେ ଦେବୁନାହିଁ ଆଦି ସ୍ଲୋଗାନ୍ ଦେଇ କାଖରେ ମାଠିଆ ଧରି ଏହି ବିକ୍ଷୋଭକାରୀମାନେ ପ୍ରତିବାଦ କରିଥିଲେ । ପୋଲିସ୍ ଅଟକାଇବାରୁ ସେଠାରେ ଏକ ପ୍ରତିବାଦ ସଭାରେ “ଖରାସ୍ରୋତା ବଂଚାଓ ଅଭିଯାନ’ର ସଭାପତି ତଥା କୃଷକ ନେତା ଭରତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିବାଦ ସଭାରେ ସଂଜୟ ବଳ, ସୁରଜ ବେହେରା, ବିନ୍ଦୁଲତା ବଳିୟାରସିଂହ, ସାଗର ତ୍ରିପାଠୀ, ରୀତେଶ ବାରିକ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ସେମାନେ କହିଥିଲେ କି, ଖରସ୍ରୋତା ଉପରେ ନିର୍ମିତ ହେଉଥିବା ମେଗା ପାନୀୟ ପ୍ରକଳ୍ପ ଯୋଗୁଁ ଭଦ୍ରକ ଜିଲ୍ଲାର ୪ଟି ବ୍ଲକର ୮୮ଟି ଗ୍ରାମ ପଂଚାୟତକୁ ପାନୀୟ ଜଳ ଯୋଗାଇବାରେ ଆମର ଆପତି ନାହିଁ । କିନ୍ତୁ ଖରସ୍ରୋତା ନଦୀର ତଳ ମୁଣ୍ଡରେ ଏକ ବ୍ୟାରେଜ୍ କରିବାକୁ ଆମେ ଦାବି କରୁଛୁ । ତା’ ନହେଲେ ଖରସ୍ରୋତା ଶୁଖିଯିବ, ଏହାର ଭୂତଳ ଜଳ ଲବଣାକ୍ତ ହୋଇଯିବ । ଖରସ୍ରୋତାର ପାଣି ଲୁଣିଆ ହୋଇଗଲେ ଏହା ଉପରେ ନିର୍ଭର କରୁଥିବା ଆଳି ଓ ରାଜକନିକାର ୫୫ ହଜାର ପରିବାରର ଅଢେଇ ଲକ୍ଷ ଲୋକ ପିଇବା ପାଇଁ ଟୋପାଏ ପାଣି ପାଇବେ ନାହିଁ । ଚାଷବାଷ ଧ୍ୱଂସ ହେବା ସହିତ ପଶୁ ସମ୍ପଦ ମଧ୍ୟ ପାଣି ପାଇଁ ଡହଳ ବିକଳ ହେବେ । ଲୋକଙ୍କର ଜୀବନ ଜୀବିକା ବୁଡ଼ିଯିବ । ଖରସ୍ରୋତାର ଭୂଗର୍ବ ଜଳ ଲବଣାକ୍ତ ହେଲେ, ଭିତରକନିକା ଅଭୟାରଣ୍ୟ ଉପରକୁ ବିପଦ ମାଡ଼ିଆସିବ ଓ ଲବଣାକ୍ତ ଜଳ ଯୋଗୁଁ ଏହା ଧ୍ୱଂସ ପାଇଯିବ । ତେଣୁ ଆଳି ଓ ରାଜକନିକା ଲୋକଙ୍କର ଧନଜୀବନର ସୁରକ୍ଷା ଓ ଭିତରକନିକା ଅଭୟାରଣ୍ୟର ସୁରକ୍ଷା ଦୃଷ୍ଟିରୁ ଏହି ମେଗା ପ୍ରକଳ୍ପକୁ ତୁରନ୍ତ ବାତିଲ୍ କରିବାକୁ ଆବାହିକା ସୁଜାତା ବାରିକ ଦାବି କରିଥିଲେ । ଏକ ୪ଜଣିଆ ପ୍ରତିନିଧି ଶ୍ରୀମତୀ ବାରିକଙ୍କ ନେତୃତ୍ୱରେ ସର୍ବଶ୍ରୀ ଭରତ ଦାସ, ସୁରଜ ବେହେରା, ବିନ୍ଦୁଲତା ବଳିୟାରସିଂହ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇ ଏକ ତିନିଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ । ଏହି ସ୍ମାରକପତ୍ରରେ “ଖରସ୍ରୋତା ବଂଚାଓ ଅଭିଯାନ” ପକ୍ଷରୁ କୁହାଯାଇଛି ଯେ, (୧) ଖରସ୍ରୋତାରେ ଏକ ବ୍ୟାରେଜ୍ ନିର୍ମାଣ କରାଯାଉ (୨) ଆଳି ଓ ରାଜକନିକା ଅଂଚଳରେ ପ୍ରତି ପରିବାରକୁ ବିଶୁଦ୍ଧ ପାନୀୟଜଳ ଯୋଗାଇଦେବା ସହିତ ଏ ଅ ଳର ଜଳ ସେଚନ ପାଇଁ ଉଠା ଜଳସେଚନ ଜରିଆରେ ସବୁ ଜମିକୁ ପାଣି ଯୋଗାଇ ଦିଆଯାଉ ଓ (୩) ଆଳି ଓ ରାଜକନିକା ଅଂଚଳର ଭୂଗର୍ଭ ମଧୁର ଜଳକୁ ସୁରକ୍ଷା ଦେବା ସହିତ ଭିତରକନିକା ଅଭୟାରଣ୍ୟକୁ ସୁରକ୍ଷିତ ରଖାଯାଉ । ଶେଷରେ ରିତେଶ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।ଖରସ୍ରୋତା ମେଗା ଜଳପ୍ରକଳ୍ପ ବିରୁଦ୍ଧରେ ବିଧାନସଭା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ