ଗଜପତିରେ୨ବାଇକ ମୁହାମୁହିଁ ଧକ୍କା; ଜଣେ ମୃତ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଆର୍.ଉଦୟଗିରି ବ୍ଲକ ରାମଗିରି ଥାନା ଅଞ୍ଚଳରେ ଦୁଇ ବାଇକ ମୁହା ମୁହିଁ ଧକ୍କା ହେବା ଫଳରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ହୋଇଥିବାର ଜଣାପଡିଛି । ରାମଗିରି ଗ୍ରାମ ନିକଟରେ ରାମଗିରି-ଛେଳିଗଡ ରାସ୍ତାରେ (ଓଡି୦୭ ଏଲ୍ ୨୨୪୦) ଏବଂ( ଓଡି୦୭ ଏଲ୍ ୭୩୨୯) ମଧ୍ୟରେ ମୁହାମୁହିଁ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାସ୍ଥଳରେ ଏସ୍.ଗୁଡିସାହିର ମହାଦେବ ଭୂୟାଁ (୨୩)ଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ବାଇକର ପୁରୁପୁଟ ଗ୍ରାମର ଦୁଇଜଣ ଗୁରୁତ ଆହତ ହୋଇଥିଲେ । ଆହତ ଦ୍ୱୟଙ୍କୁ ପ୍ରଥମେ ରାମଗିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯିବାପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବ୍ରହ୍ମପୁରୁ ସ୍ଥାନାନ୍ତରିତ କରାଯାଇଛି । ଘଟଣା ସମ୍ପର୍କରେ ରାମଗିରି ଥାନା ପୋଲିସ ପହଂଚି ମୃତକଙ୍କ ଶବ ଜବତ କରି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଦେଇଥିଲେ । ମୃତକଙ୍କୁ ପ୍ରଶାସନ ତରଫରୁ ୨୦ହଜାର ଟଙ୍କା ରେଡ୍କ୍ରସ ପାଣ୍ଠିରୁ ସହାୟତା ରାଶି ପ୍ରଦାନ କରାଯାଇଥିବାର ଜଣାପଡିଛି । ଏନେଇ ରାମଗିରି ଥାନାରେ ୩୫/୨୦ରେ ଏକ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ବିକାଶ ସେଠୀ ଜଣାଇଛନ୍ତି ।


