ଗଜପତିରେ ଅଚିହ୍ନା ରୋଗର ଆତଙ୍କ : ୨ମାସରେ ୧୦ ମୃତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ମୋହନା ବ୍ଲକରେ ଅଚିହ୍ନା ରୋଗର ଆତଙ୍କ ଦେଖାଦେଇଛି । ଏଥିରେ ଗତ ୨ମାସ ମଧ୍ୟରେ ୧୦ଜଣଙ୍କ ମୃତ୍ୟୁ ଘଟିଥିବା ଯୋଗୁଁ ଅଞ୍ଚଳବାସୀଙ୍କ ଠାରେ ଭୟର ଆତଙ୍କ ସୃଷ୍ଟି ହୋଇଛି । ଘଟଣାରୁ ପ୍ରକାଶ ମୋହନା ବ୍ଲକର ଆଲିଗଣ୍ଡା ଗ୍ରାମରେ ୨ମାସ ମଧ୍ୟରେ ପ୍ରାୟ ୧୦ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ଏନେଇ ଏହି ଗ୍ରାମର ଗ୍ରାମବାସୀ କହିଛନ୍ତି, ପ୍ରଥମେ ଲୋକଙ୍କୁ ସାମାନ୍ୟ ଜ୍ୱର ହେବା ସହ ପରେ ଏହାର ମାତ୍ରା ବିଶେଷ ଭାବେ ବଢିଯାଉଛି । ଏହି ଜ୍ୱର ହେବା ପରେ ଗ୍ରାମାଞ୍ଚଳରେ ଥିବା ଡାକ୍ତରଙ୍କ ପରାମର୍ଶକ୍ରମେ କିଛି ଔଷଧ ଦିଆଯାଉଛି । ହେଲେ ଏହି ଉପଚାରରେ କିଛି ଲୋକ ସୁସ୍ଥ ହେଉଥିବା ବେଳେ ଅନ୍ୟ କିଛି ଲୋକଙ୍କ ମୃତ୍ୟୁ ଘଟୁଛି । ଏଭଳି ଭାବେ ଗତ ୨ମାସ ମଧ୍ୟରେ ୧୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ଜାଣିବା ପରେ ଆଲିଗଣ୍ଡା ଗ୍ରାମକୁ ମୋହନା ଡାକ୍ତରଖାନାରୁ ଡାକ୍ତର ନମିତା ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ୍ ଗସ୍ତ କରି ସବୁ କିଛି ଅନୁଧ୍ୟାନ କରିଛନ୍ତି । ଲୋକଙ୍କୁ ଆବଶ୍ୟକ ସଚେତନ କରିବା ସହ ଲୋକଙ୍କ ଠାରୁ ରକ୍ତ ନମୂନା ସଂଗ୍ରହ କରିବା ପାଇଁ ଏହି ଡାକ୍ତରୀଦଳ ଅନୁରୋଧ କରିଥିଲେ । ହେଲେ ମାତ୍ର ୫ରୁ ୭ ଗ୍ରାମବାସୀଙ୍କ ବ୍ୟତୀତ ଅନ୍ୟ କେହି ରକ୍ତନମୁନା ଦେବା ପାଇଁ ଆସି ନ ଥିବା ସୂଚନା ମିଳିଛି । ଏମାନଙ୍କ ରିପୋର୍ଟରେ କୌଣସି ସଂକ୍ରମଣର ନଥିବାର ମଧ୍ୟ ସୂଚନା ମିଳିଛି । ତଥାପି ଗ୍ରାମବାସୀଙ୍କୁ ଔଷଧ ବଣ୍ଟନ କରାଯାଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ଏହି ଆଲିଗଣ୍ଡା ପରି ଅନେକ ଦୁର୍ଗମ ଗ୍ରାମ ରହିଛି । ଯେଉଁ ଠାରେ କି ଲୋକେ ବିଭିନ୍ନ କାରଣରୁ ରୋଗାଗ୍ରସ୍ତ ହୁଅନ୍ତି । ଗ୍ରାମାଞ୍ଚଳରେ ରହୁଥିବା କ୍ୱାକମାନଙ୍କ ବିପଦଜନକ ଚିକିତ୍ସା ଓ ଔଷଧ ପ୍ରଦାନ ଯୋଗୁଁ ଗ୍ରାମାଞ୍ଚଳରେ ଲୋକଙ୍କ ଏଭଳି ଅକାଳ ମୃତ୍ୟୁ ଘଟୁଛି । ପ୍ରଶାସନ ଏନେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ।


