ଗଜପତିର ଦୁର୍ଗମ ତିତିସିଂ ଗ୍ରାମରେ ପ୍ରଶାସନର ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଦୁର୍ଗମ ଅଞ୍ଚଳ ତିତିସିଂ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସର ଠାରେ ଜିଲ୍ଲା ପ୍ରଶାସନ ଦ୍ବାରା ଗ୍ରାମ୍ୟମୁଖି ପ୍ରଶାସନ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଜନ ଶୁଣାଣିରେ ମୁଖ୍ୟତଃ ବ୍ଲକର ବିଭିନ୍ନ ପଞ୍ଚାୟତର ଗ୍ରାମାଞ୍ଚଳରେ ରାସ୍ତା,ପାନୀୟ ଜଳ, ବିଦ୍ୟୁତ ନେଟୱର୍କ, ସ୍ୱାସ୍ଥ୍ୟ ସେବା, ଆବାସ ଯୋଜନା,ବାର୍ଦ୍ଧକ୍ୟ ଭତ୍ତା ଭଳି ମୋଟ ୫୨ଟି ଅଭିଯୋଗ ସମାଧାନ ପାଇଁ ପଞ୍ଜିକୃତ ହୋଇଥିଲା। ସେଥି ମଧ୍ୟରୁ ୪୧ଟି ଅଭିଯୋଗ ଗୋଷ୍ଠୀଗତ ହୋଇଥିବା ବେଳେ ୧୧ଟି ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ରହିଥିବା ବେଳେ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ(ଏଡିଏମ୍ ) ବିରେନ୍ଦ୍ର କୁମାର ଦାସ ,ଉପ ଆରକ୍ଷୀ ଅଧିକ୍ଷକ ସୁନିଲ ମହାନ୍ତି ସହିତ ବ୍ଲକ ଅଧ୍ୟକ୍ଷା ମାଳତୀ ପ୍ରଧାନ, ବିଡିଓ ଲୋକନାଥ ଶବର, ତହସିଲଦାର ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ ସମେତ ଜିଲ୍ଲା ଏବଂ ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଘଟଣାସ୍ଥଳରେ ହିଁ ଲୋକଙ୍କ ଅଭିଯୋଗର ଶୁଣାଣୀ କରି ବିଭିନ୍ନ ସମସ୍ୟାର ତ୍ୱରିତ ସମାଧାନ କରିଛନ୍ତି। ୮ଜଣ ନୂତନ ହିତାଧି କରିଙ୍କୁ ମଧୁବାବୁ ପେନସନ ଦିଆଯିବା ସହ ଅସୁସ୍ଥ ଥିବା ୨ଜଣ ବ୍ୟକ୍ତିଙ୍କୁ ଚିକିତ୍ସା ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଜଣକୁ ୫୦୦୦ ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରିଥିଲେ ଜିଲ୍ଲା ପ୍ରଶାସନ। ଏଥି ସହ ଗୋଟିଏ ଅଙ୍ଗୱାଡ଼ି କର୍ମିକୁ ଚାକିରିରୁ ବହିଷ୍କୃତ କରି ସେହି ସ୍ଥାନରେ ଅନ୍ୟକୁ ନିଯୁକ୍ତି ଦିଆଯାଇଥିବା ଏବଂ ଉନ୍ନୟନ କାର୍ଯ୍ୟ କରି ଠିକ ସମୟରେ ବିଲ ପାଇନଥିବା ଭଳି ଅଭିଯୋଗ ହୋଇଥିଛି। ଜିଲ୍ଲାପାଳଙ୍କ ସହ ଆଲୋଚନା ଚାକିରି ହରାଇଥିବା ଅଙ୍ଗନୱାଡ଼ି କର୍ମୀଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରାଯିବ ବୋଲି ଏଡିଏମ୍ କହିଛନ୍ତି। ଏଥିରେ ବିଭିନ୍ନ ବିଭାଗ ଦ୍ଵାରା ବିଭିନ୍ନ ଷ୍ଟଲ ଖୋଲାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ନୂଆଗଡ଼ ପଞ୍ଚାୟତ ସମିତି ର ସମସ୍ତ ବିଭାଗୀୟ କର୍ମଚାରୀ କାର୍ଯ୍ୟକ୍ରମ ସହଯୋଗ କରିଥିଲେ।


