ଗଜପତିର ଲାଇଲାଇ ଗ୍ରାମବାସୀଙ୍କୁ ଭଗବାନ ସାହା, ଧାରା ଶ୍ରାବଣରେ ମଧ୍ୟ ଜଳ କଷ୍ଟ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଅନେକ ବିକାଶ ଯୋଜନା କାର୍ଯ୍ୟକାରୀ ହୋଇଆସୁଛି. ତଥାପି ବର୍ତ୍ତମାନ ସୁଦ୍ଧା ଅନେକ ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି. ବର୍ତ୍ତମାନ ଧାରା ଶ୍ରାବଣ ମାସ ଚାଲିଛି. ଏଥି ସହିତ ଲଘୁଚାପ ଯୋଗୁଁ ଲଗାତାର ବର୍ଷା ହେବା ଯୋଗୁଁ ନଦୀ ନାଳରେ ବନ୍ୟା ଜଳ ଦେଖା ଦେଇଛି. ଏପରି ସ୍ଥଳେ ଗଜପତି ଜିଲ୍ଲାର ଆଦିବାସୀ ବହୁଳ ଦୁର୍ଗମ ଗ୍ରାମ ଲାଇଲାଇରେ ପିଇବା ପାଇଁ ପାଣି ମିଳୁ ନାହିଁ. ଲୋକେ ଧାରା ଶ୍ରାବଣ ପରି ବର୍ଷା ଋତୁରେ ମଧ୍ୟ ପାଣି ପାଇଁ ଡହଳବିକଳ ହେବାରେ ଲାଗିଛନ୍ତି. ଘଟଣାରୁ ପ୍ରକାଶ ଏହି ଲାଇଲାଇ ଗ୍ରାମରେ ନଳକୂପ ରହିଛି. ହେଲେ, ନଳକୂପରୁ ବାହାରୁଛି ଗୋଳି ପାଣି। ବ୍ୟବହାର କରିବା ଅନୁପଯୁକ୍ତ । ବାଧ୍ୟ ହୋଇ ପାଣି ପାଇଁ ଗାଁ ଠାରୁ ୨ କିଲୋମିଟର ଦୂରରେ ରହିଥ‌ିବା ନାଳ ଉପରେ ନିର୍ଭର କରୁଛନ୍ତି ଲାଇଲାଇ ଗ୍ରାମବାସୀ । ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ସରକାର ବସୁଧା ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଗ୍ରାମବାସୀ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି ।ପ୍ରକାଶ ଯେ, ରାୟଗଡ଼ ବ୍ଲକ୍ ଲାଇଲାଇ ଗାଁ ପଞ୍ଚାୟତ ସଦର ମହକୁମାରେ ଦେଢଶହରୁ ଅଧିକ ପରିବାର ରହୁଛନ୍ତି। ଲୋକସଂଖ୍ୟା ପ୍ରାୟ ହଜାରେ ରହିଥିବାବେଳେ ଗାଁରେ ଦୁଇଟି ନଳକୂପ ରହିଛି। ସେଥୁରୁ ଗୋଳିପାଣି ବାହାରୁ ଥ‌ିବାରୁ ବ୍ୟବହାର କରି ହେଉନାହିଁ । ସେହିପରି ଗ୍ରାଭିଟି ଫ୍ଲା ମାଧ୍ୟମରେ ଗାଁକୁ ପାଣି ଯୋଗାଇବା ପାଇଁ ଏକ ପ୍ରକଳ୍ପ କରାଯାଇଥିଲେ ମଧ୍ୟ ତାହା ଲୋକଙ୍କ କାମରେ ଆସିପାରୁ ନାହିଁ । ବାଧ୍ୟ ହୋଇ ଗାଁ ଠାରୁ ଦୁଇ କିମି ଦୂରରେ ଥ‌ିବା ନାଳ ପାଣି ବ୍ୟବହାର କରୁ ଛନ୍ତି ଗ୍ରାମବାସୀ। ମହିଳାମାନେ ଜଳ ସଂଗ୍ରହ ପାଇଁ ବହୁ ଅସୁବିଧା ଭୋଗୁଛନ୍ତି। ଅନେକ ଲୋକ ବିଭିନ୍ନ ପ୍ରକାର ରୋଗରେ ପଡ଼ୁଥ‌ିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଗ୍ରାମ ପଞ୍ଚାୟତ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ଯାଏଁ ସବୁ ସ୍ଥାନରେ ଜାଣାଯାଇଛି। କିନ୍ତୁ ସମାଧାନ ଆଜି ଯାଏଁ ହୋଇପାରିନାହିଁ । ପାରଳାଖେମୁଣ୍ଡି ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ନିର୍ବାହୀ ଯନ୍ତ୍ରୀ, ବିକାଶ କୁମାର ପତିଙ୍କୁ ପଚାରିବାରେ ସମସ୍ୟା ସଂପର୍କରେ ସେମାନେ ଏବେ ଖବର ପାଇଛନ୍ତି। ତୁରନ୍ତ ଏହି ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି । ତେବେ ସମସ୍ୟାର ସମାଧାନ ତୁରନ୍ତ କରାଯିବା ଆବଶ୍ୟକ ନ ହେଲେ ଉକ୍ତ ଗ୍ରାମରେ ବର୍ଷା ଦିନ ହୋଇଥିବାରୁ ବିଭିନ୍ନ ସଂକ୍ରମଣରେ ଶିକାର ହେବେ ଗ୍ରାମବାସୀ ବୋଲି ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ