ଗଜପତିର ୭୨୫ଟି ଅଭିଯୋଗର ସମାଧାନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ ପାଣ୍ଡିଆନ ଆଜି ତାଙ୍କର ଶେଷ ଗସ୍ତ ସମୟରେ ମିଳିଥିବା ଅଭିଯୋଗ ଆବେଦନର ଅଗ୍ରଗତି ସମୀକ୍ଷା କରିଛନ୍ତି। ମେ ମାସରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ମୋଟ ୭୮୯ଟି ଅଭିଯୋଗ ଆବେଦନ ଆସିଥିବା ବେଳେ ସେଥିମଧ୍ୟରୁ ୭୨୫ଟି ଆବେଦନର ସମାଧାନ ହୋଇଛି ଏବଂ ୬୪ଟି ଆବେଦନ ସମାଧାନର ବିଭିନ୍ନ ପର୍ଯ୍ୟାୟରେ ରହିଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ଶ୍ରୀ ପାଣ୍ଡିଆନ ବିଜୁ ଏକ୍ସପ୍ରେସ୍ ୱେ ସର୍ଭେ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ପାରଳାଖେମୁଣ୍ଡିରେ ୪ ଲେନ୍ ବାଇ ପାସ୍ ରୋଡ୍ ସମ୍ପର୍କରେ ଆଲୋଚନା କରିବା ସହ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଛେଲିଗଡ଼ା ଜଳସେଚନ ପ୍ରକଳ୍ପର ସମୀକ୍ଷା କରିବା ସହ ଆଖପାଖ ଉନ୍ନୟନ ପ୍ରଭାବିତ ଗ୍ରାମଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦେଇଥିଲେ। ୧୦.୨ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ପ୍ରକଳ୍ପ ଉପାଦାନକୁ ପରିଧି ବିକାଶ ପାଇଁ ଅନୁମୋଦନ କରାଯାଇଥିଲା। ପାରଳାଖେମୁଣ୍ଡିସ୍ଥିତ ସଂସ୍କୃତି ଭବନକୁ ୬ କୋଟି ୧୪ ଲକ୍ଷ ଟଙ୍କା ବ୍ୟୟରେ ମଞ୍ଜୁର କରାଯାଇଥିଲା। ଟେଣ୍ଡର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ସେ କହିଛନ୍ତି। ଗୁରୁତ୍ୱପୂର୍ଣ୍ଣ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଗୁଡ଼ିକ ହେଲା କୃଷ୍ଣ ସାଗର (୩.୧୪ କୋଟି), ରାମସାଗର (୩.୫୦ କୋଟି), ଗଜପତି ସାଗର (୧.୪ କୋଟି)। ଖୁବଶୀଘ୍ର ଟେଣ୍ଡର ଶେଷ କରି କାମ ଆରମ୍ଭ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।


