ଗଜପତି କେନ୍ଦ୍ରୀୟ ବିଦ୍ୟାଳୟର ଦୁଇ ଛାତ୍ରୀଙ୍କୁ ଗୋଲଡେନ୍ ଏରୋ ବ୍ୟାଜରେ ସମ୍ମାନିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି କେନ୍ଦ୍ରୀୟ ବିଦ୍ୟାଳୟର ଦୁଇ ଜଣ ଛାତ୍ରଛାତ୍ରୀଙ୍କୁ “ଗୋଲଡେନ୍ ଏରୋ ବ୍ୟାଜ” ସମ୍ମାନ ପାଇଥିବାର ଜଣାପଡିଛି । ସୂଚନା ଯୋଗ୍ୟ ଯେ, ୨୦୨୦-୨୧ ଉକ୍ତ ସମ୍ମାନ ନିମନ୍ତେ ଭାରତ ସ୍କାଉଟ ଆଣ୍ଡ ଗାଇଡ ପକ୍ଷରୁ ଅନ୍ଲାଇନ୍ ମାଧ୍ୟମରେ ପରୀକ୍ଷା ହୋଇଥିଲା । ଏଥିରେ ସମଗ୍ର ଭାରତ ବର୍ଷରେ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ଏଥିରୁ ଓଡିଶା ରାଜ୍ୟରୁ ୪୮ଜଣ ସଫଳତା ହାସଲ କରିଥିବା ବେଳେ ଏଥି ମଧ୍ୟରୁ ଗଜପତି କେନ୍ଦ୍ରୀୟ ବିଦ୍ୟାଳୟର ଦୁଇ ଛାତ୍ରୀ ଅଦିତି ପଟ୍ଟନାୟକ ଓ ଅଂଶିକା ନାୟକ କୃତୀତ୍ୱ ହାସଲ କରିଥିଲେ । ଏହି ସମ୍ମାନ ସୂଚକ ଗୋଲଡେନ୍ ଏରୋ ବ୍ୟାଜକୁ ଏକ ସ୍ୱତନ୍ତ୍ର ଉତ୍ସବରେ ପ୍ରଦାନ କରାଯିବାର ଥିଲା କିନ୍ତୁ କୋଭିଡ୍ ନିୟମ ମୁତାବକ ଉକ୍ତ କାର୍ଯ୍ୟକ୍ରମ ବାତିଲ ହୋଇଥିବାରୁ ଏହାକୁ ବିଭିନ୍ନ ବିଦ୍ୟାଳୟକୁ ପଠାଇ ଦିଆଯାଇଥିଲା । ଉକ୍ତ ସମ୍ମାନ ସୂଚକ ବ୍ୟାଜକୁ ଆଜି ଗଜପତି ଜିଲ୍ଲାପାଳ ତଥା କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଅନୁପମ ସାହା ଛାତ୍ରୀ ଦ୍ୱୟଙ୍କୁ ପ୍ରଦାନ କରିଛନ୍ତି । ଏହି ସମ୍ମାନ ପାଇବାପରେ ଛାତ୍ରୀ ଦ୍ୱୟ ବେଶ ଖୁସି ବ୍ୟକ୍ତ କରିବା ସହ ଜିଲ୍ଲାପାଳ ଶ୍ରୀ ସାହା ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ସମ୍ମାନ ବ୍ୟାଜ ପାଇବାପରେ ଉଭୟ ଛାତ୍ରୀ ଅଦିତି ପଟ୍ଟନାୟକ ଓ ଅଂଶିକା ନାୟକଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ସମସ୍ତ ଶିକ୍ଷଖ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀ ମାନଙ୍କ ସମେତ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।


