ଗଜପତି ନେହେରୁ ଯୁବକେନ୍ଦ୍ର ଦ୍ୱାରା କ୍ଲିନ୍ ଇଣ୍ଡିଆ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦପଣ୍ଡା) – କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର କ୍ରିଡା ମନ୍ତ୍ରଣାଳୟ ଅଧିନସ୍ଥ ଗଜପତି ନେହେରୁ ଯୁବ କେନ୍ଦ୍ର ଆନୁକୁଲ୍ୟରେ ଗଜପତି ଜିଲ୍ଲାରେ ଆଜାଦୀକା ଅମୃତ ମୋହତ୍ସବ ପରିପ୍ରେକ୍ଷୀରେ “କ୍ଲିନ ଇଣ୍ଡିଆ” କାର୍ଯ୍ୟକ୍ରମ ଜାରି ରହିଛି । ଜିଲ୍ଲା ଟ୍ରାନ୍ସଜେଣ୍ଡର ସଂଘ ମିଳିତ ଭାବେ ସଫେଇ କାର୍ଯ୍ୟ କରିଥିବାର ଦେଖିବାକୁ ମିଳିଥିଲା । ସହରର ପୋଲିସଷ୍ଟେସନ ଛକରୁ ଆରମ୍ଭ କରି ମୁଖ୍ୟ ରାସ୍ତା କଡ ସମେତ ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସର ଏବଂ ସେଠାରୁ ଗଜପତି ଷ୍ଟାଡିୟମ ପର୍ଯ୍ୟନ୍ତ ସଫେଇ କରିବା ସହ ଅଦରକାରୀ ପ୍ଲାଷ୍ଟିକ ସାମଗ୍ରୀ ସଂଗ୍ରହ କରି ପରିବେଶକୁ ସ୍ୱଛ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଟ୍ରାନ୍ସଜେଣ୍ଡର ସଂଘର ସଭାପତି ମଧୁ ବରାଡ, ସମ୍ପାଦକ ଅବ୍ଦୁଲ ଅଜିମ୍, ଆଇସା ପ୍ରଧାନ, ସୁନିତା ମିସାଲ, ଭୁବନ ଅନନ୍ତ ପ୍ରମୁଖଙ୍କ ସହ ସଂଘର ବହୁ ସଦସ୍ୟମାନେ ଯୋଗଦେଇ ସଫେଇ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ନେହେରୁ ଯୁବ କେନ୍ଦ୍ରରର ଅଧିକାରୀ ବିଜୟ କୁମାର ମହାପାତ୍ର ଯୋଗଦେଇ ଥିବା ବେଳେ ସ୍ୱେଚ୍ଛାସେବୀ ଭି.ଭବାନୀ ପ୍ରସାଦ, ପ୍ରଶିକ୍ଷିକା ମୋହିନୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ସଫେଇ କରିଥିଲେ । ସେହିପରି ଗୋଷାଣୀ ବ୍ଲକର ଘରୋଣୀ ଗ୍ରାମ, ରାୟଗଡ ବ୍ଲକର ସବର ସାହି ଓ କଇଠପଦର ଗ୍ରାମ, ନୂଆଗଡ ବ୍ଲକର ରୁମାବୁଲ୍ ଗ୍ରାମ ଠାରେ ମଧ୍ୟ ନେହେରୁ ଯୁବ କେନ୍ଦ୍ର ଆନୁକୁଲ୍ୟରେ ସ୍ଥାନୀୟ ଯୁବ ସଂଗଠନଙ୍କ ଦ୍ୱାରା ଏହି କ୍ଲିନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।


