ଗଜପତି ପ୍ରଶାସନର କଡା ପଦକ୍ଷେପ; ଓଡିଶାରେ ଆନ୍ଧ୍ରର ଚାଲ ବିଫଳ, ପୁଣି ଜଣେ ପ୍ରାର୍ଥୀନୀ ଆଜି ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କଲେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଓଡିଶାରେ ଆନ୍ଧ୍ର ଆରମ୍ଭ କରିଥିବା ପଞ୍ଚାୟତ ନିର୍ବାଚନ ପ୍ରକିୟା ଗଜପତି ପ୍ରଶାସନର କଡା ପଦକ୍ଷେପ ଯୋଗୁଁ ପରିଶେଷରେ ବିଫଳ ହେଲା । ଗତ କାଲି ଜଣେ ପ୍ରାର୍ଥୀନୀ ପ୍ରାର୍ଥୀପତ୍ର ପର୍ତ୍ୟାହାର କରିଥିବା ବେଳେ ଆଜି ପୁଣି ଜଣେ ପ୍ରାର୍ଥୀନୀ ପୁଣି ତାଙ୍କର ପ୍ରାର୍ଥୀ ପତ୍ର ପର୍ତ୍ୟାହାର କରିଛନ୍ତି । ତଥାପି ଏହି ସୀମାନ୍ତ ବର୍ତ୍ତୀ ଅଞ୍ଚଳର କୌମସି ଗ୍ରାମର ଜଣେ ହେଲେ ବ୍ୟକ୍ତି ଆନ୍ଧ୍ରର ପଞ୍ଚାୟତ ନିର୍ବାଚନରେ ଯେପରି ଭାଗ ନେବେ ନାହିଁ ସେଥି ପାଇଁ ଉପ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ନେତୃତ୍ୱରେ ପଦସ୍ଥ ଅଧିକାରୀମାନେ ସେଠାରେ ସଜାଗ ରହିଛନ୍ତି । ଘଟଣାରୁ ପ୍ରକାଶ ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ପାଦଦେଶରେ ଆନ୍ଧ୍ର ସୀମାନ୍ତରେଥିବା ୬ ଗୋଟି ଗ୍ରାମ ଯଥା ଗଙ୍ଗାବାଡ, ମାଣିକପାଟଣା, ଆମରିଙ୍ଗି, ବୁରସିଙ୍ଗ, ଗଡୁଗୁଡି ଓ ମାଧିଆଖାଲ ଆଦି ଗ୍ରାମ ଗୁଡିକରେ ଆନ୍ଧ୍ର ପ୍ରଶାସନ ତରଫରୁ ଶତାଧିକ ବ୍ୟକ୍ତିଙ୍କୁ ଭୋଟର ତାଲିକାରେ ପଞ୍ଜିକରଣ କରି ଭୋଟ କାର୍ଡଦେବା ସହ ରାସନ କାର୍ଡ, କିଛି ଗ୍ରାମକୁ ରାସ୍ତା ନିର୍ମାଣ ଏବଂ କେତେତକଙ୍କୁ ବିଜୁଳି ସଂଯୋଗ ଆଦି ଦ୍ୱାରା ଓଡିଶାର ରାଜସ୍ୱ ଗ୍ରାମ ଗୁଡିକୁ ବେଦଖଲ କରି ଆନ୍ଧ୍ର କର୍ତ୍ତୃତ୍ୱ ଜାରିହ କରିବାପାଇଁ ଗତ କିଛି ବର୍ଷ ହେଲା ଅପଚେଷ୍ଟା ଚଳାଇ ଆସିଛି । ଏଥି ସହ ଚଳିତ ବର୍ଷ ବେଆଇନ ଭାବେ ଓଡିଶାର ଗ୍ରାମରେ ଆନ୍ଧ୍ର ପଞ୍ଚାୟତ ନିର୍ବଚନ ପ୍ରକିୟା ଓ ପ୍ରଚାର ବ୍ୟାନେର, ପୋଷ୍ଟର, ପତାକା ଆଦିରେ ଆନ୍ଧ୍ର ନିର୍ବାଚନ ମାହୋଲ ସୃଷ୍ଟି କରିଥିଲା । ଏ ସମସ୍ତ ତଥ୍ୟ ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ ଠାରେ ପହଂଚିବା କ୍ଷଣି ବିହିତ ପଦକ୍ଷେପ ପାଇଁ ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ନେତୃତ୍ୱରେ ପଦସ୍ଥ ଅଧିକାରୀ ଓ ପୋଲିସ ଟିମ୍କୁ ଗତ ୪ ଦିନ ତଳେ ପଠାଇଥିଲେ । ଏମାନେ ଏହି ସମସ୍ତ ଗ୍ରାମକୁ ପାଦ ଚଲାରେ ଗସ୍ତକରି ଲୋକଙ୍କ ସହ ବାରମ୍ବାର ବୈଠକ ଓ ଆଲୋଚନା ଦ୍ୱାରା ସମସ୍ତ ଗ୍ରାମର ବିଭିନ୍ନ ସମସ୍ୟାକୁ ଓଡିଶା ସରକାର ଜନହିତକର ଯୋଜନାରେ ସାମିଲ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏଥି ସହ ଆନ୍ଧ୍ରର ଏଭଳି ହୀନ ଉଦ୍ୟମ ବିରୁଦ୍ଧରେ ଉଚିତ ପଦକ୍ଷେପ ନିଆଯିବ ବୋଲି ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ପ୍ରକାଶ କରିବା ପରେ ଅଞ୍ଚଳବାସୀ ଆନ୍ଧ୍ର ନିର୍ବାଚନରେ କୌଣସି ଭାବେ ସାମିଲ ହେବୁ ନାହିଁ ବୋଲି ପ୍ରିତଶ୍ରୁତି ଦେବା ସହ ଯେଉଁମାନେ ପ୍ରାର୍ଥୀ ହୋଇଛନ୍ତି ସେମାନଙ୍କୁ ଆନ୍ଧ୍ର ନିର୍ବାଚନକୁ ଓହରି ଯିବାପାଇଁ ପଦକ୍ଷେପର ନିଆଯିବାପାଇଁ ପ୍ରକାଶ କରିଥିଲେ । ଏଥି ଅନୁଯାୟୀ ଉପଜିଲ୍ଲାପଳ ଶ୍ରୀ ପଣ୍ଡା ଗତକାଲି ଗ୍ରାମର ସମିତି ସଭ୍ୟ ପ୍ରାର୍ଥୀନୀ ହୋଇଥିବା ୱାଇ.ଏସ୍.ଆର୍. କଂଗ୍ରେସ ପାର୍ଟି ସମର୍ଥିତ ଲକ୍ଷ୍ମୀ ଶବରଙ୍କୁ ବୁଝାଇବାପରେ ଗଦ କାଲି ସେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି । ସେହିଭଳି ଆଜି ପୁଣି ଉପଜିଲ୍ଲାପାଳ ଶ୍ରୀ ପଣ୍ଡାଙ୍କ ଅନୁରୋଧ କ୍ରମେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଆଜି ଶେଷ ଦିନରେ ଟିଡିପି ଦଳ ସମର୍ଥିତ ପ୍ରାର୍ଥିନୀ ଦୈାପଦୀ ଶବର ଆଜି ତାଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି । ଆଗାମୀ ୧୩ ତାରିଖ ଦିନ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ହେବ । ତେଣୁ ଆନ୍ଧ୍ରର ଚାଲକୁ ସମ୍ପୂର୍ଣ୍ଣ ଭଣ୍ଡୁର ପାଇଁ ଏବଂ ଜଣେ ହେଲେ ଓଡିଶା ବାସୀ ଆନ୍ଧ୍ର ନିର୍ବଚନରେ ଯେପରି ଭୋଟ ଦେବେ ନାହିଁ ସେଥି ପାଇଁ ଶ୍ରୀ ପଣ୍ଡାଙ୍କ ପ୍ରଶାସନିକ ଟିମ ସଂପୃକ୍ତ ଗ୍ରାମ ଗୁଡିକରେ ସଜାଗ ରହିଛନ୍ତି ।


