ଗାଁର ମହିଳା ସବୁବେଳେ ରୁହନ୍ତି ସଧବା
ମଧ୍ୟ ପ୍ରଦେଶ ମଣ୍ଡଲା ଜିଲ୍ଲାରେ ଥିବା ଏକ ଗାଁରେ ରହିଥିବା ପରମ୍ପରା କଥା ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗେ । ହେଲେ ଆଜିବି ଏହି ପରମ୍ପରାକୁ ପାଳି ଆସୁଛନ୍ତି ସେଠାକାର ବାସିନ୍ଦା । ଏଠାରେ ବସବାସ କରୁଥିବା ଗୋଣ୍ଡ ଜନଜାତିରେ କୌଣସି ମହିଳା ଜୀବନକାଳ ମଧ୍ୟରେ ବିଧବା ହୁଅନ୍ତି ନାହିଁ ବୋଲି ସେଠାକାର ଲୋକେ କୁହନ୍ତି । କାରଣ ଏଠାରେ ଯଦି କୌଣସି ମହିଳାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୁଏ ତେବେ ଏମାନେ ଘରେ ଥିବା ଅବିବାହିତ ପୁରୁଷଙ୍କୁ ବିବାହ କରିଥାଆନ୍ତି । ଏକ୍ଷେତ୍ରରେ ବିଶେଷ କରି ଦିଅରମାନଙ୍କୁ ଉକ୍ତ ବିଧବା ମହିଳାଙ୍କ ସହ ବିବାହ ଦିଆଯାଇଥାଏ । କେତେକ ସ୍ଥଳେ ଯଦି କାହା ଘରେ ବିବାହ ଉପଯୁକ୍ତ ନାତି ଥାଆନ୍ତି ସେମାନଙ୍କ ସହ ମଧ୍ୟ ଉକ୍ତ ବିଧବା ମହିଳାଙ୍କର ବିବାହ କରାଯାଇଥାଏ । ଯଦି ଏହା ସମ୍ଭବ ନ ହୁଏ ତେବେ ଏହାର ବିକଳ୍ପ ମଧ୍ୟ ରଖାଯାଇଛି । ଉକ୍ତ ମହିଳାଙ୍କ ସ୍ୱାମୀ ଯେବେ ଦେହତ୍ୟାଗ କରିଥାଆନ୍ତି ତା’ର ୧୦ ଦିନ ପୂରଣ ହେବା ପରେ ଗାଁର ଜଣେ ବ୍ୟକ୍ତି ଉକ୍ତ ମହିଳାଙ୍କୁ ରୁପା ଲାଗିଥିବା ଏକ ପାଟ ଉପହାର ଦେଇଥାଆନ୍ତି । ଯେଉଁ ବ୍ୟକ୍ତି ଏହି ପାଟଟି ଉପହାର ଦେଇଥାଆନ୍ତି, ସେହି ବ୍ୟକ୍ତିଙ୍କ ଘରକୁ ଉକ୍ତ ବିଧବା ମହିଳାଙ୍କୁ ପଠାଇ ଦିଆଯାଇଥାଏ । ସେବେଠାରୁ ସେ ତାଙ୍କ ଘରେ ରୁହନ୍ତି । ଏଠାରେ ଶାରୀରିକ ସମ୍ପର୍କକୁ ଏତେଟା ଗୁରୁତ୍ୱ ଦିଆଯାଇ ନ ଥାଏ । ହେଲେ ଗାଁରେ ମହିଳାଙ୍କୁ ବିଧବା ବେଶରେ ଦେଖିବା ଅଶୁଭ ବୋଲି କହି ଗାଁ ଲୋକେ ଆଜି ବି ଏହି ପରମ୍ପରାକୁ ପାଳନ କରିଆସୁଛନ୍ତି ।


