ଗାଈ ଗୋରୁଙ୍କ କବ୍‌ଜାରେ ବାଲିଗୁଡାର ଜାତୀୟ ରାଜପଥ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ୫୯ ନଂ.ଜାତୀୟ ରାଜପଥରେ ସନ୍ଧ୍ୟାରେ ଗାଈ ଗୋରୁଙ୍କ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି। ଯାହାକୁ ନେଇ ଅନେକ ସମୟରେ ଦୁର୍ଘଟଣା ମାନ ଘଟୁଛି। ଫଳରେ ସାଧାରଣରେ ଏହାକୁ ନେଇ ଘୋର ଅସନ୍ତୋଷ ପ୍ରକାଶ ପାଉଛି। ସନ୍ଧ୍ୟା ହେଲେ ରାସ୍ତାରେ ବାଇକ ଆରୋହୀ ଓ ପଥଚାରୀ ମାନେ ଯାତାୟତ ବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟା ପ୍ରତି ବିଜ୍ଞାପିତ ଅଞ୍ଚଳ ପରିଷଦ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି। ସୂଚନା ଯୋଗ୍ୟ ଯେ, ସନ୍ଧ୍ୟାରେ ଗାଈଗୋରୁ ମାନେ ବାଲିଗୁଡା ହନୁମାନ ମନ୍ଦିର ଠାରୁ ଆଦିବାସୀ ମହାବିଦ୍ୟାଳୟ ପର୍ଯ୍ୟନ୍ତ ୫୯ ନଂ. ଜାତୀୟ ରାଜପଥ ରାସ୍ତା ଉପରେ ଶୋଇବା ସହ ପ୍ରତ୍ୟେକ ଦିନ ଏହି ସମସ୍ୟା ଦେଖିବାକୁ ମିଳିଥାଏ। ବିଭିନ୍ନ ସମୟରେ ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ଘଟୁଛି। ତଥାପି ପ୍ରଶାସନର ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ସେହି ସମୟରେ ଟ୍ରାଫିକ ସମସ୍ୟା ଦେଖାଦେଉଛି। ସମାଧାନ ପାଇଁ ସହରର ବିଭିନ୍ନ ସଂଗଠନ ବାରମ୍ବାର ଦାବୀ କରି ଆସୁଥିଲେ ମଧ୍ୟ ଏଯାବତ କୌଣସି ସୁଫଳ ମିଳିନାହିଁ। ଯଥା ପୂର୍ଵମ୍ ତଥା ପରମ୍ ଅବସ୍ଥା ହୋଇଛି। ବୁଲା ଗାଈ ଗୋରୁ ମାଲିକମାନଙ୍କୁ ନୋଟିସ ଦିଆଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଏନଏସି ପ୍ରଶାସନ ପକ୍ଷରୁ କୁହାଯାଇଥିଲା। କିନ୍ତୁ ପ୍ରତିଶୃତି ପ୍ରତିଶୃତି ରେ ହିଁ ରହିଯାଇଛି l ବୁଲା ଗାଈ ଗୋରୁ ମାଲିକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେବା ତ ଦୂରର କଥା ଗୋରୁ ଗାଈଙ୍କ ମାଲିକ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇନି। ଏଥିସହ ସହରରେ ବୁଲୁଥିବା ଗାଈ ଗୋରୁଙ୍କ ପାଇଁ କାଓ ସେଡ ନିର୍ମାଣ କରାଯାଇ ସେଠାରେ ସେମାନଙ୍କୁ ରଖାଯାଇ ମାଲିକଙ୍କ ଠାରୁ ଜୋରିମାନା ଆଦାୟ କରାଯିବା ସହ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ଏହାର ସମାଧାନ ପାଇଁ ଯଥା ଶୀଘ୍ର ଉଦ୍ୟମ ଆରମ୍ଭ ହେବା ଦରକାର ବୋଲି ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ