ଗାଙ୍ଗପୁର ଥାନା ଅଞ୍ଚଳରେ ବଢୁଛି ଚୋରଙ୍କ ପ୍ରାଦୁର୍ଭାବ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଗତ ଏକ ମାସ ହେବ ଗାଙ୍ଗପୁର ଥାନା ଅଞ୍ଚଳରେ ଚୋର ମାନଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି I ବିଭିନ୍ନ ସ୍ଥାନରୁ ରାତିରେ ଚୋର ମାନେ ବିଭିନ୍ନ ଉପାୟରେ ଚୋରି କରୁଛନ୍ତି I କେଉଁଠି ତାଲା ଭାଙ୍ଗି ଚୋରି କରୁଛନ୍ତି ତ କେଉଁଠି ବାହାରେ ରଖା ଯାଇଥିବା, ମୋଟରସାଇକେଲ୍, ସ୍କୁଟି ଆଦି ଚୋରି କରୁଛନ୍ତି I ତେଣୁ ଚୋରଙ୍କ କାର୍ଯ୍ୟକଳାପକୁ ରୋକିବା ଦିଗରେ ପୋଲିସ୍ ର କଡ଼ା ପାଟ୍ରୋଲିଂ ପାଇଁ ଅଞ୍ଚଳବାସୀ ଦାବି କରୁଛନ୍ତି I ଗତ ଡିସେମ୍ବର ମାସ ପଚିଶି ତାରିଖ ରାତ୍ରିରେ ଗାଙ୍ଗପୁର ଥାନା ଅନ୍ତର୍ଗତ ବିଞ୍ଚଣା ମୁଖ୍ୟ ସଡ଼କ ପାର୍ଶ୍ଵରେ ରହୁଥିବା ବିଜେଡ଼ି ଯୁବ ନେତା ତଥା ୪୮ ନମ୍ବର୍ ଜୋନ୍ ବିଜେଡ଼ି ଜିଲ୍ଳାପରିଷଦ ପ୍ରାର୍ଥୀ ପଞ୍ଚାନନ ନାୟକ ନିଜର OD32B9255 ନମ୍ବର୍ ବିଶିଷ୍ଟ ଟିଭିଏସ୍ ଜୁପିଟର୍ ସ୍କୁଟିଟିକୁ ସବୁଦିନ ଭଳି ନିଜ ଘର ଆଗରେ ରଖି ଘରେ ଶୋଇଥିଲେ I ସେ ସକାଳୁ ଉଠି ନିଜ ସ୍କୁଟିଟିକୁ ଦିନ ସାରା ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବାପରେ ସ୍କୁଟି ଚୋରି ହୋଇଥିବା ନେଇ ଗାଙ୍ଗପୁର ଥାନାରେ ଅଭିଯୋଗ କରିଥିଲେ I ଆଜିକୁ ଏହି ଘଟଣାକୁ ପ୍ରାୟ ଏକ ମାସ ବିତିଯାଇଥିଲେ ମଧ୍ଯ ପୋଲିସ୍ ଚୋରଙ୍କ ଟେର୍ ପାଇପାରି ନାହିଁଁ I ସେହିପରି ଗତ ରାତିରେ ଗାଙ୍ଗପୁର ଥାନା ଅନ୍ତର୍ଗତ ବଡ଼ ବୋର୍ସିଂ ପଂଚାୟତର ସାନ ବୋର୍ସିଂ ଗ୍ରାମରେ ଚାରି ଘରୁ ଚୋରି କରିବା ଘଟଣା ଲୋକଙ୍କୁ ଆତଙ୍କିତ କରିଛି I ଚୋରମାନେ ମୁଖ୍ୟତଃ ତାଲା ପଡ଼ିଥିବା ଘର, ବୁଢ଼ାବୁଢ଼ୀ ରହୁଥିବା ଘର ଏବଂ କେବଳ ମହିଳା ରହୁଥିବା ଘରକୁ ଟାର୍ଗେଟ୍ କରୁଛନ୍ତି I ଗତ ରାତିରେ ସାନବୋର୍ସିଂଗ୍ ଗ୍ରାମର ତୋଫାନ ସ୍ୱାଇଁଙ୍କ ଅଫିସ୍ ଘରର ତାଲା ଭାଙ୍ଗି ବହୁ ଆସବାବପତ୍ର ଫୋପାଡ଼ି ଦେବା ସହ ବହୁ ଦରକାରୀ କାଗଜପତ୍ର ଚିରି ଦେଇଛନ୍ତି I ଏହା ସହିତ ଏକ ତିନି ଗ୍ରାମ୍ ର ସୁନା ମୁଦି ଏବଂ ୨୫୦୦ ଟଙ୍କା ନେଇଯାଇଥିବା ତୋଫାନ ପ୍ରକାଶ କରିଛନ୍ତି I ସେହିପରି ସେହି ରାତିରେ ଗ୍ରାମର ରଞ୍ଜନ ସ୍ଵାଇଁଙ୍କର ବାଡି ପଟ ଘର ତାଲା ଭାଙ୍ଗି ତିନୋଟି ନୂଆଁ ପ୍ୟାଣ୍ଟ୍,ଲୁଗାପଟା,ନଗଦ ଦୁଇ ହଜାର ଟଙ୍କା, ଦୁଇଟି ରୂପା ମୁଦି ନେଇଯିବା ସହ ଆସବାବପତ୍ର ଫୋପାଡ଼ି ଦେଇଛନ୍ତି I ସେହିପରି ଗ୍ରାମର ପୂର୍ଣ୍ଣଚନ୍ଦ୍ର ସ୍ଵାଇଁଙ୍କର ସ୍ତ୍ରୀ ଏକା ଥିବା ଯୋଗୁଁ ସେ ଅନ୍ୟ ଜଣଙ୍କ ଘରେ ଶୋଇଥିଲେ I ଏହାର ସୁଯୋଗ ନେଇ ଚୋରମାନେ ପୂର୍ଣ୍ଣଚନ୍ଦ୍ରଙ୍କର ଦାଣ୍ଡପଟ କବାଟ ଭାଙ୍ଗି ଗୋଡ଼ ମୁଦି, ଏକ ହଳ ପାଉଁଜି ସହିତ ସରାଗାତ ଭାଙ୍ଗି ନଗଦ ୧୮୫୦ ଟଙ୍କା ଚୋରି କରିନେଇଥିବା ପୂର୍ଣ୍ଣଚନ୍ଦ୍ରଙ୍କ ସ୍ତ୍ରୀ ପ୍ରକାଶ କରିଛନ୍ତି I ସେହିପରି ଗ୍ରାମର ହରିଜନ ସାହିର ସନ୍ତୋଷ ସେଠୀଙ୍କ ଘରେ ପଶି ଏକ ହଳ କାନ ଫୁଲ ନେଇଯିବା ସହ ଲୁଗାପଟା ଫୋପାଡ଼ି ଦେଇଥିବା ଜଣାପଡିଛି I ପ୍ରକାଶ ଥାଉକି ଏକ ମାସ ତଳେ ସାନ ବୋର୍ସିଂ ଗ୍ରାମର ଭିକାରୀ ସ୍ୱାଇଁଙ୍କ ନୂଆଁ ସାହି ଘରେ ଚୋର ଦଳ ପଶି ଆଲମୀରା ଭାଙ୍ଗି ନଗଦ ଟଙ୍କା ଏବଂ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି କରିବା ସହ ବହୁ ଜିନିଷପତ୍ର ଫୋପଡାଫୋପଡ଼ି କରିଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ଅଦ୍ୟାବଧି ପୋଲିସ୍ ଚୋରଙ୍କ କୌଣସି ଟେର୍ ପାଇପାରିନି I ସେହିପରି ଚୋରମାନେ ଗତ ରାତିରେ ଗାଙ୍ଗପୁର ଠାକୁରାଣୀ ମନ୍ଦିର ନିକଟରେ ଥିବା ଏକ ଛୋଟ ଚୁଡ଼ା କଳର ତାଲା କାଟି ସେଠାରୁ ଦୁଇଟି ମୋଟର୍ ନେଇଯାଇଥିବା ଜଣାପଡ଼ିଛି I ଗତ ଏକମାସ ହେବ ବହୁ ସ୍ଥାନରୁ ଚୋରି ହୋଇଥିଲେ ମଧ୍ୟ ପୋଲିସ୍ କୌଣସି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରୁନଥିବାରୁ କିଛି ଲୋକ ନିଜର ଜିନିଷ ଚୋରି ସମ୍ପର୍କରେ ଥାନାରେ ଅଭିଯୋଗ କରୁନଥିବା ଜଣାପଡିଛି I ତେବେ ଚୋରଙ୍କ ପ୍ରାଦୁର୍ଭାବ ରୋକିବା ପାଇଁ ଯଦି ଗାଙ୍ଗପୁର ପୋଲିସ୍ ତୁରନ୍ତ ପଦକ୍ଷେପ ଗ୍ରହଣ ନକରେ ତେବେ ପୋଲିସ୍ ସାଧାରଣ ଜନତାଙ୍କ ଆସ୍ଥା ହରାଇବ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ